ବମିଖାଲ ଓଭରବ୍ରିଜ୍‌ରେ ଅଘଟଣ : ପୁଣି ମୁଣ୍ଡ ଗଡ଼ିଲା, ଜଣେ ମୃତ, ଜଣେ ଗୁରୁତର

୮ମାସ ତଳେ ଜଣେ ମରିଥିଲେ

ଭୁବନେଶ୍ୱର : ୮ମାସ ପରେ ପୁଣି ବମିଖାଲ ରେଳ ଓଭରବ୍ରିଜ୍‌ ନିର୍ମାଣ ବେଳେ ଦୁର୍ଘଟଣା ଘଟିଛି। ଓଭରବ୍ରିଜ୍‌ର ସନ୍ତୋଷୀ ମା’ ମନ୍ଦିର ସମ୍ମୁଖରେ ରିଟେନ୍‌ ଓ୍ଵାଲ୍‌ ନିର୍ମାଣ ପାଇଁ ବନ୍ଧା ହୋଇଥିବା ଫାଉଣ୍ଡେସନ୍‌ ରଡ୍‌ ଖସିପଡ଼ିବାରୁ ଏଥିରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୃତ ଶ୍ରମିକଙ୍କ ନାମ ଅଜୟ ଭୂମିଚ(୩୮)। ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟାରେ। ଏହି ଦୁର୍ଘଟଣାରେ ସୁନ୍ଦରଗଡ଼ ଦେଓଗାଁର ଆନନ୍ଦ କୁମାର ନାୟକ (୩୬) ନାମକ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ସ୍ଥିତି ସଙ୍ଗୀନ ହେବାରୁ ଆମ୍ରି ହସ୍ପିଟାଲକୁୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ରାତି ପ୍ରାୟ ୯ଟା ୪୫ ମିନିଟ ସମୟରେ ବମିଖାଲ ଓଭରବ୍ରିଜ୍‌ର ସନ୍ତୋଷୀ ମା’ ମନ୍ଦିର ସମ୍ମୁଖ ରିଟେନ୍‌ ଓ୍ଵାଲ୍‌ ନିର୍ମାଣ ବେଳେ ଏହି ଦୁର୍ଘଟଣା ଘଟିଛି। ରିଟେନ୍‌ ଓ୍ଵାଲ୍‌ ନିର୍ମାଣ ପାଇଁ ରଡ୍‌ ବନ୍ଧା ସରିଥିବା ବେଳେ ଏହାର ଢଳେଇ ପାଇଁ ସେଣ୍ଟ୍ରିଂ କରାଯାଉଥିଲା। କିନ୍ତୁ ବର୍ଷା ଯୋଗୁଁ ମାଟି ନରମ ଥିବାରୁ ବନ୍ଧା ହୋଇଥିବା ଫାଉଣ୍ଡେସନ ରଡ୍‌ ଭାରସାମ୍ୟ ହରାଇ ବ୍ରିଜର ଭିତର ପାର୍ଶ୍ୱକୁ ଢଳି ଯାଇଥିଲା। ଏଠାରେ ଢଳେଇ ପାଇଁ ପ୍ରାୟ ୧୦ରୁ ଅଧିକ ଶ୍ରମିକ ସେଣ୍ଟ୍ରିଂ ଓ ରଡ୍‌ ବାନ୍ଧୁଥିବା ବେଳେ ଦୁଇ ଜଣ ଏହା ତଳେ ଚାପି ହୋଇ ଯାଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଅଜୟ ଭୂମିଚଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

ବମିଖାଲ ଓଭରବ୍ରିଜ୍‌ ଦୁର୍ଘଟଣା ପରେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ରାସ୍ତା ରୋକ କରିବା ସହ ବ୍ରିଜ୍‌ ନିର୍ମାଣ କରୁଥିବା ଠିକା ସଂସ୍ଥା ପଣ୍ଡା ଇନଫ୍ରାଷ୍ଟ୍ରକଚର୍‌ର ମାଲିକଙ୍କୁ ତୁରନ୍ତ ଗିରଫ କରିବାକୁ ଏବଂ ଲାଇସେନ୍ସ ରଦ୍ଦ କରିବାକୁ ଦାବି କରିଛନ୍ତି। ଘଟଣାସ୍ଥଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଛି। ମୃତ ଶ୍ରମିକଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଛାତ୍ର କଂଗ୍ରେସ ଓ ବିଜେପି ପକ୍ଷରୁ ଦାବି କରାଯାଇଛି।

ଏହି ଦୁର୍ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ମୁଖ୍ୟଯନ୍ତ୍ରୀଙ୍କୁ ପୂର୍ତ୍ତ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷେ ସଂସ୍ଥା ବିରୋଧରେ କମିସନରେଟ୍‌ ପୁଲିସ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଛି। ମୃତ୍ୟୁ ପାଇଁ ଦାୟୀ, ସରକାରୀ କାର୍ଯ୍ୟରେ ଖିଲାପ, ଠକେଇ, ଅବହେଳା ଭଳି ସଙ୍ଗିନ ମାମଲା ରୁଜୁ ହୋଇଛି ବୋଲି ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି।
ବମିଖାଲ ଓଭରବ୍ରିଜ୍‌ ନିର୍ମାଣ ଆରମ୍ଭରୁ ବିବାଦ ଲାଗି ରହିଥିବା ବେଳେ ଗତବର୍ଷ ସେପ୍ଟେମ୍ବର ୧୦ତାରିଖରେ ନିର୍ମାଣାଧୀନ ବ୍ରିଜ୍‌ର ଏକ ସ୍ଲାବ୍‌ ଖସିପଡ଼ିବାରୁ ଝାରପଡ଼ାର ସତ୍ୟ ପଟ୍ଟନାୟକ ନାମକ ଜଣେ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ସତ୍ୟଙ୍କ ଝିଅ ଶୀତଲଙ୍କ ସମେତ ୧୫ଜଣ ଶ୍ରମିକ ଆହତ ହୋଇଥିଲେ। ଏହି ଦୁର୍ଘଟଣା ପାଇଁ ପଣ୍ଡା ଇନଫ୍ରାଷ୍ଟ୍ରକଚର ମାଲିକ, ମ୍ୟାନେଜରଙ୍କ ସମେତ ପୂର୍ତ୍ତ ବିଭାଗର ଭୁବନେଶ୍ୱର ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରାଯାଇଥିଲା। ନିର୍ବାହୀ ଯନ୍ତ୍ରୀଙ୍କୁ ନିଲମ୍ବନ କରାଯାଇଥିଲା।

ସମ୍ବନ୍ଧିତ ଖବର