ପୁଣି ରାସ୍ତା ସାଜିଲା ପ୍ରତିବନ୍ଧକ : ଭାରରେ ବୁହାହେଲ ବଣ୍ଡା ମହିଳା

ମାଲକାନଗିରି/ଖଇରପୁଟ : ଦୁର୍ଗମ ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ଯୋଗୁଁ ପୁଣି ଜଣେ ବଣ୍ଡା ମହିଳା ଅକଥନୀୟ ଦୁର୍ଦଶାର ସମ୍ମୁଖୀନ ହୋଇଛନ୍ତି। ରାସ୍ତା ପ୍ରତିବନ୍ଧକ ସାଜିବାରୁ ଦୀର୍ଘ ୪କିଲୋଟିମର ଗୋଟିଏ ଟୋକେଇରେ ଭାର ହେଲେ। କଚ୍ଚା ରାସ୍ତା ସାଙ୍ଗକୁ ଗୋଟିଏ ନାଳକୁ ବି ପାର କଲେ। ବହୁ କଷ୍ଟରେ ମେଡିକାଲରେ ପହଞ୍ଚିବା ପରେ ଚିକିତ୍ସିତ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ମାଲକାନଗିରି ଜିଲ୍ଲାର ଅପହଞ୍ଚ ବଣ୍ଡା ଘାଟି ଅଞ୍ଚଳରେ। ପରିବାର ଲୋକ ଓ ଗ୍ରାମବାସୀଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ହିଁ ମହିଳା ଜଣକ ଠିକ୍ ସମୟରେ ମେଡିକାଲରେ ପହଞ୍ଚି ପାରିଲେ। ନଚେତ ପରିସ୍ଥିତି ଆହୁରି ସାଂଘାତିକ ହୋଇଯାଇଥାନ୍ତା ବୋଲି ମତ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟି ଆଦିମ ଜନଜାତି ବଣ୍ଡାଙ୍କ ପାଇଁ ବିଶ୍ବରେ ପରିଚିତ। କିନ୍ତୁ ଦୀର୍ଘ ବର୍ଷ ପରେ ଏହି ଅଞ୍ଚଳକୁ ପକ୍କା ସଡ଼କ ହୋଇପାରିଲା ନାହିଁ। ପାଦ ଚଲା ଏବଂ ପଥୁରିଆ ରାସ୍ତା ଉପ‌ରେ ଏଠାକାର ବାସିନ୍ଦା ବର୍ଷ ତମାମ ନିର୍ଭର କରନ୍ତି। ଏଭଳି ପରିସ୍ଥିତିରେ ମୁଦୁଲିପଡ଼ା ପଞ୍ଚାୟତ ଅନ୍ତର୍ଗତ ଗୋଇଗୁଡ଼ା ଗାଁର ସମ୍ବାରୀ ବଡ଼ନାୟକ ଗତ କିଛି ଦିନ ହେଲା ଅସୁସ୍ଥ ଥିଲେ। ଋତୁ ପରିବର୍ତନ ଯୋଗୁଁ ସାମାନ୍ୟ ଜ୍ବର ହୋଇଥିବା ଅନୁମାନ କରି ପରିବାର ଲୋକ ସେତେଟା ଗୁରୁତ୍ବ ଦେଇ ନଥିଲେ। ତେବେ ଆଜି ସକାଳୁ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା। ଏମିତିରେ ମେଡିକାଲ ନେବା ବ୍ୟତୀତ ଅନ୍ୟ କୌଣସି ଉପାୟ ନଥିଲା। ତେଣୁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। କିନ୍ତୁ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇପାରିବ ନାହିଁ ବୋଲି ଉତ୍ତର ମିଳିଥିଲା। ଏମିତି ପରିସ୍ଥିତିରେ ଗ୍ରାମବାସୀ କ’ଣ କରିବେ ଜାଣିପାରି ନଥିଲା। ବାଧ୍ୟ ହୋଇ ଭାର କରି ନେବାକୁ ନିଷ୍ପତ୍ତି ନେଇଥିଲେ। ଗୋଟିଏ ଟୋକେଇରେ ସମ୍ବାରୀଙ୍କୁ ବସାଇ ଭାର କରି ଗାଁ ଠାରୁ ପ୍ରାୟ ୪କିଲୋମିଟର ଦୂର ମୁଦୁଲିପଡ଼ା ପର୍ଯ୍ୟନ୍ତ ନେଇଥିଲେ। ସେଠାରୁ ପୁଣି ଆମ୍ବୁଲାନ୍ସ ଯୋଗେ ଖଇରପୁଟ ମେଡିକାଲକୁ ଯାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ମାଲକାନଗିରି ମେଡିକାଲକୁ ନିଆଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର