ଦିଲ୍ଲୀ-ହରିଆନାରେ ବନ୍ଧାପଡ଼ିଥିବା ୪ ନାବାଳକ, ୩ ନାବାଳିକା ଉଦ୍ଧାର

ସୁନ୍ଦରଗଡ଼ : ଦୀର୍ଘ ୧୨ ଦିନ ଧରି ଦିଲ୍ଲୀ, ହରିଆଣାରେ ସୁନ୍ଦରଗଡ଼ ପୁଲିସ୍‌ର ସ୍ୱତନ୍ତ୍ର ସ୍କ୍ଵାଡ୍‌ ଛାନ୍‌ଭିନ୍‌ କରିବା ପରେ ଦିଲ୍ଲୀକୁ ଚାଲାଣ ହୋଇ ଗୃହବନ୍ଦୀ ପାଲଟିଥିବା ୪ ଜଣ ନାବାଳିକା ଓ ୩ ଜଣ ନାବାଳକଙ୍କୁ ଉଦ୍ଧାର କରଛି। ଉଦ୍ଧାର ବାଳକ-ବାଳିକାମାନେ ହେଲେ-ଧରୁଆଡିହା ଥାନା ଅନ୍ତର୍ଗତ ବିରିବିରା ଗ୍ରାମର ଗ୍ଲୋରିଆ ଟପ୍ନୋ (୧୭), ସୁଶାନୀ ଟପ୍ନୋ (୧୫), ଲେଫ୍ରିପଡ଼ା ଥାନା କରାଡ଼େଗା ଗ୍ରାମର ବାସୁମତୀ ସୋରେଙ୍ଗ (୧୯), ତଲସରା ଥାନା କିରାଲଗା ପାଟିଆଓରା ଗ୍ରାମର ରେଶ୍ମା ମାଝୀ (୧୩), ବଣାଇଁ ଦହିଚୂର୍‌ର ବିନୋଦ କୁଲୁ (୧୭), ହରମନ କୁଲୁ (୧୬) ଏବଂ ବୀରମିତ୍ରପୁର ଘୋଘରାଇର ନବୀନ କେର୍କେଟା (୧୬)।

ସୂଚନାନୁଯାୟୀ, କରାଡ଼େଗାର ବାସୁମତୀ ଦିଲ୍ଲୀରେ କ୍ରୀତଦାସୀ ଜୀବନ ବିତାଉଥିବା ନେଇ ଲେଫ୍ରିପଡ଼ାଥାନାରେ ଗତ ୨୦ ତାରିଖରେ ଏତଲା ହୋଇଥିଲା। ତଲସରା ଏସ୍‌ଆଇ ମିଲି ସାହୁଙ୍କ ନେତୃତ୍ୱରେ ୭ ଜଣିଆ ସ୍ୱତନ୍ତ୍ର ସ୍କ୍ଵାଡ୍‌ ଗତ ୨୩ ତାରିଖରେ ଦିଲୀ ଅଭିମୁଖେ ବାହାରିଥିଲା। ହରିଆଣା, ଦିଲ୍ଲୀ, ଆଗ୍ରାରେ ଛାନ୍‌ଭିନ୍‌ ପରେ ୭ ଜଣଙ୍କୁ ସେମାନେ ଉଦ୍ଧାର କରିଥିଲେ। ଜଣେ ଦୂର ସମ୍ପର୍କୀୟଙ୍କ ଦ୍ୱାରା ଚାରି ବର୍ଷ ତଳେ ଦିଲ୍ଲୀକୁ ଚାଲାଣ ହୋଇ ଅଶୋକ ବିହାରରେ କ୍ରୀତଦାସୀ ପାଲଟିଥିବା ବାସୁମତୀଙ୍କୁ ସେମାନେ ଉଦ୍ଧାର କରିଥିଲେ। ସେହିଭଳି ୬ ମାସ ପୂର୍ବେ ବଣାଇଁ ଓ ବୀରମିତ୍ରପୁରରୁ ଚାଲାଣ ହୋଇଥିବା ବିନୋଦ, ହରମନ୍‌ ଓ ନବୀନଙ୍କୁ ପୁଲିସ୍‌ ହରିୟାଣା ମହେନ୍ଦ୍ରପୁରସ୍ଥିତ ଏକ ଲୁଗାକଳରୁ ଉଦ୍ଧାର କରଥିଲା। ନିର୍ଯାତନା ଭୟରେ ସେମାନେ ବିନା ଦରମାରେ ଦିନରାତି ଶ୍ରମଦାନ କରିବାକୁ ବାଧ୍ୟ ହେଉଥିବା କହିଛନ୍ତି। ଛଅ ବର୍ଷ ପୂର୍ବେ ଦିଲ୍ଲୀ ଚାଲାଣ ହୋଇଥିବା କିରାଲଗା ପଟିଆଓରାର ରେଶ୍ମା ମାଝୀଙ୍କୁ ଦିଲ୍ଲୀ ମୋତିନଗରରୁ, ଧରୁଆଡ଼ିହି ଥାନା ବିରିବିରା ଗ୍ରାମର ସୁସାନୀ ଟପ୍ନୋଙ୍କୁ ଆଗ୍ରାରୁ ଓ ବଡ଼ ଭଉଣୀ ଗ୍ଲୋରିଆ ଟପ୍ନୋଙ୍କୁ ଦିଲ୍ଲୀ ଅଶୋକ ବିହାରରୁ ସୁନ୍ଦରଗଡ଼ ପୁଲିସ୍‌ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର