ଦାଦନ ଦୁଃଖ : ୨୫ ଦିନ ପରେ ଶବ ଫେରିଲା

ରାଜନଗର : ରାଜନଗର ବ୍ଲକ ବନ୍ଧପଡା ପଞ୍ଚାୟତ ମଧୢପଡା ଗାଁର ବାମନ ଚରଣ ଜେନାଙ୍କ ସାନପୁଅ ଦେବାଶିଷ(୨୫)ଙ୍କ ଦୁବାଇରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା। ମୃତ୍ୟୁର ୨୫ଦିନ ପରେ ଶବ ଗାଁକୁ ଫେରିଛି। ଗତମାସ ୧୪ ତାରିଖ ରାତି ୧୧ଟା ବେଳେ ଦେବାଶିଷଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ସହ ରହୁଥିବା ଯୁବକ ଓ ସେ କାମ କରୁଥିବା କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିଲା। ଫଳରେ ଦେବାଶିଷଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ପରିବାର ଲୋକଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଦେବାଶିଷ ଦୁଇ ବର୍ଷ ହେଲା ଦୁବାଇର ‘ବେଭାର ଗଲ୍ଫ କ˚ଟ୍ରାକ୍ଟିଙ୍ଗ୍‌ ଏଲଏଲସି’ କମ୍ପାନୀରେ କାମ କରୁଥିଲେ। ସେଠାରେ ତାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା। ଚଳିତମାସ ୩ ତାରିଖ ଦିନ ଘରକୁ ଆସିବା ପାଇଁ ବିମାନ ଟିକେଟ୍‌ ବୁକି˚ ସରିଥିଲା। ମାତ୍ର ଦେବାଶିଷଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଥିଲା। ଦେବାଶିଷ ଅନ୍ୟ ରାଜ୍ୟର ୫ଜଣଙ୍କ ସହ ଗୋଟିଏ ଜାଗାରେ ରହୁଥିଲେ। ତାଙ୍କର କିପରି ମୃତ୍ୟୁ ଘଟିଲା, ନାଁ ତା ସହ ରହୁଥିବା ଯୁବକ ମାନେ କୌଣସି କାରଣରୁ ତାକୁ ହତ୍ୟା କରିଥିଲେ ସେ ନେଇ ସନ୍ଦେହ ପ୍ରକାଶ ପାଇଥିଲା।

ଦେବାଶିଷଙ୍କ ମୃତଦେହ ଫେରାଇ ଆଣିବା ପାଇଁ ବାପା ଓ ମା’ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଥିଲେ। ପୂର୍ବତନ ସାଂସଦ ଶ୍ରୀ ପଣ୍ଡା ମଧ୍ୟ ଭାରତ ସରକାରଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ ପତ୍ର ଲେଖିଥିଲେ। ଶେଷରେ ୨୫ଦିନ ପରେ ମୃତ ଦେବାଶିଷଙ୍କ ମୃତଦେହ ଆଜି ଗାଁରେ ପହଁଚିଛି।

ସମ୍ବନ୍ଧିତ ଖବର