ତେଲେଙ୍ଗାନାରେ ବନ୍ଧା ପଡ଼ିଛନ୍ତି ୪୦ ଶ୍ରମିକ : ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନଠାରେ ଗୁହାରୀ

ଘଣ୍ଟାପଡା : ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା କଲରାକୋଠା ଗ୍ରାମର ୧୨ ଜଣ ଏବଂ ସେମାନଙ୍କ ୨୮ ଜଣ ସଂପର୍କୀୟ ସହ ୪୦ ଜଣ ବାଉଁ କାରିଗର ଗତ ଡିସେମ୍ବର ମାସରେ ପାଇକମାଲ ବଡ଼ତୁଣ୍ଡା ଗାଁର ଚନ୍ଦ୍ର ନାମକ ଜଣେ ସର୍ଦ୍ଦାର ସହାୟତାରେ ନିଜର କୌଳିକ ବୃ୍ତ୍ତି ଛାଡ଼ି ଅର୍ଥ ଲୋଭରେ ଇଟା ଗଢ଼ିବାକୁ ତେଲେଙ୍ଗାନାର ପଇଦାପଲ୍ଲୀ ଜିଲ୍ଲା ରାଘବପୁର ନିକଟସ୍ଥ ଗୌରବାଡ଼ିକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ମାଲିକର ଅକଥନୀୟ ନିର୍ଯାତନା ଦେଇଥିଲା। ଏହା ଖାଇବାକୁ ଦେଇ ବିନା ମଜୁରିରେ କାମ କରାଇବା ସହ ସେମାନଙ୍କ ଉପରେ ଅଗ୍ରିମ ରହିଥିବା ଟଙ୍କା ଶେଷ ପର୍ଯ୍ୟନ୍ତ କାମ କରିବାକୁ କହି ସମସ୍ତଙ୍କୁ ଜୋର୍‌ ଜବରଦସ୍ତ କାମରେ ଖଟାଯାଉଥିଲା। ଏ ଖବର ସେମାନଙ୍କ ପରିବାର ଲୋକେ ପାଇବା ପରେ ଉଦ୍ଧାର ପାଇଁ ତତ୍ପର ହୋଇଥିଲେ। ଇଟାଭାଟି ମାଲିକର ନିର୍ଯାତନା ସହିନପାରି ସେଠାରେ କାମ କରୁଥିବା ଜଣେ ଶ୍ରମିକ ଜନକ କୁମରିଆ ଆହତ ଅବସ୍ଥାରେ ଇଟାଭାଟିରୁ ଫେରାର୍‌ ମାରି ଗତ ଫେବ୍ରୁଆରି ୨ ତାରିଖରେ ଗାଁରେ ପହଞ୍ଚିଥିଲା। ଜନକଠାରୁ ସମସ୍ତ ଘଟଣା ଶୁଣିବା ପରେ ସେମାନଙ୍କ ପରିବାର ଲୋକେ ସେମାନଙ୍କୁ ଶୀଘ୍ର ଉଦ୍ଧାର କରିବା ପାଇଁ ଗତ ୧୧ ତାରିଖରେ କଣ୍ଟାମାଳ ସଦର ବ୍ଲକ୍‌ ହେଡକ୍ୱାଟରଠାରେ ଅନୁଷ୍ଠିତ ଜନ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଜିଲ୍ଲା ଶ୍ରମ ଅଧିକାରଙ୍କୁ ନିର୍ଦ୍ଦେଶ ଦିଆଯାଇ ବନ୍ଧା ପଡ଼ିଥିବା ଲୋକଙ୍କୁ ଉଦ୍ଧାର ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅଭିଯୋଗର ଏକ ମାସ ପରେ ବି ସେମାନଙ୍କ ପରିବାର ଫେରିଲେ ନାହିଁ ବୋଲି ପ୍ରତାପ ମାହାର ଅଭିଯୋଗ କରିବା ସହ ବନ୍ଧା ପଡ଼ିଥିବା ପରିବାରକୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି। ଏହି ଶ୍ରମିକଙ୍କ ଉଦ୍ଧାର ନେଇ ବୌଦ୍ଧ ଜିଲ୍ଲା ଶ୍ରମିକ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବାରୁ ଏ ସଂପର୍କରେ ଆମେ ରାଜ୍ୟ ଶ୍ରମ କମିସନରଙ୍କ ଦୃଷ୍ଟି ଆକର୍ଷଣ କରିଛୁ ବୋଲି ଜଣେ ଅଧିକାରୀ କହିଥିଲେ। ନିଜ ପରିବାରଙ୍କୁ ତୁରନ୍ତ ଭିଟାମାଟିକୁ ଫେରାଇ ଆଣିବା ପାଇଁ ପରିବାର ପକ୍ଷରୁ ପ୍ରତାପ ମାହାର, ଖଗେଶ୍ୱର ମାହାର, ଯୋଗିନ୍ଦ୍ର ବାରିକ ପ୍ରମୁଖ ଆଜି ଫାକ୍ସ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର