ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ବହି ଛପା ଦୁର୍ନୀତି : ସିଣ୍ଡିକେଟ୍‌ କମିଟିକୁ ତଦନ୍ତ ଦାୟିତ୍ୱ

ବୁର୍ଲା : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦୂରନିରନ୍ତର ଶିକ୍ଷା ବିଭାଗ (ଡିଡିସିଇ)ରେ ୨୦୧୫-୧୬ ଶିକ୍ଷାବର୍ଷରେ ହୋଇଥିବା ବହି ଛପା ଦୁର୍ନୀତି ଘଟଣାର ତଦନ୍ତ କରିବ ଉଚ୍ଚସ୍ତରୀୟ ସିଣ୍ଡିକେଟ୍‍ କମିଟି। ପ୍ରଶାସନିକ କାର୍ଯ୍ୟାଳୟ ଠାରେ ଗତ ଜୁନ ୨୫ ଓ ୨୬ ତାରିଖ କୁଳପତି ପ୍ରଫେସର ଦୀପକ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଣ୍ଡିକେଟ୍‍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଦୁଇ ଜଣିଆ ତଦନ୍ତ କମିଟିକୁ ଏହି ଦାୟିତ୍ୱ ଦିଆଯାଇଛି। ସିଣ୍ଡିକେଟ୍‍ ସଭ୍ୟ ପ୍ରଫେସର ଅଶୋକ ଦାଶ ଏବଂ ବିଶ୍ୱବିଦ୍ୟାଳୟ ବିତ୍ତ ନିୟନ୍ତ୍ରକ ନରେନ୍ଦ୍ର ମେହେର ଏହି ତଦନ୍ତ କମିଟିରେ ରହିଛନ୍ତି।

ଡିଡିସିଇ ବହି ଛପା ଦୁର୍ନୀତି ସାମନାକୁ ଆସିବା ପରେ କୁଳପତି ପ୍ରଫେସର ବେହେରା ଡିଡିସିଇର ବର୍ତ୍ତମାନର ନିର୍ଦ୍ଦେଶକ ପ୍ରଫେସର ପ୍ରମିଳା ମିଶ୍ରଙ୍କୁ ଘଟଣା ସମ୍ପର୍କିତ ଏକ ପ୍ରାଥମିକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ଜୁନ ୨୪ରେ କୁଳପତିଙ୍କୁ ଉକ୍ତ ରିପୋର୍ଟ ଦିଆଯାଇଥିବା ବେଳେ ଉକ୍ତ ପ୍ରାଥମିକ ରିପୋର୍ଟ ଆଧାରରେ ସିଣ୍ଡିକେଟ କମିଟି ତଦନ୍ତ କରିବ ବୋଲି ଜଣାଯାଇଛି।

ଡିଡିସିଇର ଅନ୍‍ କ୍ୟାମ୍ପସରେ ଚାଲିଥିବା ମାତ୍ର ୮ଟି ପାଠ୍ୟକ୍ରମ ପାଇଁ ଗତ ୨୦୧୫-୧୬ ଶିକ୍ଷାବର୍ଷରେ ପ୍ରାୟ ଦେଢ କୋଟିର ବହି ଛପାଯାଇଥିଲା। ଛପା ହୋଇଥିବା ବହିର ମାତ୍ର ୫ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଇଥିବା ବେଳେ ୯୫ ପ୍ରତିଶତ ବହି ବର୍ତ୍ତମାନ ବିଭାଗର ଏକ କୋଣରେ ପଡ଼ି ପଡ଼ି ଖତ ଖାଉଛି। ଅନ୍‍ କ୍ୟାମ୍ପସ ଡିପ୍ଲୋମା ସାର୍ଟିଫିକେଟ ଇନ୍‍ ଇଣ୍ଡଷ୍ଟ୍ରିଆଲ୍‍ କେମେଷ୍ଟ୍ରି, ଡିପ୍ଲୋମା ଇନ୍‍ ଜର୍ନାଲିଜମ୍‍ ଏଣ୍ଡ ମାସ୍‍ କମ୍ୟୁନିକେସନ୍‍, ରିମୋଟ ସେନସିଂ ଭଳି ମୋଟ ୮ଟି ପାଠ୍ୟକ୍ରମ ବିଶ୍ୱବିଦ୍ୟାଳୟ ଡିଡିସିଇ ଅଧୀନରେ ରହିଛି। ପାଠ୍ୟକ୍ରମ ଗୁଡିକର ଅବଧି ଗୋଟିଏ ବର୍ଷ। ବର୍ତ୍ତମାନ ଉକ୍ତ ୮ଟି ପାଠ୍ୟକ୍ରମରେ ୫୦ରୁ ମଧ୍ୟ କମ୍‍ ଛାତ୍ରଛାତ୍ରୀ ପଢୁଛନ୍ତି। ପ୍ରତି ପାଠ୍ୟକ୍ରମରେ ୫ରୁ୬ଟି ବିଷୟ ରହିଥିବା ବେଳେ ପ୍ରତି ବିଷୟ ୫ ଶହରୁ ଅଧିକ ବହି ଛପା ଯାଇଛି। ଦିଲ୍ଲୀସ୍ଥିିତ ବିକାଶ ପବ୍ଲିକେସନ୍‍ ଓ ଭୁବନେଶ୍ୱରର ହିମାଳୟ ପବ୍ଲିକେସନ ଦ୍ୱାରା ଉକ୍ତ ବହି ଛପା ଯାଇଛି। ଯେତେ ପରିମାଣରେ ବହି ଛପା ଯାଇଛି ତାହାର କୌଣସି ଆବଶ୍ୟକତା ନଥିବା ବେଳେ ଆସନ୍ତା ୫୦ ବର୍ଷ ପର୍ଯ୍ୟନ୍ତ ଉକ୍ତ ପାଠ୍ୟକ୍ରମ ପାଇଁ ଆଉ ବହିର ଆବଶ୍ୟକତା ପଡିବ ନାହିଁ। ଯେତେ ପରିମାଣର ବହି ଛପା ଯାଇଛି ତାହା ସ୍ଥାନୀୟ ମାର୍କେଟରେ ଛପା ଯାଇଥିଲେ ଅତି ବେଶିରେ ଦେଢରୁ ଦୁଇ ଲକ୍ଷ ବ୍ୟୟରେ ଛପା ଯାଇ ପାରିଥାନ୍ତା। ମାତ୍ର କାହା ସ୍ୱାର୍ଥରେ ଓ କାହାକୁ ଲାଭ ଦେବାକୁ ବିଶ୍ୱବିଦ୍ୟାଳୟର ଦେଢ କୋଟି ଟଙ୍କାର ଅପବ୍ୟବହାର ହୋଇଛି ତାହା ତଦନ୍ତ ସାପେକ୍ଷ। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଏନ୍‍ଏସ୍‍ଏସ୍‍ ମହାଦୁର୍ନୀତି ପରେ ଏହା ଆଉ ଏକ ବଡ଼ ଦୁର୍ନୀତିକୁ ଇଙ୍ଗିତ କରୁଛି।

ସମ୍ବନ୍ଧିତ ଖବର