ପାଠପଢ଼ା ପୂର୍ବରୁ ପହଞ୍ଚିବ ବହି : ବ୍ଲକ ଓ ଜିଲ୍ଲାସ୍ତରରେ ପହଞ୍ଚିସାରିଛି ମାଗଣା ପାଠ୍ୟପୁସ୍ତକ, ଛୁଟିରେ ପଢ଼ିବାକୁ ପରାମର୍ଶ ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର : ନୂଆ ଶିକ୍ଷାବର୍ଷ ପୂର୍ବରୁ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଦିଆଯିବ। କରୋନା ଭୂତାଣୁ ଯୋଗୁଁ ବଣ୍ଟନରେ ବିଳମ୍ବ ହୋଇଥିଲେ ମଧ୍ୟ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ପୂର୍ବରୁ ପିଲାଙ୍କ ପାଖରେ ବହି ପହଞ୍ଚିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସ୍କୁଲ, କଲେଜ ଛୁଟି ଥିବା ବେଳେ ଛାତ୍ରଛାତ୍ରୀଙ୍କୁ ବାର୍ତା ଦେଇ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଏଭଳି ଏକ ସମୟରେ ଆପଣମାନେ ପାଠପଢ଼ୁଥିବେ ବୋଲି ମୋର ଆଶା ଓ ବିଶ୍ବାସ। ଆସନ୍ତା ୩ ମାସ ପାଇଁ ପିଲାମାନଙ୍କୁ ମଧ୍ୟାହ୍ନଭୋଜନ ଦିଆଯାଇଛି। ଜୁନ୍‌ ୧୫ରୁ ପୁଣିଥରେ ମଧ୍ୟାହ୍ନଭୋଜନ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହେବ। ଇତିମଧ୍ୟରେ ସରକାରଙ୍କ ପକ୍ଷରୁ ବଣ୍ଟନ ହେଉଥିବା ମଗଣା ପାଠ୍ୟପୁସ୍ତକ ଜିଲ୍ଲାସ୍ତରରେ ପହଞ୍ଚିସାରିଛି। କରୋନା ଭୂତାଣୁ ସଂକ୍ରମଣ ସାମାନ୍ୟ କମିବା କ୍ଷଣି ପିଲାଙ୍କ ପାଖରେ ବହି କିଭଳି ପହଞ୍ଚିବ ସେଥିପ୍ରତି ବିଭାଗ ଗୁରୁତ୍ବାରୋପ କରୁଛି। ଯେକୌଣସି ପ୍ରକାରେ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ପିଲାଙ୍କ ନିକଟରେ ମାଗଣା ବହି ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଫଳରେ ସେମାନଙ୍କୁ ପଢ଼ିବା ଲାଗି ସୁବିଧା ହେବ। ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାତିଲ୍‌ ହୋଇଛି। ଗୋଟିଏ ବିଷୟର ପରୀକ୍ଷାକୁ ଛାଡ଼ି ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସମସ୍ତ ପରୀକ୍ଷା ଶେଷ ହୋଇଯାଇଛି। ଉକ୍ତ ଗୋଟିଏ ବିଷୟ ପରୀକ୍ଷା କରାଯିବ କି ନାହିଁ ସେସମ୍ପର୍କରେ ବିଭାଗ ଚିନ୍ତା କରୁଛି। ଏବେ ସ୍କୁଲ ଛୁଟି ରହିଥିବାରୁ ପିଲାମାନେ ପାଠପଢ଼ା ପ୍ରତି ଅଧିକ ଗୁରୁତ୍ବ ଦେବା ଆବଶ୍ୟକ। ଘରେ ରହି ପଢ଼ନ୍ତୁ। ପୁରୁଣା ପାଠକୁ ବାରମ୍ବାର ଅଭ୍ୟାସ କରିବା ସହ ଆଗକୁ କ’ଣ ପଢ଼ାଯିବ ସେଥିପ୍ରତି ଧ୍ୟାନ ଦେବାକୁ ମନ୍ତ୍ରୀ ଶ୍ରୀ ଦାଶ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ସ˚ସ୍ଥା ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍ଲକ ଓ ପୌରାଞ୍ଚଳକୁ ପାଠ୍ୟପୁସ୍ତକ ପଠାଯାଇ ସାରିଛି। ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ୨ କୋଟି ୬୦ ଲକ୍ଷ ପୁସ୍ତକ ଆବଶ୍ୟକ। ସେଥିମଧ୍ୟରୁ ଫେବ୍ରୁଆରି ସୁଦ୍ଧା ୨ କୋଟି ୫୩ ଲକ୍ଷ ପାଠ୍ୟପୁସ୍ତକ ସବୁ ଜିଲ୍ଲାକୁ ବିତରଣ କରାଯାଇଛି। ଏଥିସହ ୨୧ ଲକ୍ଷ ଉଜ୍ଜ୍ବଳ ଓ ଉତ୍‌ଥାନ ପୁସ୍ତକ ମଧ୍ୟ ରାଜ୍ୟର ବିଭିନ୍ନ ବ୍ଲକରେ ପହଞ୍ଚି ସାରିଛି। ମାର୍ଚ୍ଚ ୩୧ ସୁଦ୍ଧା ସ୍କୁଲସ୍ତରରେ ସମସ୍ତ ଆବଶ୍ୟକୀୟ ପାଠ୍ୟପୁସ୍ତକ ବିତରଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ତେବେ କରୋନା ଯୋଗୁଁ ତାହା ପ୍ରଭାବିତ ହୋଇଛି। ଏପ୍ରିଲ ୩ରୁ ଆରମ୍ଭ ହେବାକୁ ଥିବା ୨୦୨୦-୨୧ ଶିକ୍ଷାବର୍ଷକୁ ସ୍ଥଗିତ ରଖାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ହେବାକୁ ଥିବା ପ୍ରବେଶ ଉତ୍ସବ ବାତିଲ୍‌ ହୋଇଛି। କୌଣସି ପ୍ରକାର ସଚେତନତା କି ଶୋଭାଯାତ୍ରା କାର୍ଯ୍ୟକ୍ରମ ହେବ ନାହିଁ। ଏପ୍ରିଲ ୯ରେ ସମସ୍ତ ବିଦ୍ୟାଳୟରେ ହେବାକୁ ଥିବା ପୂର୍ଣ୍ଣ ଉପସ୍ଥାନ ଦିବସକୁ ବି ବାତିଲ୍‌ କରାଯାଇଛି।

ସମ୍ବନ୍ଧିତ ଖବର