୩୦ ହଜାର କିସ୍‌ ଛାତ୍ରଛାତ୍ରୀଙ୍କ ଘରକୁ ଗଲା ଖାଦ୍ୟ ଓ ପାଠ୍ୟ ଉପକରଣ

ଚନ୍ଦ୍ରଶେଖରପୁର : କରୋନା ମହାମାରୀ ପାଇଁ ତାଲାବନ୍ଦ ଚାଲିଥିବାରୁ ରାଜ୍ୟର ବୃହତ୍‌ ଆବାସିକ ଶିକ୍ଷାନୁ‌ଷ୍ଠାନ ‘କିସ୍’ର ୩୦ ହଜାର ଆଦିବାସୀ ଛାତ୍ରଛାତ୍ରୀ ଏବେ ନିଜ ନିଜ ଘରେ ରହି ପଢ଼ୁଛନ୍ତି। କିନ୍ତୁ ଏହି ସମୟରେ ମଧ୍ୟ ବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଅନ୍‌ଲାଇନ୍ ଓ ମୋବାଇଲ୍ ଫୋନ୍‌ ଯୋଗେ ଶିକ୍ଷାଦାନ ଜାରି ରହିଛି। ତେବେ ବହୁ ଛାତ୍ରଛାତ୍ରୀମାନଙ୍କ ପାଖରେ ବଦଳିଥିବା ନୂତନ ପାଠ୍ୟପୁସ୍ତକ ପହଞ୍ଚି ପାରିନାହିଁ। ତେଣୁ ପାଠପଢ଼ାରେ କିଛି ପିଲା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିଭଳି ବହୁ ଗରିବ ଛାତ୍ରଛାତ୍ରୀ ଖାତା କଲମ ଭଳି ପାଠ୍ୟପୋକରଣ ଅଭାବରୁ ସମସ୍ୟାରେ ପଡ଼ୁଛନ୍ତି। ତେଣୁ ଏହି ସମସ୍ୟା ଦୂର କରିବା ପାଇଁ ଆଜି ‘କିସ୍’ କର୍ତ୍ତୃପକ୍ଷ ପିଲାମାନଙ୍କ ନିକଟକୁ ପାଠ୍ୟ ପୁସ୍ତକ ଓ ଅନ୍ୟାନ ପାଠ୍ୟପୋକରଣ ପଠାଇଛନ୍ତି। ଏଥିସହିତ ଚୁଡ଼ା, ଚିନି, ଡାଲି, ବିସ୍କୁଟ୍ ଆଦି ଶୁଖିଲା ଖାଦ୍ୟ ସାମଗ୍ରୀ ପଠାଯାଇଛି।

ଅନୁଷ୍ଠାନର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପରାମର୍ଶକ୍ର‌େମ‌ ଆଜି ୨୫ଟି ବସ୍ ଯୋଗେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଖକୁ ଉକ୍ତ ସମସ୍ତ ସାମଗ୍ରୀ ପଠାଯାଇଛି। ଦୀର୍ଘ ୧୫ଦିନ ଧରି ଏ ନେଇ କର୍ମଚାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରସ୍ତୁତି ଚଳାଇଥିଲେ। ଅନୁଷ୍ଠାନର ସଂପାଦକ ଆର୍.ଏନ୍.ଦାଶ, ସିଇଓ ପ୍ରଶାନ୍ତ ରାଉତରାୟ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଆଜି ବସ୍ ଗୁଡ଼ିକ ଯାତ୍ରା କରିଛନ୍ତି ଓ ସନ୍ଧ୍ୟା ସୁଦ୍ଧା ବହୁ ପିଲାଙ୍କ ନିକଟରେ ସମସ୍ତ ସାମଗ୍ରୀ ପହଞ୍ଚି ସାରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର