ଉଦୟପୁର ରାସ୍ତାରେ ପଶ୍ଚିମବଙ୍ଗର ବେଆଇନ ଫଳକ : ‘୧୫ ଦିନରେ ତୁମେ ହଟାଅ, ନଚେତ୍‌ ଆମେ ହଟାଇବୁ’

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅଧୀନ ଉଦୟପୁର ବେଳାଭୂମି ରାସ୍ତାରେ ପଶ୍ଚିମବଙ୍ଗ ସରକାରଙ୍କ ସୂଚନା ଫଳକ ବେଆଇନ ଭାବେ ଲଗାଯାଇଛି। ୧୫ ଦିନ ଭିତରେ ଏହି ଫଳକକୁ ହଟାଇବାକୁ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖାଯିବ। ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସେହି ଫଳକକୁ ହଟାଇ ଦିଆଯିବ।

ଆଜି ସଚିବାଳୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଥିଲା। ମନ୍ତ୍ରୀ ଶ୍ରୀ ମହାନ୍ତି କହିଥିଲେ ଯେ ଉଦୟପୁର ବେଳାଭୂମିକୁ ଯାତାୟାତ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ନିର୍ମିତ ରାସ୍ତା ପାର୍ଶ୍ୱରେ ପଶ୍ଚିମବଙ୍ଗ ସରକାରଙ୍କ ଜଳସେଚନ ଓ ଜଳସଂପଦ ବିଭାଗ ପକ୍ଷରୁ ଲଗାଯାଇଥିବା ବେଆଇନ ସୂଚନା ଫଳକରେ ଦୀଘା ବେଳାଭୂମି ଲେଖାଯାଇଛି। ବୈଠକରେ ଯୋଗଦେଇ ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ପଶ୍ଚିମବଙ୍ଗ ସରକାରଙ୍କ ଏଭଳି କାର୍ଯ୍ୟକଳାପକୁ ନିନ୍ଦା କରିଥିଲେ।

ରାଜସ୍ୱ ମନ୍ତ୍ରୀ କହିଥିଲେ, ଓଡ଼ିଶାର ଜାଗା ଉପରେ ପଶ୍ଚିମବଙ୍ଗ ସରକାର ଏଭଳି ସୂଚନା ଫଳକ ଲଗାଇ ଜନସାଧାରଣଙ୍କୁ ଭ୍ରମିତ କରିବାକୁ ଉଦ୍ୟମ କରୁଛନ୍ତି। ଏହି ସୂଚନା ଫଳକକୁ ୧୫ ଦିନ ମଧ୍ୟରେ ଉଠାଇ ନନେଲେ, ଜିଲ୍ଲା ପ୍ରଶାସନ ଦ୍ୱାରା ଆଇନ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ୨୦୧୬ରେ ଉପ ଜିଲ୍ଲାପାଳଙ୍କ ସ୍ତରରେ ଅନୁଷ୍ଠିତ ବୈଠକର ନିଷ୍ପତ୍ତି ଅନୁଯାୟୀ ସୀମା ବିବାଦର ସମାଧାନ ପାଇଁ ଯୁଗ୍ମ ସୀମା ନିର୍ଧାରଣ କମିଟିର କାର୍ଯ୍ୟକୁ ତ୍ୱରାନ୍ଵିତ କରିବାକୁ ସେ ପରାମର୍ଶ ଦେଇଥିଲେ।

ବୈଠକର ନିଷ୍ପତ୍ତି ଅନୁଯାୟୀ ନିଜର ସ୍ଥିତି ଜାହିର କରିବା ସହିତ ଭବିଷ୍ୟତରେ ଯେପରି କୌଣସି ବିବାଦ ସୃଷ୍ଟି ନହୁଏ ସେହି ଉଦ୍ଦେଶ୍ୟରେ ଓଡ଼ିଶା ସୀମାରେ ଏକ ଫାଟକ ବସାଇବା, ସେହି ସ୍ଥାନରେ ଭିତ୍ତିଭୂମିର ବିକାଶ ଓ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ଉଦୟପୁରରେ ବିଭାଗ ତରଫରୁ ରାଜସ୍ୱ ବଙ୍ଗଳା ସ୍ଥାପନ କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ବିଭାଗୀୟ ପ୍ରମୁଖ ସଚିବ ଡ. ଚନ୍ଦ୍ରଶେଖର କୁମାର, ଅତିରିକ୍ତ ପୁଲିସ୍‌ ମହାନିର୍ଦେଶକ(ଆଧୁନିକୀକରଣ) ବିନୟତୋଷ ମିଶ୍ର, ଆଇଜି ଅମିତାଭ ଠାକୁର, ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ, ଏସ୍‌ପି ବି.ଯୁଗଳକିଶୋର ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର