୨ ଗାଁ ମଧ୍ୟରେ ବିବାଦ : ମଶାଣିରେ ୨୦ ଘଣ୍ଟା ପଡ଼ିରହିଲା ଶବ

ଅସ୍ତରଙ୍ଗ : ଗୋଟିଏ ଅନାବାଦୀ ଜାଗାକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ ଯୋଗୁ ଜଣେ ବୃଦ୍ଧାଙ୍କ ଶବ ୨୦ ଘଣ୍ଟା ଧରି ପଡ଼ି ରହିବା ଭଳି ଘଟଣା ଦେଖିବାକୁ ମିଳିଛି। ପୁଲିସ୍‌ ଓ ପ୍ରଶାସନର ହସ୍ତକ୍ଷେପ ପରେ ଶବ ସିନା ଦାହ କରାଯାଇଛି, ଏହି ଘଟଣାକୁ କେନ୍ଦ୍ରକରି ଏକ ବଡ଼ ଧରଣର ଗଣ୍ଡଗୋଳ ହୋଇଛି। ପୁଲିସ୍‌ ଉପରକୁ ପାଣି ମାଡ଼ ସହିତ ଏହି ଘଟଣାରେ ୫ ଜଣ ମହିଳା ଆହତ ହୋଇଛନ୍ତି।

ଅସ୍ତରଙ୍ଗ ବ୍ଳକ୍‌ କୋରଣା ପଞ୍ଚାୟତ ଛେଳିଗୁହାଳୀ ଗ୍ରାମରେ ଏହି ଘଟଣା ଘଟିଛି। ଏକ ଅନାବାଦୀ ତଥା ସରକାରୀ ଜାଗାକୁ ଉଭୟ ଛେଳିଗୁହାଳୀ ଓ କଣ୍ଟେଇମୁଣ୍ଡଳୀ ଗାଁ ମଧ୍ୟରେ ବିବାଦ ଥିଲା। ଉଭୟ ଗ୍ରାମବାସୀ ଏହି ଜାଗାକୁ ବ୍ୟବହାର କରୁଥିବା ବେଳେ ଛେଳିଗୁହାଳୀ ଗ୍ରାମବାସୀ ଏହାର କିଛି ସ୍ଥାନକୁ ଶ୍ମଶାନ ଭାବେ ବ୍ୟବହାର କରୁଥିଲେ। ଏହିଭଳି ବିବାଦ ଲାଗି ରହିଥିବାବେଳେ ଗତକାଲି ଛେଳିଗୁହାଳୀ ଗ୍ରାମରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା। ଶବ ଦାହକୁ ଅନ୍ୟ ଗାଁ ଲୋକ ବିରୋଧ କରିବାରୁ ଏହା ଶବ ୨୦ ଘଣ୍ଟା ରାସ୍ତାରେ ପଡ଼ି ରହିଥିଲା। ଆଜି ବିବାଦୀୟ ସ୍ଥାନର ଗୋଟିଏ ପାର୍ଶ୍ୱରେ ପୁଲିସ ଓ ପ୍ରଶାସନ ଉପସ୍ଥିତିରେ ଶବଦାହ କରିବାକୁ ସ୍ଥିର ହୋଇଥିଲା। କିନ୍ତୁ ବିରୋଧ କରଥିବା ଲୋକମାନେ ଜୁଇ ଜଳିବା ପରେ ନିଆଁ ଲିଭାଇବାକୁ ପହଞ୍ଚିଥିଲେ। ଏହି ସମୟରେ ପୁଲିସ୍‌ ବିପକ୍ଷଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇ ପ୍ରାୟ ୫ ଜଣ ହରିଜନ ମହିଳା ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର