ଖାଁ ଖାଁ ଲାଗୁଛି ଆହାର କେନ୍ଦ୍ର, ବଳି ଯାଉଛି ରନ୍ଧା ଖାଦ୍ୟ

ବୌଦ୍ଧ: ରାଷ୍ଟ୍ର ବ୍ୟାପି କରୋନା ପ୍ରତିରୋଧ ନେଇ ଲକଡାଉନ ଆଜି ୩ୟ ଦିନ ଧରି ଜାରି ରହିଛି। ଜିଲ୍ଲାପ୍ରଶାସନର ନିର୍ଦେଶ ପରେ କରୋନା କଟକଣା ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଶକ୍ତ ହେବା ପରେ ପ୍ରଥମ ଦୁଇ ଦିନ ଅପେକ୍ଷା ଲକଡାଉନର ତୃତୀୟ ଦିନରେ ବୌଦ୍ଧ ଜିଲ୍ଲାରେ ଏହାର ଗଭୀର ପ୍ରଭାବ ଦେଖିବାକୁ ମିଳିଛି। ଲୋକେ ଖୋଦ ସଚେତନ ହେବା ସହ ସହରର ବିଭିନ୍ନ ସାହି ଗାଁ ରାସ୍ତାକୁ ବନ୍ଦ କରି ଲୋକଙ୍କ ଯାତାୟାତ ବନ୍ଦ କରିଦେଇଛନ୍ତି। ସମଗ୍ର ଜିଲ୍ଲାରେ ସହର ଠାରୁ ଗାଁ ପର୍ଯ୍ୟନ୍ତ ରାସ୍ତା ଗୁଡିକ ଖାଁ ଖାଁ ହୋଇଛି। ଅପରପକ୍ଷେ ଲକଡାଉନର ପ୍ରଭାବରେ ପଡିଛି ରାଜ୍ୟସରକାରଙ୍କ ଦ୍ୱାରା ପ୍ରଚଳିତ ଆହାର କେନ୍ଦ୍ରରେ। ପୂର୍ବରୁ ଶହ ଶହ ଲୋକଙ୍କ ଭିଡରେ ଚଳଚଂଚଳ ଥିବା ବୌଦ୍ଧ ଆହାର କେନ୍ଦ୍ରରେ ଗତ ତିନି ଦିନରୁ କାଁ ଭାଁ ଲୋକଙ୍କୁ ଦେଖିବାକୁ ମିଳୁଛି।

ଦୈନିକ ଏହି କେନ୍ଦ୍ରରେ ଦିନ ବେଳା ୫ଶହ ରାନ୍ଧଖାଦ୍ୟ ପ୍ରସ୍ତୁତ ହୋଇଥାଏ। ତେବେ ଲକଡାଉନର ପ୍ରଥମ ଦିନ ଓ ଦ୍ଵିତୀୟ ଦିନରେ ପ୍ରାୟ ଅଢେଇ ଶହ ଜଣଙ୍କ ଖାଦ୍ୟ ବଳି ଯାଇଥିଲା। ତେଣୁ ଦୁଇ ଦିନ ଧରି କେନ୍ଦ୍ର ପରିଚାଳକ ଜିଲ୍ଲାର ସ୍ୱାଧ୍ୟାର ଗୃହକୁ ବଳକା ଖାଦ୍ୟ ପହଞ୍ଚିଥିଲେ। ଶୁକ୍ରବାର ୫ଶହ ପରିବର୍ତ୍ତେ ମାତ୍ର ୩ଶହ ଜଣଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଇଥିବା ବେଳେ ଆଜି ମାତ୍ର ଦେଢ଼ ଶହ ଲୋକ ଖାଇଥିବା ଜଣାଯାଇଛି। ବୌଦ୍ଧ ମୁଖ୍ୟ ଡାକ୍ତରଖାନା ନିକଟରେ ଏହି ଆହାର କେନ୍ଦ୍ର ରହିଛି। ଡାକ୍ତରଖାନାକୁ ଦୈନିକ ଆସୁଥିବା ରୋଗୀ ପରିଜନ କେନ୍ଦ୍ର ଉପରେ ନିର୍ଭର କରନ୍ତି। ତେବେ ଲକ ଡାଉନ କାରଣରୁ ଡାକ୍ତରଖାନାକୁ ଆସୁଥିବା ରୋଗୀ ସଂଖ୍ୟା କମି ଯିବା ପରେ ଏଭଲି ସ୍ଥିତି ହୋଇଥିବା କୁହାଯାଉଛି। ତେବେ ଦୈନିକ ରାତି ବେଳା ଆହାର କେନ୍ଦ୍ରରେ ଶହେ ଜଣଙ୍କ ରନ୍ଧା ଖାଦ୍ୟ ତିଆରି ହୁଏ ଏବଂ ଠିକ ଭାବେ ତାହା ସରୁଥିବା ଜଣାଯାଇଛି। ତେବେ ଲକଡାଉନ ଭଳି ଘଡିସନ୍ଧି ସମୟରେ ଅଭାବ ଅସୁବିଧାରେ ଚଳୁଥିବା ସହରରର ଗରିବ ଓ ଖଟିଖିଆ ପରିବାରକୁ ନିଶୁଳ୍କରେ ଆହାର କେନ୍ଦ୍ରରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଗଲେ ସେମାନେ ଉପକୃତ ହେବେ ବୋଲି ସଚେତନ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର