ବଲାଙ୍ଗୀରରେ ପ୍ରତିଷ୍ଠା ହେବ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ୍‌

ଭୁବନେଶ୍ୱର : ତୈଳ ମନ୍ତ୍ରଣାଳୟ ଅଧୀନ ମହାରତ୍ନ କମ୍ପାନି ଭାରତ ପେଟ୍ରୋଲିୟମ କର୍ପୋରେସନ୍‌ ଲିମିଟେଡ୍‌ (ବିପିସିଏଲ୍‌) ପକ୍ଷରୁ ବଲାଙ୍ଗୀର ଜିଲ୍ଲା ବରକାନୀ ଗ୍ରାମରେ ଏହାର ଦ୍ୱିତୀୟ ଏଲ୍‌ପିଜି ବଟ୍‌ଲିଂ ପ୍ଲାଣ୍ଟ୍‌ ପ୍ରତିଷ୍ଠା କରାଯିିବ। ଆଜି କମ୍ପାନି ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଘୋଷଣା କରାଯାଇଛି। ପ୍ରାୟ ୨୩ ଏକର ଜମିରେ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ଲାଣ୍ଟ୍‌ ପାଇଁ ୧୦୩ କୋଟି ଟଙ୍କା ନିବେଶ କରାଯିବ। ଏହି ପ୍ଲାଣ୍ଟ୍‌ ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର ଉତ୍ପାଦନ କରିବାର କ୍ଷମତା ରଖିବ। ଚଳିତ ମାସ ୨୧ ତାରିଖରେ କେନ୍ଦ୍ର ତୈଳ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ଲାଣ୍ଟ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଥାୱର ଚାନ୍ଦ୍‌ ଗେହଲଟ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବା ନେଇ ବିପିସିଏଲ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପ୍ଲାଣ୍ଟ୍‌ ୨୦୨୦ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ପ୍ଲାଣ୍ଟ୍‌ କାର୍ଯ୍ୟକ୍ଷମ ହେବା ପରେ ବଲାଙ୍ଗୀର ସମେତ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, କଳାହାଣ୍ଡି, ସୋନପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ସୁନ୍ଦରଗଡ଼ ଏବଂ ନୂଆପଡ଼ା ଭଳି ରାଜ୍ୟର ୧୪ଟି ଜିଲ୍ଲାର ଉପଭୋକ୍ତାଙ୍କୁ ଏଲ୍‌ପିଜି ସିଲିଣ୍ଡର ସୁବିଧାରେ ଯୋଗଇ ଦିଆଯାଇ ପାରିବ ବୋଲି ବିପିସିଏଲ୍‌ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ରାଜଧାନୀ ଭୁବନେଶ୍ୱର ସମେତ ରାୟଗଡ଼ାରେ ମଧ୍ୟ ଆଉ ଦୁଇଟି ବଟ୍‌ଲିଂ ପ୍ଲାଣ୍ଟ୍‌ ସ୍ଥାପନ ହେବା ନେଇ ଆଜି ସୂଚନା ମିଳିଛି।

ରାଜ୍ୟରେ ୨୦୧୪ ଜୁନ ପହିଲାରୁ ଚଳିତ ମାସ ପହିଲା ସୁଦ୍ଧା ଏଲ୍‌ପିଜି ଉପଭୋକ୍ତାଙ୍କ ସଂଖ୍ୟା ୨୦.୨୨ ଲକ୍ଷ ରୁ ୬୨.୧୭ ଲକ୍ଷକୁ ବୃଦ୍ଧି ପାଇଛି। ବର୍ତମାନ ରାଜ୍ୟରେ ବିପିସିଏଲ୍‌ର ଉପଭୋକ୍ତା ସଂଖ୍ୟା ହେଉଛି ୧୫.୩୭ ଲକ୍ଷ। ଯେଉଁମାନେ କି ବର୍ଷକୁ ୭୮ ଲକ୍ଷ ସିଲିଣ୍ଡର ବ୍ୟବହାର କରୁଛନ୍ତି। ଏହି ସଂଖ୍ୟା ୨୦୨୦ ସୁଦ୍ଧା ୧୦୫ ଲକ୍ଷରେ ପହଞ୍ଚିବ ବୋଲି ଆଶା କରାଯାଉଛି । ବିଶେଷ କରି ପଶ୍ଚିମ ଏବଂ ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ଏଲ୍‌ପିଜି ଚାହିଦା ବୃଦ୍ଧି ପାଇଥିବାରୁ ଏକ ନୂତନ ବଟ୍‌ଲିଂ ପ୍ଲାଣ୍ଟ୍‌ ସ୍ଥାପନ କରିବାର ଆବଶ୍ୟକତା ରହିଛି। ଯୋଗାଯୋଗ ଦୃଷ୍ଟିରୁ ଐତିହାସିକ ସହର ବଲାଙ୍ଗୀରକୁ ଉପଯୁକ୍ତ ଦର୍ଶାଇ ଏଠାରେ ନୂତନ ପ୍ଲାଣ୍ଟ୍‌ ନିର୍ମାଣ କରାଯାଉଥିବା ବିପିସିଏଲ୍‌ ପକ୍ଷରୁ ପ୍ରକାଶ। ଆଜିର ସାମ୍ବାଦିକ ସମ୍ମିଳନୀରେ ବିପିସିଏଲ୍‌ର ଆଞ୍ଚଳିକ ଏଲ୍‌ପିଜି ମ୍ୟାନେଜର୍‌ (ପୂର୍ବାଞ୍ଚଳ)ଅତୁଲ କୁମାର, ମାନସ ମହାନ୍ତିି, ଦିଲ୍ଲୀପ ମଣ୍ଡଳ, ସଞ୍ଜୟ ଶର୍ମା, ଦେବାଶିଷ ପାଲିତ, ଏସ୍‌ ଏସ୍‌ ସୁନ୍ଦରରାଜନ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ବିପିସିଏଲ୍‌ର ଖୋର୍ଧାରେ ମଧ୍ୟ ଗୋଟିଏ ଏଲ୍‌ପିଜି ବଟ୍‌ଲିଂ ପ୍ଲାଣ୍ଟ୍‌ ରହିଛି। ବିପିସିଏଲ୍‌ ପାଇଁ ବଲାଙ୍ଗୀରରେ ନିର୍ମାଣ ହେବାକୁ ଯାଉଥିବା ଏହି ଏଲ୍‌ପିଜି ବଟ୍‌ଲିଂ ପ୍ଲାଣ୍ଟ୍‌ ଓଡ଼ିଶାରେ ଦ୍ୱିତୀୟ। ବାଲେଶ୍ୱର, ଝାରସୁଗୁଡ଼ା, ଖୋର୍ଦ୍ଧା ଏବଂ ଜଟଣୀରେ ଅନ୍ୟ ତୈଳ କମ୍ପାନିଗୁଡ଼ିକର ଏଲ୍‌ପିଜି ବଟ୍‌ଲିଂ ପ୍ଲାଣ୍ଟ୍‌ ରହିଛି । ଏହି ୪ଟି ଏଲ୍‌ପିଜି ବଟ୍‌ଲିଂ ପ୍ଲାଣ୍ଟ୍‌ ବାର୍ଷିକ ୨.୮୦ କୋଟି ସିଲିଣ୍ଡର ଉତ୍ପାଦନ କରରୁଛନ୍ତି।

ସମ୍ବନ୍ଧିତ ଖବର