ସବୁ ଜିଲ୍ଲାରେ ସାନି ବିପିଏଲ୍‌ ତାଲିକା ପ୍ରସ୍ତୁତ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ : ବାସ୍ତବରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କୁ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ଖାଦ୍ୟଶସ୍ୟ ମିଳୁ ନାହିଁ। ବିପିଏଲ ତାଲିକାରେ ଥିବା ଅନେକ ଧନୀକ ଶ୍ରେଣୀର ଲୋକମାନେ ଏହି ସବୁ ସୁବିଧା ହାତେଇବାରେ ସଫଳ ହେଉଛନ୍ତି। ଏପରି ପରିସ୍ଥିତିରେ ପୁରୁଣା ବିପିଏଲ୍‌ କାର୍ଡ ସବୁ ବାତିଲ କରିବା ପାଇଁ ନିର୍ଦ୍ଦେଶ ପ୍ରାର୍ଥନା କରି ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି।

ସେ ଦର୍ଶାଇଛନ୍ତି ଯେ ପ୍ରକୃତରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହୋଇ ନଥିବା ବହୁ ବ୍ୟକ୍ତି ବିପିଏଲ୍‌ ତାଲିକାରେ ସ୍ଥାନ ପାଇ କାର୍ଡ ହାସଲ କରିଛନ୍ତି। ଏପରି ହିତାଧିକାରୀ ବିଭିନ୍ନ ସରକାରୀ ଯୋଜନାର ଫାଇଦା ପାଉଥିବା ବେଳେ ଗରିବ ଲୋକମାନେ ଏସବୁରୁ ବଞ୍ଚିତ ହେଉଛନ୍ତି। ଯେଉଁ ଧନୀକ ପରିବାର ଏଭଳି ସୁବିଧା ହାସଲ କରିଛନ୍ତି ସେମାନଙ୍କଠାରୁ ଏ ବାବଦ ଅର୍ଥ ଆଦାୟ କରାଯିବା ଉଚିତ। ଏଭଳି ବ୍ୟକ୍ତିଙ୍କୁ ଆଇନ ଅନୁସାରେ ଦଣ୍ଡିତ କରାଯିବା ସହିତ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ପଦକ୍ଷେପ ଗ୍ରହଣ ଦରକାର। ଏଥି ସହ ବିପିଏଲ ତାଲିକାକୁ ରଦ୍ଦ କରାଯାଇ ଉପଯକ୍ତ ତଦନ୍ତ ପରେ ସାନି ତାଲିକା ପ୍ରକାଶ ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ୩୦ଜିଲ୍ଲାର ଜିଲ୍ଲାପାଳ ସହିତ ରାଜ୍ୟ ମୁଖ୍ୟ ଶାସନ ସଚିବ, ଆଇନ ସଚିବ, ପଞ୍ଚାୟତରାଜ ସଚିବ, ଅର୍ଥ ବିଭାଗ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର