ଭିଜିଲାନ୍ସ‌ ଜାଲରେ ବିପିଏମ୍‌, କିରାଣି

ପାତ୍ରପୁର/ବ୍ରହ୍ମପୁର : ଗତକାଲି ଏମ୍‌କେସିଜି ମେଡିକାଲର ମହିଳା ଫାମାସିଷ୍ଟ ଗିରଫ ହେବାର କେଇ ଘଣ୍ଟା ନପୂରୁଣୁ ଆଜି ଗଞ୍ଜାମ ଜିଲ୍ଲାର ୨ଜଣ କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଦୁଇଜଣ ହେଲେ, ଧରାକୋଟ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଅନୀଲ କୁମାର ଜେନା ଏବଂ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯରତ ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର(ବିପିଏମ୍‌) ନିରଞ୍ଜନ ରେଡ୍ଡି। ଦୁଇ କର୍ମଚାରୀଙ୍କୁ ଭିଜିଲାନ୍ସ ଗରିଫ କରି କୋର୍ଟଚାଲାଣ କରିଛି।

ମିଳିଥିବା ସୂଚନା ଅନୁସାରେ, କିରାଣି ଶ୍ରୀ ଜେନା ଧରାକୋଟ ବରଡାବିଲି ଉନ୍ନୀତ ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କ ଠାରୁ ୨ ହଜାର ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ସେହିଭଳି, ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ ଜରଡ଼ା ଥାନା ଅନ୍ତର୍ଗତ ପାତ୍ରପୁର ବ୍ଳକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ବିପିଏମ୍ ନିରଞ୍ଜନ ରେଡ଼ିଙ୍କୁ ଦୁଇ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଛି। ସୁରଙ୍ଗି ସାହାସପୁର ଗ୍ରାମର ବନିତା ନାୟକଙ୍କୁ ଆଶାକର୍ମୀ ନିଯୁକ୍ତି ପତ୍ର ପ୍ରଦାନ କରିବା ପାଇଁ ସେ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

ଦୁଇ କର୍ମଚାରୀଙ୍କୁ ଭିଜିଲାନ୍ସ ଗରିଫ କରି କୋର୍ଟଚାଲାଣ କରିଛି । ସେମାନଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଦୁଇ ଦିନ ୩ କର୍ମଚାରୀ ଭିଜିଲାନ୍ସ ହାତ ଧରାପଡିବା ଘଟଣା ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର