ବ୍ରହ୍ମପୁର ମେୟର ମାଧବୀଙ୍କ ସଭ୍ୟପଦ ରଦ୍ଦ

ବ୍ରହ୍ମପୁର: ମିଥ୍ୟା ସତ୍ୟପାଠ ଦେଇଥିବାରୁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ମେୟର କେ.ମାଧବୀଙ୍କ ସଭ୍ୟପଦକୁ ଆଜି ଗଞ୍ଜାମ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି। ଗତ ତିନି ବର୍ଷରୁ ଉର୍ଧ୍ୱ ସମୟ ଧରି ଏହି ମାମଲାର ବିଚାର ଚାଲିଥିଲା। ପୂର୍ବତନ ମେୟର ଶିବଶଙ୍କର ଦାଶଙ୍କ ପକ୍ଷରୁ ଦାୟର ହୋଇଥିବା ଏକ ପିଟିସନ୍‌ ଆଧାରରେ ରୁଜୁ ହୋଇଥିବା ଏହି ମାମଲାର ବିଚାର କରି ଗଞ୍ଜାମ ଜିଲ୍ଲା ଓ ଦୌରାଜଜ୍‌ ମଳୟ ରଂଜନ ଦାଶ ଆଜି ସଂଧ୍ୟାରେ ତାଙ୍କର ଚୂଡ଼ାନ୍ତ ରାୟ ଘୋଷଣା କରିଛନ୍ତି। ମେୟର ମାଧବୀଙ୍କ ଦୁଇ ଜଣ ସ୍ୱାମୀ ଥିବା ନେଇ ପିଟିସନ୍‌ରେ ଦର୍ଶା ଯାଇଥିବା ଅଭିଯୋଗକୁ ଖଣ୍ଡନ କରି ଏବଂ ପ୍ରଥମ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଥିବା ସଂପର୍କରେ ମେୟର ମାଧବୀଙ୍କ ପକ୍ଷରୁ ଯେଉଁ ସବୁ ତଥ୍ୟ, ପ୍ରମାଣ କୋର୍ଟରେ ଦାଖଲ ହୋଇଥିଲା ତାହା ଆଇନସମ୍ମତ ନୁହେଁ ବୋଲି ମାନ୍ୟବର୍‌ ଜିଲ୍ଲାଜଜ୍‌ ତାଙ୍କ ରାୟରେ ଉଲ୍ଲେଖ କରିବା ସହ ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଇଥିବାରୁ ମାଧବୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିବା ଜଣାପଡ଼ିଛି।
ଗତ ୨୦୧୪ରେ ଗଞ୍ଜାମ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ବ୍ରହ୍ମପୁର ମେୟର କେ.ମାଧବୀଙ୍କ ବିରୋଧରେ ପୂର୍ବତନ ମେୟର ଶିବଶଙ୍କର ଦାଶ ଏହି ପିଟିସନ୍‌ ରୁଜୁ କରିଥିଲେ। ମେୟର ମାଧବୀ ମିଥ୍ୟା ସତ୍ୟପାଠ ଦେଇଥିବା ଏବଂ ସେ ଓଡ଼ିଆରେ ଲେଖିପଢ଼ି ପାରୁ ନଥିବା ସହ ତାଙ୍କର ଦୁଇ ଜଣ ସ୍ୱାମୀ ଥିବା ନେଇ ଶିବଶଙ୍କର ପିଟିସନ୍‌ରେ ଅଭିଯୋଗ କରିଥିଲେ। ଏହି କାରଣରୁ ମାଧବୀଙ୍କ ନିର୍ବାଚନ ଅସିଦ୍ଧ ଓ ସଭ୍ୟପଦ ରଦ୍ଦ କରିବାକୁ ସେ କୋର୍ଟଙ୍କୁ ନିବେଦନ କରିଥିଲେ।

ମାମଲାର ଶୁଣାଣି ବେଳେ ମେୟର ମାଧବୀ ଓ ପୂର୍ବତନ ମେୟର୍‌ ଶିବଶଙ୍କରଙ୍କ ବୟାନ୍‌ ରେକର୍ଡ଼ ହୋଇଥିଲା। ଏଥିସହ ମେୟରଙ୍କ ବର୍ତମାନର ସ୍ୱାମୀ କେ.ଭେଙ୍କଟ ରମଣାଙ୍କ ବୟାନ୍‌ ମଧ୍ୟ ରେକର୍ଡ଼ ହୋଇଥିଲା। ଏହି ମାମଲାରେ ତାଙ୍କ ପ୍ରଥମ ସ୍ୱାମୀଙ୍କୁ କୋର୍ଟରେ ହାଜର କରାଯିବା ପାଇଁ ମେୟର ମାଧବୀଙ୍କ ପକ୍ଷରୁ ଆବେଦନକୁ ଜିଲ୍ଲାଜଜ୍‌ ଖାରଜ କରି ଦେଇଥିଲେ। ଏହା ବିରୋଧରେ ମେୟରଙ୍କ ଓକିଲ କିଶୋର ବିଷୋୟୀ ମାନ୍ୟବର ହାଇକୋର୍ଟରେ ଆବେଦନ କରଥିଲେ। ମେୟରଙ୍କ ପ୍ରଥମ ସ୍ୱାମୀଙ୍କୁ କୋର୍ଟରେ ହାଜର କରିବା ପାଇଁ ହାଇକୋର୍ଟ ଅନୁମତି ଦେଇଥିଲେ। ଏହା ସହିତ ଗତ ଡିସେମ୍ବର ୧୪ ତାରିଖରୁ ପରବର୍ତୀ ୪୫ ଦିନ ମଧ୍ୟରେ ଏହି ମାମଲାର ବିଚାର ଶେଷ କରିବାକୁ ମାନ୍ୟବର ହାଇକୋର୍ଟ ଜିଲ୍ଲା କୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ। ଜାନୁଆରି ୨ ତାରିଖରେ ମାଧବୀଙ୍କ ପ୍ରଥମ ସ୍ୱାମୀ କେ.ଲକ୍ଷ୍ମଣ ରାଓ କୋର୍ଟରେ ହାଜର ହୋଇ ବୟାନ ରଖିଥିଲେ। ଉଭୟ ପକ୍ଷ ଓକିଲ ତାଙ୍କୁ ଜେରା କରିଥିଲେ। ଚଳିତ ମାସ ୫ ତାରିଖରେ ମାମଲାରେ ଉଭୟ ପକ୍ଷ ଓକିଲଙ୍କ ଜବାବସୁଆଲ ଶେଷ ହୋଇଥିଲା। ଜିଲ୍ଲାଜଜ୍‌ଙ୍କ ଏହି ରାୟ ବିରୋଧରେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରାଯିବ ବୋଲି ମାଧବୀଙ୍କ ଓକିଲ ଶ୍ରୀ ବିଷୋୟୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର