ବ୍ରହ୍ମ ବିଭ୍ରାଟ : ପ୍ରେମାନନ୍ଦ ଖଳନାୟକ! ଜିଦ୍ କରି ନିଜେ ଦର୍ଶନ କରିବା ସହ ଅନ୍ୟମାନଙ୍କୁ ବି କରାଇଥିଲେ

ବ୍ରହ୍ମ ଦର୍ଶନ କରିଛନ୍ତି ୬ ଦଇତା

ପୁରୀ : ବହୁଚର୍ଚ୍ଚିତ ନବକଳେବର ବ୍ରହ୍ମ ବିଭ୍ରାଟ ଉପରୁ ପରଦା ହଟିଛି। ଦଇତାପତି ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସ ମହାପାତ୍ର ବ୍ରହ୍ମ ବିଭ୍ରାଟର ମୁଖ୍ୟ ଖଳନାୟକ ବୋଲି ଜଣାପଡ଼ିଛି। ବ୍ରହ୍ମ ପରିବର୍ତନ ସଂପୂର୍ଣ୍ଣ ଗୁପ୍ତ ନୀତି ହୋଇଥିବା ବେଳେ ସେ ନୀତି ନିୟମକୁ ଉଲ୍ଲଙ୍ଘନ କରି ବର୍ଷ ବର୍ଷର ପରମ୍ପରାକୁ ଭଙ୍ଗ କରିଛନ୍ତି। ଘଟ ପରିବର୍ତନ ବେଳେ ନିଜେ ବ୍ରହ୍ମ ଦର୍ଶନ କରିବା ସହ ଅନ୍ୟମାନଙ୍କୁ ବି ବ୍ରହ୍ମ ଦର୍ଶନ କରାଇ ସବୁ କେଁ ସୃଷ୍ଟି କରିଛନ୍ତି। ଯେଉଁଥି ପାଇଁ ଘଟ ପରିବର୍ତନରେ ଅହେତୁକ ବିଳମ୍ବ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ନିକଟରେ ପ୍ରେମାନନ୍ଦଙ୍କୁ ଲେଖିଥିବା ଚିଠିରେ ଏହା ସ୍ପଷ୍ଟ ଉଲ୍ଲେଖ ରହିଛି। ନିଜେ ସଂପାଦକ ଥାଇ ବି କାହିଁକି ଏଭଳି ବିଶୃଙ୍ଖଳା କଲେ ବୋଲି ମୁଖ୍ୟ ପ୍ରଶାସକ ତାର ଜବାବ ମାଗିବା ସହ ୧୫ ଦିନ ମଧ୍ୟରେ ଏହାର ଉତ୍ତର ରଖିବାକୁ ନିର୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ କେତେ ଜଣ ବ୍ରହ୍ମ ଦର୍ଶନ କରିଛନ୍ତି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ସଂପାଦକଙ୍କ ସମେତ ୬ ଜଣ ବରିଷ୍ଠ ଦଇତାପତି ବ୍ରହ୍ମ ଦର୍ଶନ କରିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଚିଠିରୁ ଜଣାପଡ଼ିଛି। ସେମାନେ ହେଲେ ସଂପାଦକ ପ୍ରେମାନନ୍ଦ ଦାସ ମହାପାତ୍ର, ବରିଷ୍ଠ ଦଇତାପତି ବିଶ୍ବନାଥ ଦାସ ମହାପାତ୍ର, କୃଷ୍ଣଚନ୍ଦ୍ର ଦାସ ମହାପାତ୍ର, ନବକିଶୋର ଦାସ ମହାପାତ୍ର, କାଶୀନାଥ ଦାସ ମହାପାତ୍ର ଓ ଜୟକୃଷ୍ଣ ଦାସ ମହାପାତ୍ର।

ଗତ ୧୪ ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଦଇତାପତି ନିଯୋଗ ସଂପାଦକ ପ୍ରେମାନନ୍ଦଙ୍କୁ କରିଥିବା ଚିଠି (ନଂ-୧୨୦୯୬)ରେ ଉଲ୍ଲେଖ ରହିଛି କି ୨୦୧୫ ଜୁନ୍ ୧୫ ଦିନ ନୂତନ ବିଗ୍ରହମାନଙ୍କର ବ୍ରହ୍ମ ସଂସ୍ଥାପନ ହେବାର ଥିଲା। ଏହି ଦୃଷ୍ଟିରୁ ଦଇତାପତି ନିଯୋଗର ସଂପାଦକ ଭାବେ ପ୍ରେମାନନ୍ଦ ଶ୍ରୀମନ୍ଦିରରେ ଉପସ୍ଥିତ ଥିଲେ। ସାଙ୍ଗରେ ଅନ୍ୟ ଦଇତାପତିମାନେ ବି ଉପସ୍ଥିତ ଥିଲେ। ତେବେ ଘଟ ପରିବର୍ତନ ବେଳେ ବିଶୃଙ୍ଖଳା ଉପୁଜି ଏଥିରେ ଅହେତୁକ ବିଳମ୍ବ ଘଟିଥିଲା। ଯେଉଁଥି ପାଇଁ ଭକ୍ତଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଉଦ୍ରେକ ହୋଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ପ୍ରଶାସନକୁ ନିନ୍ଦିତ ହେବାକୁ ପଡ଼ିଥିଲା। ଏହି ଘଟଣାର ନିରପେକ୍ଷ ତଦନ୍ତ ପରେ ସଂପାଦକ ବିଶୃଙ୍ଖଳାରେ ସଂପୃକ୍ତ ଥିବା ପ୍ରମାଣ ହସ୍ତଗତ ହୋଇଛି। ପରିଚାଳନା କମିଟିର ନିଷ୍ପତ୍ତି କ୍ରମେ ସଂପାଦକଙ୍କୁ ନୋଟିସ୍ କରାଯାଇଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆହୁରି ଉଲ୍ଲେଖ କରିଛନ୍ତି କି ଠାକୁରଙ୍କ ଘଟ ପରିବର୍ତନ ଏକ ଗୋପନୀୟ କାର୍ଯ୍ୟ। ଏହି କାର୍ଯ୍ୟ କେବଳ ବାଡ଼ଗ୍ରାହୀମାନଙ୍କ ଦ୍ବାରା ସଂପାଦନ କରାଯିବା ପାଇଁ ନିର୍ଦେଶ ରହିଥିଲା। ନିଯୋଗ ସଂପାଦକ ହିସାବରେ ପ୍ରେମାନନ୍ଦଙ୍କୁ ବି ଏ ସଂପର୍କରେ ଅବଗତ କରାଯାଇଥିଲା। ଏହା ସତ୍ତ୍ବେ ଘଟ ପରିବର୍ତନର ପରମ୍ପରା ଓ ଗୋପନୀୟତାକୁ ଉପେକ୍ଷା କରାଯାଇଛି। ୪ ଜଣ ବରିଷ୍ଠ ଦଇତାପତିଙ୍କୁ ବ୍ରହ୍ମ ଦର୍ଶନ ଉଦ୍ଦେଶ୍ୟରେ ବେହେରଣ ଦ୍ବାର ଡେଇଁ ତାଟି ନିକଟରେ ଉପସ୍ଥିତ ରହିବାକୁ ସଂପାଦକ ସୁଯୋଗ ସୃଷ୍ଟି କରିଛନ୍ତି। ସେମାନଙ୍କୁ ଭିତରକୁ ପ୍ରବେଶ କରିବାର ସୁଯୋଗ ବି ଦେଇଛନ୍ତି। ବାଡ଼ଗ୍ରାହୀମାନେ ଘଟ ପରିବର୍ତନ କରିବା ନିଷ୍ପତ୍ତି ସଂପର୍କରେ ଅବଗତ ଥାଇ ମଧ୍ୟ ପ୍ରେମାନନ୍ଦ ସଂପାଦକ ହିସାବରେ ବାଧା ଦେବା ବଦଳରେ ଅନ୍ୟମାନଙ୍କୁ ଭିତରକୁ ପ୍ରବେଶ କରିବାକୁ ସୁଯୋଗ ସୃଷ୍ଟି କରିଥିଲେ। କେବଳ ସେତିକି ନୁହେଁ, ସେ ନିଜେ ମଧ୍ୟ ବ୍ରହ୍ମ ଦର୍ଶନ ପାଇଁ ଜିଦ୍ ଧରିଥିଲେ। ଘଟ ପରିବର୍ତନ ପୂର୍ବରୁ କୌଣସି ବାରଣକୁ ଭ୍ରୂକ୍ଷେପ ନକରି ବ୍ରହ୍ମ ଦର୍ଶନ କରିଥିଲେ। ଯାହାକି ପରମ୍ପରା ଓ ନିୟମ ବିରୋଧୀ କାର୍ଯ୍ୟ। ଘଟ ପରିବର୍ତନ ଏକ ଗୋପନୀୟ ନୀତି ଓ ବାହାରେ ଅପ୍ରକାଶ୍ୟ ହୋଇଥିବା ବେଳେ ଗଣମାଧ୍ୟମ ଆଗରେ ଏହା ପ୍ରକାଶ କରି ସଂପାଦକ ଜନମାନସରେ ଗଭୀର ଆଘାତ ଦେଇଛନ୍ତି। ଏଣୁ ୧୫ ଦିନ ଭିତରେ ଏହାର ଜବାବ ରଖିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦେଶ ଦେଇଛନ୍ତି। ନଚେତ୍ ଶ୍ରୀମନ୍ଦିର ଆଇନ-୧୯୫୫ ଧାରା ୨୧(କ) ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ପ୍ରଶାସକ ଚିଠିରେ ଉଲ୍ଲେଖ କରିଛନ୍ତି। ସମାନ ଚିଠି ଉପରୋକ୍ତ ୫ ଜଣ ବରିଷ୍ଠ ଦଇତାପତିଙ୍କୁ ବି ହୋଇଛି।

ସମ୍ବନ୍ଧିତ ଖବର