ଚିଠିରେ ମାନିଛନ୍ତି ଦଇତାପତି ନିଯୋଗ : ବ୍ରହ୍ମ ଦର୍ଶନ କରିଛନ୍ତି ୪ ଦଇତାପତି

ପୁରୀ : ବହୁଚର୍ଚ୍ଚିତ ନବକଳେବର ବ୍ରହ୍ମ ବିଭ୍ରାଟକୁ ନେଇ ତୁମ୍ବିତୋଫାନ ଚାଲିଥିବାବେଳେ ଏବେ ଆଉ ଏକ ସମ୍ବେଦନଶୀଳ ତଥ୍ୟ ପଦାକୁ ଆସିଛି। ବାଡ଼ଗ୍ରାହୀଙ୍କୁ ବାଦ୍ ଦେଲେ ଦଇତାପତି ନିଯୋଗ ସଂପାଦକ ଓ ଅନ୍ୟ ୪ ବୟୋଜ୍ୟେଷ୍ଠ ଦଇତାପତି ଘଟ ପରିବର୍ତ ବେଳେ ବ୍ରହ୍ମ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦଇତାପତି ନିଯୋଗ କରିଥିବା ଚିଠି (ନଂ-୧୦୮/୨୧.୬.୨୦୧୫)ରୁ ଏହା ସ୍ପଷ୍ଟ ହୋଇଛି। ନିଜେ ଦଇତାପତି ନିଯୋଗ ସଂପାଦକ ବି ବ୍ରହ୍ମ ଦର୍ଶନ କଥା ସ୍ବୀକାର କରିଛନ୍ତି। ତାଙ୍କ ସହ ଅନ୍ୟ ୪ ବରିଷ୍ଠ ଦଇତାପତି ବ୍ରହ୍ମ ଦର୍ଶନ କରିଥିବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ସଂପାଦକ ଦେଇଥିବା ଏହି ସ୍ବୀକାରରୋକ୍ତିର ଚିଠି ସମ୍ବାଦର ହସ୍ତଗତ ହୋଇଛି।

ମହାପ୍ରଭୁଙ୍କ ନବକଳେବର ସମୟରେ ୨୦୧୫ ଜୁନ୍ ୧୫ରେ ଘଟ ପରିବର୍ତନରେ ଅହେତୁକ ବିଳମ୍ବକୁ ନେଇ ସେ ସମୟରେ ରାଜ୍ୟବ୍ୟାପୀ ତୁମ୍ବିତୋଫାନ ହୋଇଥିଲା। ଦଇତାପତିଙ୍କ ମଧ୍ୟରେ କନ୍ଦଳ ଓ ବ୍ରହ୍ମ ସଂସ୍ଥାପନରେ ବିଭ୍ରାଟ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ସେ ସମୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହାକୁ ଭିତ୍ତି କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସେ ସମୟରେ ଦଇତାପତି ନିଯୋଗକୁ ଜବାବ ମାଗିଥିଲେ। ଏହାର ଉତ୍ତରରେ ଦଇତାପତି ନିଯୋଗ ୨୦୧୫ ଜୁନ୍ ୨୧ରେ ଶ୍ରୀମନ୍ଦିର ପ୍ରଶାସକଙ୍କୁ ଏକ ଚିଠି କରିଥିଲା। ଯେଉଁଥିରେ ଦଇତାପତି ନିଯୋଗର ସଭାପତି ରାମକୃଷ୍ଣ ଦାସ ମହାପାତ୍ର ଓ ସଂପାଦକ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ଦସ୍ତଖତ ରହିଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଚିଠି ନଂ-୭୭୬୩/୧୭.୬.୨୦୧୮ର ଉତ୍ତର ଦେଇ ନିଯୋଗ ଚିଠିରେ ଉଲ୍ଲେଖ କରିଥିଲା କି ୨୦୧୫ ଜୁନ୍ ୧୫ ରାତି ୪ଟା ବେଳକୁ ବ୍ରାହ୍ମଣମାନଙ୍କ ଯଜ୍ଞ କାର୍ଯ୍ୟ ଶେଷ ହେବା ପରେ ଏବଂ ସମସ୍ତ ବିଜୁଳି ଆଲୁଅ ନିର୍ବାପିତ ହେବା ପରେ ଦଇତାମାନଙ୍କ ଦ୍ବାରା ଘଟ ପରିବର୍ତନର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ମହାନ କାର୍ଯ୍ୟର ପ୍ରକ୍ରିୟା ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ ଏକାଧିକ ଗୁପ୍ତନୀତି ସଂପାଦିତ ହୋଇଥାଏ, ଯାହାକି ପ୍ରକାଶଯୋଗ୍ୟ ନୁହେଁ। ଏହି କ୍ରମରେ ସମସ୍ତ ଗୁପ୍ତନୀତି ଶେଷ ହେବା ପରେ ୪ ବାଡ଼ଗ୍ରାହୀଙ୍କୁ ବ୍ରହ୍ମ ସଂସ୍ଥାପନ ପାଇଁ ନିଯୋଗର କର୍ମକର୍ତା କହିଥିଲେ। ଏହି ସମୟରେ ନିଯୋଗର ୪ ବରିଷ୍ଠ ଦଇତାପତି ବ୍ରହ୍ମ ଦର୍ଶନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ବଡ଼ବାଡ଼ଙ୍କର ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର କିନ୍ତୁ ଏହାକୁ ତୀବ୍ର ବିରୋଧ କରିଥିଲେ। ୪ ବାଡ଼ଗ୍ରାହୀଙ୍କ ବ୍ୟତୀତ ଅନ୍ୟ କେହି ଭିତରକୁ ଗଲେ ସେ ଯିବେ ନାହିଁ ବୋଲି କହିଥିଲେ। ଏହାକୁ ନେଇ ତତ୍କାଳ ବେହେରଣ ଦ୍ବାରଠାରେ ନିଯୋଗର ଏକ ବୈଠକ ବସି ଶ୍ରୀମନ୍ଦିର ସତ୍ତ୍ବଲିପି ଦଇତା ଭାଗକୁ ତର୍ଜମା କରାଯାଇଥିଲା। ବିସ୍ତୃତ ଆଲୋଚନା ପରେ ୪ ବାଡ଼ଗ୍ରାହୀ ଘଟ ପରିବର୍ତନ କରିବେ ଓ ବରିଷ୍ଠ ଦଇତାପତି ବିଶ୍ବନାଥ ଦାସ ମହାପାତ୍ର, କାଶୀନାଥ ଦାସ ମହାପାତ୍ର, କୃଷ୍ଣଚନ୍ଦ୍ର ଦାସ ମହାପାତ୍ର ଓ ନବକିଶୋର ଦାସ ମହାପାତ୍ର ସଂପାଦକ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ସହ ପଣା ଭୋଗ ଲାଗୁଥିବା ସ୍ଥାନରେ ରହିବେ ବୋଲି ସ୍ଥିର ହୋଇଥିଲା।

ଘଟ ପରିବର୍ତନ ପରେ ସଂପାଦକ ପ୍ରେମାନନ୍ଦଙ୍କ ସହ ଉପରୋକ୍ତ ୪ଜଣ ବରିଷ୍ଠ ଦଇତାପତି ବ୍ରହ୍ମ ଦର୍ଶନ କରିବେ ବୋଲି ସ୍ଥିର ହୋଇଥିଲା ବୋଲି ନିଯୋଗ ଚିଠିରେ ଉଲ୍ଲେଖ କରିଛି। ଯେଉଁଥିରେ ଅନ୍ୟ ନିଯୋଗର କର୍ମକର୍ତା ଓ ଦଇତାପତିମାନେ ସହମତି ପ୍ରକାଶ କରିଥିବା ଚିଠିରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର