ନିଜାମୁଦ୍ଦିନ୍ ଫେରନ୍ତା ଚିହ୍ନଟ ପରେ ବ୍ରହ୍ମବରଦାକୁ ସିଲ୍ କଲା ଯାଜପୁର ଜିଲ୍ଲା ପ୍ରଶାସନ

ଯାଜପୁର/ବିଂଝାରପୁର/ଧର୍ମଶାଳା/ବ୍ରହ୍ମବରଦା : ଯାଜପୁର ଜିଲ୍ଲା ଅନ୍ତର୍ଗତ ରସୁଲପୁର ବ୍ଲକର ବ୍ରହ୍ମବରଦାକୁ ସିଲ୍ କରାଯାଇଛି। ବ୍ରହ୍ମବରଦାର ୩ କିଲୋମିଟର ପରିଧି ଭିତରେ ଚଳାଚଳ ବନ୍ଦ ଲାଗି ନିର୍ଦେଶ ଦିଆଯାଇଛି। ଯାଜପୁରର ସଂକ୍ରମିତ ବ୍ୟକ୍ତିଙ୍କୁ କଟକର ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତରକରିବାକୁ ବି ନିଷ୍ପତ୍ତି ହୋଇଛି। ତାଙ୍କ ପରିବାରକୁ ସରକାରୀ କ୍ୱାରେଣ୍ଟାଇନରେ ରଖାଯିବ ବୋଲି  ଜଣାଯାଇଛି। ଏବେ ସେଠାରେ ପୁଲିସ୍ ଛାଉଣୀ ଦେଖିବାକୁ ମିଳୁଛି।

ସୂଚନାଯୋଗ୍ୟ, ରସୁଲପୁର ବ୍ଲକ୍‌ ବ୍ରହ୍ମବରଦାର ଜଣେ ମୌଲବୀ ନିଜାମୁଦ୍ଦିନ ଧର୍ମସଭାରେ ଯୋଗ ଦେଇ ଫେରିବା ପରେ  ନିଜ ଘରେ ଥିଲେ। ଏହା ଜଣାପଡ଼ିବା ପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା। ଉକ୍ତ ଦିଲ୍ଲୀ ନିଜାମୁଦ୍ଦିନସ୍ଥିତ ମରକଜ ଠାରେ ଅନୁଷ୍ଠିତ ତବଲିଗ ଜମାତ୍ (ଧର୍ମସଭା)ରେ ଯୋଗଦାନ କରିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାର ୩ଜଣଙ୍କୁ ପ୍ରଶାସନ ଚିହ୍ନଟ କରିଛି। ଏହି ଘଟଣାକୁ ନେଇ ସାରା ଜିଲ୍ଲାରେ ଆତଙ୍କ ଖେଳିଯାଇଥିବାବେଳେ ସମସ୍ତଙ୍କୁ ସଙ୍ଗରୋଧ ଗୃହରେ ରଖାଯାଇଛି।

୩ ଜଣଙ୍କ ମଧ୍ୟରୁ ଧର୍ମଶାଳା ବ୍ଲକ୍ ନଳୀପୁର ଅଞ୍ଚଳର ଜଣେ ରହିଥିବାବେଳେ ବିଂଝାରପୁର ବ୍ଲକ୍ ଶାସନ୍ଦା ଗ୍ରାମର ଜଣେ ଏବଂ ଅନ୍ୟ ଜଣେ ରସୁଲପୁର ବ୍ଲକ୍ ବ୍ରହ୍ମବରଦାର ଥିବା ଚିହ୍ନଟ କରଯାଇଛି। ଏହି ୩ଜଣଙ୍କୁ ସଂଗରୋଧ ଗୃହରେ ରଖାଯାଇଛି। ବିଂଝାରପୁର ବ୍ଲକ୍ ଶାସନ୍ଦା ଗ୍ରାମର ବ୍ୟକ୍ତି ନିଜାମୁଦ୍ଦିନ ଧର୍ମସଭାରେ ଯୋଗ ଦେଇ ଫେରିବା ପରେ ଘରେ ରହିଥିଲେ। ଗତକାଲି ବିଳମ୍ଵିତ ରାତିରେ ବିଂଝାରପୁର ପୁଲିସ ଓ ପ୍ରଶାସନ ଶାସନ୍ଦା ଗ୍ରାମରେ ପହଞ୍ଚି ସନ୍ଦିଗ୍ଧ ବ୍ୟକ୍ତିକୁ ଉଠାଇ ଆଣି ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ତାଙ୍କ ପରିବାର ଲୋକଙ୍କୁ କ୍ଵାରେଣ୍ଟାଇନ୍‌ରେ ରଖିଛନ୍ତି।

ବିଂଝାରପୁର ବ୍ଲକ ଶାସନ୍ଦା ଗ୍ରାମର ଜଣେ ୫୦ବର୍ଷ ବୟସର ଲୋକ ଗତମାସ ୧୨ ତାରିଖ ରାଜଧାନୀ ଏକ୍ସପ୍ରେସ ଯୋଗେ ଦିଲ୍ଲୀ ଯାଇ ନିଜାମୁଦ୍ଦିନସ୍ଥିତ ଧର୍ମସଭାରେ ଯୋଗ ଦେଇଥିଲେ । ପରେ ମାର୍ଚ୍ଚ ୧୬ ତାରିଖରେ ସେହି ରାଜଧାନୀ ଏକ୍ସପ୍ରେସରେ ବାହାରି ୧୭ ତାରିଖ ଯାଜପୁରରୋଡରେ ପହଞ୍ଚି ଏକ ଗାଡ଼ିରେ ନିଜଘରେ ପହଞ୍ଚିଥିଲେ ଏବଂ ୧୮ ତାରିଖ କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳର ନିଜ ସଂପର୍କୀୟଙ୍କ ଘରକୁ ଯାଇ ୧୯ ତାରିଖରେ ଫେରିଥିଲେ । ପରେ ୨୦ ତାରିଖରେ ତାଙ୍କୁ ଜ୍ଵର ହୋଇଥିଲା। ସେ ବିଂଝାରପୁର ସ୍ଵାସ୍ଥ୍ୟକେନ୍ଦ୍ରକୁ ଯାଇ ଚିକିତ୍ସିତ ହୋଇ ଫେରିଥିଲେ। ଘରେ ନିଜ ପରିବାର ସମେତ ଗ୍ରାମର ବହୁ ଲୋକଙ୍କ ସହିତ ମିଳାମିଶା କରିବା ସହ ଗ୍ରାମର କିଛି ଛାତ୍ରଙ୍କୁ ଟିଉସନ କରାଉଥିଲେ ବୋଲି ପୁଲିସ ଓ ପ୍ରଶାସନକୁ କହିଛନ୍ତି।

ମଙ୍ଗଳବାର ବିଳମ୍ବିତ ରାତିରେ ବିଂଝାରପୁର ତହସିଲଦାର ଅସ୍ମିତା ଦାଶ, ଆଇଆଇସି ଶିବଚରଣ ବେହେରା ଓ ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ କ୍ଷୀତିଶ କୁମାର ନାୟକ ପ୍ରମୁଖ ଶାସନ୍ଦା ଗ୍ରାମରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଉଠାଇ ନେଇ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଥିବା କ୍ଵାରେଣ୍ଟାଇନ୍‌ କେନ୍ଦ୍ରକୁ ନେବା ସହ ତାଙ୍କ ପରିବାରର ୫ଜଣଙ୍କୁ ହୋମ୍ କ୍ଵାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସଂଦିଗ୍ଧ ବ୍ୟକ୍ତିଙ୍କ ସ୍ଵାବ୍ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି।

ସେହିପରି ଧର୍ମଶାଳା ଥାନା ଅଧୀନ ନଳୀପୁର ଅଞ୍ଚଳରୁ ଜଣେ ନିଜାମୁଦ୍ଦିନ ଧର୍ମ ସମ୍ମିଳନୀରୁ ଫେରିଥିବା ବ୍ୟକ୍ତିଙ୍କୁ ଆଜି ପ୍ରଶାସନ ଉଠାଇ ନେଇଛି। ସ୍ବାସ୍ଥ୍ୟ ପରୀକ୍ଷା ପରେ କ୍ବାରେଣ୍ଟାଇନ୍‌ରେ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେ ହାଇଦ୍ରାବାଦରୁ ଯାଇ ନିଜାମୁଦ୍ଦିନ ଧର୍ମସଭାରେ ଯୋଗ ଦେଇ ଘରକୁ‌ ଫେରିଥିଲେ। କୌଣସି ପରୀକ୍ଷା ନଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପରେ ଆଜି ପ୍ରଶାସନ ପକ୍ଷରୁ ପୁଲିସ ସହାୟତାରେ ତାଙ୍କୁ ଡାକ୍ତରଖାନାର ପରୀକ୍ଷା କରାଯାଇଥିଲା। ତାଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିବାବେଳେ ପ୍ରଶାସନ କଡ଼ା ନଜର ରଖିଛି ବୋଲି ତହସିଲଦାର ସରୋଜ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର