ବ୍ରାହ୍ମଣୀକୁ ମହାନଦୀ ଦଶା!

ତାଳଚେର : ମହାନଦୀକୁ ନେଇ ରାଜ୍ୟରେ ତମ୍ବିତୋଫାନ୍‌ ଚାଲିଛି। ବିଧାନସଭା, ଲୋକସଭାରେ ବିତର୍କ ହେଉଛି। ମହାନଦୀକୁ ବଞ୍ଚାଇବା ପାଇଁ ରାଜ୍ୟ ଓ କେନ୍ଦ୍ରର ଦୁଇ ଶାସକ ଦଳ ବିଜେଡି-ବିଜେପି ମଧ୍ୟରେ ଟଣାଓଟରା ଚାଲିଛି। ହେଲେ ମହାନଦୀକୁ ନେଇ ଏଭଳି ତର୍କ-ବିତର୍କ, ଆଲୋଚନା-ପର୍ଯ୍ୟାଲୋଚନା ଚାଲିଥିବା ବେଳେ ରାଜ୍ୟର ଦ୍ୱିତୀୟ ଦୀର୍ଘତମ ନଦୀ ବ୍ରାହ୍ମଣୀ ଉପରେ ଯେ ମହାବିପଦ ମାଡ଼ି ଆସିଲାଣି ସେ କଥା କେହି ଚିନ୍ତା କରୁନାହାନ୍ତି। ବ୍ରାହ୍ମଣୀର ଉପରମୁଣ୍ଡରେ ଝାଡ଼ଖଣ୍ଡ ସରକାର ପ୍ରାୟ ଏକ ଡଜନ୍‌ରୁ ଅଧିକ ଡ୍ୟାମ୍‌ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ସବୁଜ ସଂକେତ ଦେଇଛନ୍ତି। ପ୍ରସ୍ତାବିତ ଯୋଜନା ଯଦି ବାସ୍ତବ ରୂପ ନିଏ, ତେବେ ବ୍ରାହ୍ମଣୀ ବି ମହାନଦୀ ଦଶା ଭୋଗିବା ନିଶ୍ଚିତ ବୋଲି ପରିବେଶବିତ୍‌ମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ପରୋକ୍ଷରେ ଏ କଥା ବି ଚେତାଇ ଦେଇଛନ୍ତି, ପରିସ୍ଥିତିର ଜଟିଳତାକୁ ଉପଲବ୍‌ଧି କରି ରାଜ୍ୟ ସରକାର ଏବେଠୁ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ନକଲେ ଚିରସ୍ରୋତା ବ୍ରାହ୍ମଣୀ ଆଗାମୀ ଦିନରେ ଖରସ୍ରୋତାରେ ପରିଣତ ହୋଇ ଓଡ଼ିଶାର କୃଷି ଓ ଶିଳ୍ପକୁ ଗଭୀର ଭାବେ ପ୍ରଭାବିତ କରିବ।

ଉଲ୍ଲେଖଯୋଗ୍ୟ, ରାଉରକେଲା ବେଦବ୍ୟାସଠାରେ ଶଙ୍ଖ ଓ କୋଏଲ ନଦୀର ସଙ୍ଗମରୁ ଉତ୍ପନ୍ନ ହୋଇଛି ବ୍ରାହ୍ମଣୀ। ଏହା ଭଦ୍ରକ ଧାମରାସ୍ଥିତ ବଙ୍ଗୋପସାଗରରେ ମିଶିବା ପୂର୍ବରୁ ଓଡ଼ିଶାର ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ପ୍ରବାହିତ ହୋଇଛି। ଝାଡ଼ଖଣ୍ଡର ଗୁମ୍‌ଲା ଜିଲ୍ଲାର ଲୁପୁଙ୍ଗପତ ଏବଂ ରାଜଧାନୀ ରାଞ୍ଚିରୁ ଯଥାକ୍ରମେ ଶଙ୍ଖ ଓ କୋଏଲ ନଦୀ ଜନ୍ମ ନେଇଥିବା ବେଳେ ଏବେ ଏହି ଦୁଇ ନଦୀରେ ଆଉ କିଛି ବନ୍ଧ ବାନ୍ଧିବାକୁ ଝାଡ଼ଖଣ୍ଡ ସରକାର ଯୋଜନା କରିଛି। ୧୪ଟି ବନ୍ଧ ବାନ୍ଧିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ସେଥିମଧ୍ୟରୁ ୬ଟି ପ୍ରକଳ୍ପ ଶଙ୍ଖ ଓ କୋଏଲ୍‌ ନଦୀ ଉପରେ। ପିପିପି ମୋଡ୍‌ରେ ଏହି ନଦୀବନ୍ଧ ନିର୍ମାଣ କରାଯାଇ ସମୁଦାୟ ୧୨୬ମେଗାଓ୍ଵାଟ୍‌ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କରିବାକୁ ଝାଡ଼ଖଣ୍ଡ ସରକାର ଲକ୍ଷ୍ୟ ରଖିଛନ୍ତି। ମାତ୍ର ସାଂଘାତିକ କଥାଟି ହେଉଛି, କୋଏଲ ନଦୀ ଉପରେ ପ୍ରସ୍ତାବିତ ମନୋହରପୁର ଓ ବାସିଆ ନଦୀ ବନ୍ଧ ଏବଂ ଶଙ୍ଖ ନଦୀ ଉପରେ କୁରଡ଼େଗା, ରାଇଡ଼ିହି, ଗୁମଲା ଓ ତିିଥାଇଟାନଗର ଆଦି ସ୍ଥାନରେ ଛଅଟି ନଦୀବନ୍ଧ ଯୋଜନା ଯଦି କାର୍ଯ୍ୟକାରୀ ହୁଏ, ତେବେ ମହାନଦୀ ଭଳି ବ୍ରାହ୍ମଣୀର ଜଳସ୍ରୋତ ବି ହ୍ରାସ ଘଟିବ। କାରଣ, ଛତିଶଗଡ଼ ସରକାର ଯେମିତି ଉପର ମୁଣ୍ଡରେ ବନ୍ଧବାନ୍ଧି ମହାନଦୀ ଜଳକୁ ଅଟକାଇବାରେ ସମର୍ଥ ହେଲେ, ଅନୁରୂପ ଢଙ୍ଗରେ ଝାଡ଼ଖଣ୍ଡ ସରକାର କରୁଥିବାରୁ ବ୍ରାହ୍ମଣୀ ଶୁଖିଯିବା ଆଶଙ୍କାକୁ ଏଡ଼ାଇ ଦେଇ ହେଉନାହିଁ।

ଝାଡ଼ଖଣ୍ଡ ସରକାର ଲକ୍ଷ୍ୟ ରଖିଛନ୍ତି ଯେ ମନୋହରପୁର ପ୍ରକଳ୍ପରୁ ୮ ମେଗାଓ୍ଵାଟ୍‌, ବାସିଆରୁ ୯, ତିଥାଇଟାନଗରରୁ ୨୪, କୁରଡ଼େଗାରୁ ୧୯, ଗୁମଲାରୁ ୨୩, ତୋର୍ପାରୁ ୧୩ ଏବଂ ହୁଣ୍ଡୁରୁ ପ୍ରକଳ୍ପରୁ ୧୧ମେଗାଓ୍ଵାଟ୍‌ ବିଦ୍ୟୁତ ଶକ୍ତି ଉତ୍ପାଦନ ହେବ। ଏପରିକି, କୋଏଲ ନଦୀର ଉପନଦୀ କାରୋ ଉପରେ ତୋର୍ପା ଏବଂ ହୁଣ୍ଡୁରୁ ନଦୀ ବନ୍ଧ ଯୋଜନାକୁ ସଂପ୍ରତି ଝାଡ଼ଖଣ୍ଡ ସରକାର ସବୁଜ ସଂକେତ ଦେଇଛନ୍ତି। ଏହାପୂର୍ବରୁ ଝାଡ଼ଖଣ୍ଡ ସରକାର ବ୍ରାହ୍ମଣୀର ଉପରମୁଣ୍ଡରେ ଥିବା ଏହି ଦୁଇ ଉପନଦୀ ଉପରେ ଛିଣ୍ଡା, ଲରୁଆ, ରାମରେଖା, ଟପକରା, ଉପରଶଙ୍ଖ, ଗୁସଚା, ଧନସିଙ୍ଗୋଟୋଲି, ଲାଟ୍ରାଟୁ, ମଶାରିଆ, ନନ୍ଦିନୀ ଏବଂ ପାରସ ଠାରେ ବନ୍ଧ ନିର୍ମାଣ କରି ସାରିଛନ୍ତି। ସେହିଭଳି ବହୁ ଦିନ ତଳୁ କୋଏଲ ନଦୀ ଉପରେ ‘କୋଏଲ-କାରୋ ଜଳ ବିଦ୍ୟୁତ୍‌ ଯୋଜନା’ ନିର୍ମାଣ ସରିଛି। ବତ୍ତର୍ମାନ ଶଙ୍ଖ ନଦୀ ଉପରେ ସିମଡେଗା ଜିଲ୍ଲାର କଂସଯୋର, ଗୁମଲା ଜିଲ୍ଲାର କତ୍ରି ଓ କନସା, ପଶ୍ଚିମ ସିଂହଭୂମି ଜିଲ୍ଲାର ସାତପୋଟକା ଏବଂ କୋଏଲ ନଦୀରେ ରାଞ୍ଚି ସନିକଟ ବାସୁକୀ ଓ ଲୋହାରଦଗାଠାରେ ସୁକ୍ରି ବନ୍ଧ ଯୋଜନା ନିର୍ମାଣାଧୀନ ଅବସ୍ଥାରେ ରହିଛି। ତଥ୍ୟ କହୁଛି, ଗୁମଲା ଠାରେ ନିର୍ମିତ ଉପର ଶଙ୍ଖ ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନ କରିବାକୁ ଝାଡ଼ଖଣ୍ଡ ସରକାର ଲକ୍ଷ୍ୟ ରଖିଥିବା ବେଳେ ଅନ୍ୟ ସବୁ ପ୍ରକଳ୍ପଗୁଡ଼ିକ କୃଷି ଓ ଜଳସେଚନ ପାଇଁ ଉଦ୍ଦିଷ୍ଟ। ଏ ସବୁ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ବ୍ରାହ୍ମଣୀର ଜଳ ପ୍ରବାହ ଭୟଙ୍କର ରୂପେ ପ୍ରଭାବିତ ହେବ ବୋଲି ପରିବେଶବିତ୍‌ମାନେ ସତର୍କ କରାଇଛନ୍ତି।

ମହାନଦୀ ବିବାଦକୁ ନେଇ ଓଡ଼ିଶା-ଛତିଶଗଡ଼ ସରକାର ମୁହାଁମୁହିଁ ହେବା ପରେ ସୁପ୍ରିମକୋର୍ଟ ଟ୍ରିବ୍ୟୁନାଲ୍‌ ଗଠନ କରିଥିବା ବେଳେ ଝାଡ଼ଖଣ୍ଡ ସରକାରଙ୍କ ବ୍ରାହ୍ମଣୀ ଉପର ମୁଣ୍ଡରେ ମାଳମାଳ ନଦୀବଂଧ ଯୋଜନା ଆଗାମୀ ଦିନରେ ଓଡ଼ିଶା ପାଇଁ ଆଉ ଏକ ବଡ଼ ବିପଦ ରୂପେ ଉଭା ହେବାକୁ ଯାଉଛି। ଏଭଳି ସ୍ଥିତିରେ ଏବେଠୁ ପଦକ୍ଷେପ ନନେଲେ ମହାନଦୀ ଦଶା ବ୍ରାହ୍ମଣୀ ବି ଭୋଗିବା ସୁନିଶ୍ଚିତ ବୋଲି ପରିବେଶବିତ୍‌ ମହଲ ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର