ଜୀବନ ଯୁଦ୍ଧରେ ସଂଘର୍ଷ କରୁଛନ୍ତି ବ୍ରେନ୍‌ ଟ୍ୟୁମର୍‌ରେ ପୀଡ଼ିତ ରାହୁଲ,ଚିକିତ୍ସା ପାଇଁ ଆର୍ଥିକ ସହଯୋଗ ଲୋଡ଼ିଲେ ପରିବାର

ଚନ୍ଦ୍ରଶେଖରପୁର: ଶ୍ରଦ୍ଧାରେ ସମସ୍ତେ ଡାକନ୍ତି ରାହୁଲ। କଥାକୁହା ଆଖି ଆଉ ନିଷ୍ପାପ ହସରେ ସମସ୍ତଙ୍କ ମନ ଜିଣିନେଉଥିଲା ସେ। ଗାଁ ସ୍କୁଲ୍‌ରେ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ୁଥିବା ୧୦ ବର୍ଷର ନିଷ୍ପାପ ଶିଶୁ ସନ୍ତୋଷ ପରିଡ଼ା (ରାହୁଲ) ବର୍ତ୍ତମାନ ଆସିୟୁରେ ଜୀବନ ସହିତ ସଂଘର୍ଷ କରୁଛି।

ଦୁରାରୋଗ୍ୟ ବ୍ରେନ୍‌ ଟ୍ୟୁମର୍‌ରେ ପିଡ଼ୀତ ରାହୁଲ୍‌ ଅପରେସନ ପରେ ବର୍ତ୍ତମାନ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲ୍‌ର ଆଇସିୟୁ ନଂ ୨୨୮ରେ ଜୀବନ ଯୁଦ୍ଧରେ ଅବତୀର୍ଣ୍ଣ। ଡାକ୍ତରଙ୍କ କହିବା ଅନୁସାରେ ଉନ୍ନତ ଓ କ୍ରମାଗତ ଚିକିତ୍ସା ରାହୁଲକୁ ଏକ ନୂତନ ଜୀବନ ଦେବ। ମାତ୍ର ଏଥିପାଇଁ ଲୋଡ଼ା ଲକ୍ଷାଧିକ ଟଙ୍କା। ଆଉ ନିଜର ଗଳାର ମାଳିକୁ ବଞ୍ଚେଇଦେବାକୁ ଆକୁଳ ନିବେଦନ କରିଛନ୍ତି ବାପା ପ୍ରଶାନ୍ତ ପରିଡ଼ା। କେନ୍ଦ୍ରାପଡ଼ା ଜିଲା ସିଙ୍ଗିର ଅଞ୍ଚଳର ବେଲାରୀ ଗ୍ରାମରେ ଗୋଟିଏ ଝିଅ ଓ ଏକୋଇର ବଳା ରାହୁଲକୁ ନେଇ ନିଜର ଛୋଟିଆ ସଂସାରରେ ବାସ କରନ୍ତି ପ୍ରଶାନ୍ତ। ଜଣେ ଦିନ ମଜୁରୀଆ କାମ କରୁଥିବା ପ୍ରଶାନ୍ତଙ୍କ ମୁଣ୍ଡରେ ଚିନ୍ତା ଘାରିଥିଲା ଯେତେବେଳ ଏକମାତ୍ର ପୁଅ ରାହୁଲର ଆଖିକୁ ଠିକ୍‌ରେ ଦେଖାଯାଇନଥିଲା। ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚକ୍ଷୁ ବିଭାଗରେ ଦେଖାଇବା ପରେ ଆରୋଗ୍ୟ ନହେବାରୁ ରାଜଧାନୀର ଏକ ଘରୋଇ ହସ୍ପିଟାଲକୁ ଆଣିିଥିଲେ ଚିକିତ୍ସା ପାଇଁ। ମାତ୍ର ଅନେକ ପରୀକ୍ଷା ନିରୀକ୍ଷା ପରେ ଜଣାପଡ଼ିଥିଲା ରାହୁଲ ଦୁସାଧ୍ୟ ବ୍ରେନ୍‌ ଟ୍ୟୁମର୍‌ରେ ପିଡ଼ୀତ। ଆଉ ଅପରେସନର ଆବଶ୍ୟକତା ଜରୁରୀ। ତାହାପୁଣି ଯଥାଶୀଘ୍ର। ଡେରି କଲେ ହୁଏତ କଣ ହୋଇଯାଇପାରେ। ଚଡ଼କ ପଡ଼ିଥିଲା ପ୍ରଶାନ୍ତଙ୍କ ମୁଣ୍ଡରେ। କୌଣସି ଉପାୟ ନାପାଇ ଏମସ୍‌କୁ ଧାଇଁଯାଇଥିଲେ ସେ ପୁଅକୁ ନେଇ। ମାତ୍ର ସେଠାରେ ବେଡ଼୍‍ ନଥିବାରୁ ନିଜ ଅଞ୍ଚଳର କିଛି ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ସେ ଆପୋଲୋ ହସ୍ପିଟାଲ୍‌ରେ ରାହୁଲକୁ ଭର୍ତ୍ତି କରିଥିଲେ।

ବର୍ତ୍ତମାନ ବ୍ରେନ୍‌ ଟ୍ୟୁମର ଅପରେସନ ସରିଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଆଇସିୟୁରୁ ବାହାରିନି ରାହୁଲ। ଧାର ଉଧାର କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିସାରିଲେଣି ପ୍ରଶାନ୍ତ। ଜଣେ ଦିନ ମଜୁରୀଆ ଭାବରେ କାମ କରି ପରିବାର ଗୁଜୁରାଣ ମେଣ୍ଟାଉଥିବା ପ୍ରଶାନ୍ତଙ୍କର ଆଖିରୁ ଲୁହ ଶୁଖୁନି। କେଉଁଠୁ ଆଣିବେ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା। କିପରି ଭଲ କରିବେ ନିଜର ଏକମାତ୍ର କୁଳ ତିଳକକୁ। ଲୁହଭର୍ତ୍ତି ଆଖିରେ କେବଳ ଭଗବାନଙ୍କୁ ଡାକୁଛନ୍ତି ଆଉ ଆକୁଳ ନିବେଦନ କରିଛନ୍ତି ଜନତା ଜନାର୍ଦ୍ଦନଙ୍କୁ। ନିଷ୍ପାପ ରାହୁଲକୁ ବଞ୍ଚେଇଦେବାକୁ ସହୃଦୟ ବ୍ୟକ୍ତି ଅକୁଣ୍ଠ ଚିତ୍ତରେ ସହଯୋଗ କରିବାକୁ ନିବେଦନ।

ରାହୁଲଙ୍କ ଚିକିତ୍ସା ପାଇଁ ସହଯୋଗ ଯୋଗାଇଦେବାକୁ ୭୭୮୯୦୪୬୯୭୯ରେ ଯୋଗାଯୋଗ କରିବା ସହିତ ୦୬୬୮୧୧୪୦୦୯୨୧୧୬ ଆକାଉଣ୍ଟ ନମ୍ବର (ଏଚ୍‌ଡ଼ିଏଫସି୦୦୦୦୬୬୮ – ଆଇଏଫସି ନମ୍ବର) ଜରିଆରେ ସହଯୋଗର ହାତ ବଢ଼ାଇବାକୁ ଅନୁରୋଧ।

ସମ୍ବନ୍ଧିତ ଖବର