ଡ୍ରାଇଭରଙ୍କ ସାହସିକତା : ଡକାୟତଙ୍କ କବଳରୁ ବର୍ତିଲେ ବସ୍‌ ଯାତ୍ରୀ

ନୂଆଗାଁ : ଡ୍ରାଇଭରଙ୍କ ସାହସିକତା ପାଇଁ ଏକ ବଡ଼ଧରଣର ଡକାୟତିରୁ ରକ୍ଷା ପାଇ ଯାଇଛନ୍ତି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳର କିଛି ବସ୍‌ଯାତ୍ରୀ। ଗୁରୁବାର ସନ୍ଧ୍ୟାରେ ମହୀପୁର-ବାହାଡ଼ାଝୋଲା ରାସ୍ତାରେ ଏକ ଯାତ୍ରୀବାହୀ ବସକୁ ଟାର୍ଗେଟ କରିଥିଲେ ଦୁଇ ଜଣ ଡକାୟତ। ଡ୍ରାଇଭରଙ୍କ ମୁଣ୍ଡରେ ମାଉଜର ରଖି ଯାତ୍ରୀମାନଙ୍କଠାରୁ ଲୁଟ୍‌ପାଟ୍‌ କରିବାକୁ ଉଦ୍ୟମ କରିଥିଲେ। ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଓ ସାହସ ଯୋଗୁ ଡକାୟତି ଉଦ୍ୟମ ପଣ୍ଡ ହୋଇ ଯାଇଥିଲା। ବସ୍‌ ଡ୍ରାଇଭର ଡକାୟତଙ୍କଠାରୁ ମାଉଜର ଛଡ଼ାଇ ଆଣିବା ଫଳରେ ଯାତ୍ରୀମାନେ ଖାଲି ସୁରକ୍ଷିତ ରହିନଥିଲେ, ଡ୍ରାଇଭରଙ୍କ ଉଗ୍ର ରୂପ ଦେଖି ଭୟଭୀତ ହୋଇ ସାଙ୍ଗରେ ଆଣିଥିବା ପଲସର୍‌ ବାଇକ୍‌ ଛାଡି ଘଞ୍ଚ ଜଙ୍ଗଲ ଭିତରକୁ ପଳାଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଭୁବନେଶ୍ୱରରୁ ବାହାଡ଼ାଝୋଲା ଦେଇ ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ କାଦୁଆ ଗାଁ’କୁ ଯାଉଥିଲା ଓଆରବିକ୍ୟୁ-୪୩୯୫ ନମ୍ବର ଅମ୍ବିକା ବସ୍‌। ଯାତ୍ରୀବାହୀ ବସ୍‌କୁ ବନ୍ଧାଭୂଇଁ -ବେରୁଆଁବାରୀ ରାସ୍ତାରେ ଦୁଇ ଜଣ ଲୁଟେରା ଅଟକାଇ ଥିଲେ। ଦୁହେଁ ଏକ ପଲସର୍‌ ବାଇକ୍‌ (ଓଡି-୦୨ଜି-୫୨୩୩)ରେ ଆସିଥିବା ଯାତ୍ରୀମାନେ ପ୍ରକାଶ କରିଛନ୍ତି। ସେମାନେ ବସ ଡ୍ରାଇଭର ମିଲୁଙ୍କୁ ଗାଳିଗୁଲଜ କରିବା ସହିତ ମୁଣ୍ଡରେ ମାଉଜର ଲଗାଇ ଧମକଚମକ ଦେଇଥିଲେ। ତେବେ ଦୁର୍ବୃତ୍ତଦ୍ୱୟଙ୍କ ଧମକରେ ଡରିନଥିଲେ ମିଲୁ। ସାହସିକତାର ସହିତ ଲୁଟେରାଙ୍କ ମାଉଜରକୁ ସେମାନଙ୍କଠାରୁ ଛଡାଇ ଆଣିଥିଲେ। ଏହି ସମୟରେ ମିଲୁ ଓ ଡକାୟତଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପାଟିତୁଣ୍ଡ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇଯିବାରୁ ଡକାୟତଦ୍ୱୟ ସାଙ୍ଗରେ ଆଣିଥିବା ପଲସର ବାଇକ୍‌କୁ ଅଗତ୍ୟା ଛାଡି ନିକଟସ୍ଥ ଜଙ୍ଗଲକୁ ଖସି ଯାଇଥିଲେ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର