ହାତଗଣ୍ଠି ପରେ ବିଷ ପିଇଲେ କନ୍ୟା

ଅନୁଗୁଳ : ହାତଗଣ୍ଠି ପଡ଼ି ସାରିଥିଲା। ଝିଅ ବିଦାୟ ପାଇଁ ପ୍ରସ୍ତୁତି ଚାଲିଥିଲା। ଆଉ କେଇଟା ମୁହୂର୍ତ୍ତ ପରେ ନବବଧୂ ରୂପରେ ସଜେଇ ହୋଇ ଶଶୂର ଘରେ ପହଞ୍ଚିଥାନ୍ତେ। କିନ୍ତୁ ଏତିକି ବେଳେ ଘଟିଗଲା ଏକ ବଡ଼ ଅଘଟଣ। ଝିଅ ଶାଶୁଘରେ ପହଞ୍ଚିବା ପୂର୍ବରୁ ବାପଘରେ ହିଁ ବିଷ ପିଇ ଦେଲେ।

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ସୁବର୍ଣ୍ଣପୁର ଗାଁରେ ଆଜି ଏଭଳି ଏକ ହୃଦୟ ବିଦାୟକ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁତରେ ଅବସ୍ଥାରେ ଗ୍ରାମର ଯୁଗଳ ଭୋଇଙ୍କ ଝିଅ ଭାରତୀ ଭୋଇ (୨୨)ଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ବିଷ ପିଇବାର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ସୂଚନା ମିଳିଛି।

ପରିବାର ଲୋକଙ୍କ କହିବାନୁଯାୟୀ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଧଳପୁର ଗ୍ରାମର ବିନୋଦ ଭୋଇଙ୍କ ସହ ଭାରତୀଙ୍କ ବିବାହ ଖୁବ୍‌ ଧୂମ୍‌ଧାମ୍‌ରେ ହୋଇଥିଲା। ଶାଶୂଘରକୁ ଯିବା ପାଇଁ ବିଦାୟ ପ୍ରସ୍ତୁତି ଚାଲିଥିବା ବେଳେ ଭାରତୀ ସିନ୍ଦୂରରେ ଚିନି ମିଶାଇ ପିଇ ଦେଇଥିଲେ। ତାଙ୍କ ମୁଣ୍ଡ ବୁଲାଇ ହୋଇଯିବାରୁ ସେ ତଳେ ଗଳି ପଡ଼ିଥିଲେ। ପରିବାର ଲୋକ ତାଙ୍କୁ ଉଦ୍ଧାର କରି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି।

ସମ୍ବନ୍ଧିତ ଖବର