ଭୁଶୁଡ଼ିଲା ନିର୍ମାଣାଧୀନ ପୋଲ; ଅଳ୍ପକେ ବର୍ତ୍ତିଲେ ଶ୍ରମିକ

ବର୍ଷାରେ ୩.୭ କୋଟି ଟଙ୍କାର କାମ, ମାଟି ପକାଇ ସ୍ପାନ ପୋତିଦେଲେ

ଯାଜପୁର : ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ପୋଲ। ପୋଲ କାମରେ ନିୟୋଜିତ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେପଟେ ଦୋଷ ଢାଙ୍କିବାକୁ ମାଟି ପକାଇ ଭୁଶୁଡ଼ି ପଡ଼ିଥିବା ସ୍ପାନକୁ ପୋତି ଦିଆଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ବ୍ଲକ ଚଇନପୁର ପଞ୍ଚାୟତ ବେଲେଶ୍ବରଠାରେ ବୈତରଣୀ ନଦୀ କୁଷି ସେତୁରେ। ଆଜି ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନ କୁମାର ସେନାପତି ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ କରି ଫେରି ଯାଇଛନ୍ତି। କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଏହି ଘଟଣାକୁ ଚପାଇଦେବାକୁ ଜୋରଦାର କସରତ ଆରମ୍ଭ ହୋଇଛି। ଯାଜପୁର ଗ୍ରାମ୍ୟ ଉନ୍ନୟନ ଡିଭିଜନ ଅଧୀନ ଚଇନପୁର ଓ ପଣସା ପଞ୍ଚାୟତ ମଧ୍ୟରେ ସଂଯୋଗ ପାଇଁ ‌ବେଲେଶ୍ବର ଠାରେ ବୈତରଣୀ ନଦୀ ଉପରେ ଏହି କୁଷି ସେତୁ ୨୦୧୮ ମସିହାରୁ ଆରମ୍ଭ ହୋଇଛି। ଶୈଳବାଳା କନଷ୍ଟ୍ରକସନ ୩ କୋଟି ୭୨ଲକ୍ଷ ୬୫ହଜାର ଟଙ୍କା ବିନିମୟରେ ଏହି କାମ କରୁଛି। ବର୍ଷା ଦିନରେ କୌଣସି ପୋଲ ନିର୍ମାଣ କାମ ହେବା କଥା ନୁହେଁ ବୋଲି ସରକାରୀ ନିୟମ ରହିଛି। ମାତ୍ର ସଂପୃକ୍ତ ଠିକାଦାର ସବୁ ନିୟମକାନୁନକୁ ମୋଡ଼ିମକଚି ଶ୍ରମିକଙ୍କୁ ଲଗାଇ କାମ କରାଉଥିଲେ। ନିର୍ମାଣ କାମ ବେଳେ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ କିମ୍ବା ଉପଖଣ୍ଡ ଯନ୍ତ୍ରୀ କେହି ବି ଉପସ୍ଥିତ ନଥିବା କେତେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗତ ୨୧ତାରିଖରେ କାମ ବେଳେ ନିର୍ମାଣାଧୀନ ସ୍ପାନ୍ ଗଳି ପଡ଼ିଥିଲା। କାର୍ଯ୍ୟରତ ଶ୍ରମିକମାନେ ଜୀବନ ବଞ୍ଚାଇବା ପାଇଁ ଘଟଣସ୍ଥଳରୁ ଦୌଡ଼ି ପଳାଇଥିଲେ। ଘଟଣାକୁ ଚପାଇବା ପାଇଁ ଭୁଶୁଡ଼ି ପଡ଼ିଥିବା ସ୍ପାନ୍ ଉପରେ ଠିକାଦାର ତରବରିଆ ଭାବେ ମାଟି ଗଦା କରିଦେଇଥିଲେ। ଯାଜପୁର-କେନ୍ଦ୍ରାପଡ଼ା ଦାୟିତ୍ବରେ ଥିବା ଗ୍ରାମ୍ୟ ଉନ୍ନୟନ ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନ କୁମାର ସେନାପତି ଆଜି ଘଟଣାର ସରଜମିନ ତଦନ୍ତ କରିବା ପରେ କହିଛନ୍ତି ଯେ ତଦନ୍ତ ଜାରି ରହିଛି। ଅନ୍ୟ ସ୍ପାନକୁ ପରିବର୍ତ୍ତନ କରି ନୂତନ ଭାବେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ସେନାପତି କହିଛନ୍ତି।

ସମ୍ବନ୍ଧିତ ଖବର