ଭଞ୍ଜନଗର: ବୁଧବାର ବିଳମ୍ବିତ ରାତ୍ରୀରେ ଭଞ୍ଜନଗର ଓ ଫୁଲବାଣୀ ରାସ୍ତାର କଳିଙ୍ଗାଘାଟି ନିକଟରେ ବାଇଗଣ ନେଇ ଯାଉଥିବା ଗୋଟାଏ ପିକ୍-ଅପ୍ ଭ୍ୟାନ୍ ଓଲଟି ପଡ଼ିବା କାରଣରୁ ଏହାର ଚାଳକ ଆହତ ହୋଇ ମୃତ୍ୟୁ ବରଣ କରିଛନ୍ତି।
ମୃତ ଡ୍ରାଇଭର୍ ହେଉଛନ୍ତି ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟ ନଗରର ପ୍ରତାପ ପ୍ରଧାନ।
ବାଇଗଣ ନେଇ ବରପାଲିରୁ ମୁଣ୍ଡମରେଇ ଯାଉଥିବା ବେଳେ ରାତି ପ୍ରାୟ ୧: ୩୦ ବେଳେ ପ୍ରତାପ କୌଣସି କାରଣରୁ ହଠାତ୍ ବ୍ରେକ୍ କଷି ଦେବାରୁ ପିକ୍-ଅପ୍ ଭ୍ୟାନ୍ଟି ଓଲଟି ପଡ଼ିଥିଲା ବୋଲି ତାଙ୍କ ପଛେ ପଛେ ଅନ୍ୟ ଏକ ପିକ୍-ଅପ୍ ଭ୍ୟାନ୍ରେ ବାଇଗଣ ନେଇ ଯାଉଥିବା ଡ୍ରାଇଭର୍ ସନ୍ତୋଷ କୁମାର ଦାସ କହୁଛନ୍ତି।
ଆମ୍ବୁଲାନ୍ସ୍କୁ ଖବର ଦେବା ପରେ ପରେ ସନ୍ତୋଷ ସାଙ୍ଘାତିକ ଆହତ ପ୍ରତାପଙ୍କୁ ନିଜ ପିକ୍-ଅପ୍ ଭ୍ୟାନ୍ ଯୋଗେ ଡାକ୍ତରଖାନା ନେଇଥିଲେ। ପରେ ପରେ ୧୦୮ ଆମ୍ବୁଲାନ୍ସ୍ ଆସିବାରୁ ସେ ବାଟ ମଝିରେ ପ୍ରତାପଙ୍କୁ ସେଥିରେ ଧରି ଭଞ୍ଜନଗର ସବ୍-ଡିଭିଜିନାଲ୍ ଡାକ୍ତରଖାନାକୁ ନେଇଥିଲେ।
ସେ ମୃତ ବୋଲି ଡାକ୍ତରମାନେ ସେଠାରେ ଘୋଷଣା କରିଥିଲେ।
ଖବର ପାଇ ଭଞ୍ଜନଗର ପୁଲିସ ଡାକ୍ତରଖାନାକୁ ଯାଇଛି।