ଅତାବିରା : ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ସିଂହପାଲି ଗ୍ରାମରେ ଦୁଇ ଭାଇ-ଭଉଣୀଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଦାଶରଥୀ ମେହେର ଓ ସଂଜ୍ଞାସିନୀ ମେହେରଙ୍କ ପୁଅ ବିକାଶ (୨୫) ଓ ଝିଅ ମୀନତି (୨୦)। ମୃତଦେହ ନିକଟରେ ଏକ ବିଷାକ୍ତ ଔଷଧର ଜରି ପଡ଼ିଥିବା ଘଟଣାକୁ ରହସ୍ୟାବୃତ୍ତ କରିଛି। ଏଭଳି ଔଷଧ କେବଳ ମେଡିସିନ୍ ଲାବୋରୋଟାରିରେ ଉପଲବ୍ଧ ହେଉଥିବାବେଳେ ସାଧାରଣରେ ବ୍ୟବହାର ପାଇଁ ନିଷେଧ ଥିବା ଜଣାଯାଇଛି। ତେବେ, ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାନୁସାରେ, ଦାଶରଥୀଙ୍କ ପରିବାର ଲୁଗା ବୁଣା କାମ କରିଥାନ୍ତି। ତାଙ୍କର ୩ଟି ଝିଅ ଓ ଗୋଟିଏ ପୁଅ। ପୁଅ ବିକାଶ ଯୁକ୍ତ ୩ ପଢ଼ା ସାରି ଭୁବନେଶ୍ୱରରେ ଚାକିରି ପାଇଁ ପ୍ରସ୍ତୁତ ହେଉଥିଲେ। ଝିଅ ମୀନତି ଯୁକ୍ତ ୨ ପଢ଼ିବା ପରେ ୨ ବର୍ଷ ହେଲା ଘରେଥିଲେ। ଗତକାଲି ରାତିରେ ଖାଇ ସାରିବା ପରେ ଗୋଟିଏ କୋଠରୀର ଖଟ ଉପରେ ବିକାଶ ଶୋଇଥିବାବେଳେ ତଳେ ମୀନତି ଓ ଅନ୍ୟ ଜଣେ ଭଉଣୀ ଶୋଇଥିଲେ। ଆଜି ସକାଳେ ଦୁହେଁ ଉଠିନଥିଲେ। ପରେ, ସେମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ମୃତଦେହ ନିକଟରେ ବିଷାକ୍ତ ଔଷଧ ଜରି ପଡ଼ିଥିବାରୁ ଦୁହେଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ, ଏହା ପଛରେ କାରଣ କ’ଣ ତାହା ସ୍ପଷ୍ଟ ହୋଇନାହିଁ। ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରି ପୁଲିସ୍ ତଦନ୍ତ ଆରମ୍ଭ କରିଛି।
ଅନ୍ୟପକ୍ଷରେ, ଗୋଟିଏ ଦିନ ପରେ ରାକ୍ଷୀ ପୂର୍ଣ୍ଣିମା ଥିବାବେଳେ ଦୁଇ ଭାଇଭଉଣୀଙ୍କ ମୃତ୍ୟୁ ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।