ଫୁଲକୋବି ତରକାରିରେ ବିଷ : ଭାଇ-ଭଉଣୀ ମୃତ, ମାଆ ଗୁରୁତର

ବ୍ରହ୍ମପୁର/ଛତ୍ରପୁର/ଗଞ୍ଜାମ : ଗଞ୍ଜାମ ଜିଲ୍ଲା ରମ୍ଭା ସହର ପାନ୍ଥନିବାସ ସାହିରେ ଖାଦ୍ୟ ବିଷକ୍ରିୟା ଯୋଗୁଁ ଗୋଟିଏ ପରିବାରର ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ରମ୍ଭା ବିଏସ୍‌ଏନ୍‌ଏଲ୍‌ରେ କାର୍ଯ୍ୟ କରୁଥିବା ବାନାମ୍ବର ପ୍ରଧାନଙ୍କ ପୁଅ ସୌମ୍ୟରଂଜନ ପ୍ରଧାନ(୨୫) ଓ ଝିଅ କମଳିନୀ ପ୍ରଧାନ(୨୩)। ବାନାମ୍ବରଙ୍କ ପତ୍ନୀ କୁମାରୀ ପ୍ରଧାନଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ରହିଛି। ତାଙ୍କୁ ଅପରାହ୍ନରେ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଗତ ରାତିରେ ପରିବାରର ସମସ୍ତେ ଫୁଲକୋବି ତରକାରୀ ସହ ରୁଟି ଖାଇଥିଲେ। ଏହା ପରେ ରାତିରୁ ଝିଅ କମଳିନୀ ଓ ସକାଳୁ ପୁଅ ସୌମ୍ୟରଂଜନ ଓ ମାଆଙ୍କୁ ମଧ୍ୟ ପ୍ରବଳ ବାନ୍ତି ହୋଇଥିଲା। ଆଜି ଦିନ ୧୧ଟାରେ କମଳିନୀଙ୍କ ଛତ୍ରପୁର ଡାକ୍ତରଖାନାରେ ଓ ଏହାର ପାଞ୍ଚ ଘଣ୍ଟା ଅନ୍ତରରେ ଅପରାହ୍ନ ୪ଟାରେ ପୁଅ ସୌମ୍ୟରଂଜନଙ୍କ ବ୍ରହ୍ମପୁର ବଡ଼ ମେଡିକାଲରେ ମୃତ୍ୟୁ ଘଟିଛି। ତେବେ ସେହି ତରକାରୀ ଓ ରୁଟି ଖାଇଥିବା ବାନାମ୍ବରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂପୂର୍ଣ ଭଲ ଅଛି। ରମ୍ଭା ଥାନା ଅଧିକାରୀ ନମିତା ନାୟକ ଛତ୍ରପୁର ଓ ବ୍ରହ୍ମପୁର ମେଡିକାଲରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ସୌମ୍ୟରଂଜନ ଏକ ଘରୋଇ ଇଂଜନିୟରିଂ କଲେଜର ଛୀତ୍ର ଓ କମଳିନୀ ରମ୍ଭାର ଏକ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ।

ସମ୍ବନ୍ଧିତ ଖବର