ଶ୍ମଶାନରେ ଭାଇ-ଭଉଣୀ ଝଗଡ଼ା : ଜୁଇରୁ ଉଠାଇ ଆଣିଲେ ବାପାଙ୍କ ଶବ

ନୀଳଗିରି : ନୀଳଗିରି ଥାନା ଅନ୍ତର୍ଗତ ନିଶ୍ଚନ୍ତପୁର ସାହିରେ ଆଜି ଅଭାବନୀୟ ଘଟଣା ଘଟିଛି। ବାପାଙ୍କ ମୃତ୍ୟୁକୁ ନେଇ ଶ୍ମଶାନରେ ଭାଇ ଭଉଣୀଙ୍କ ମଧ୍ୟରେ ବିବାଦ ହେବାରୁ ଶେଷରେ ବାପାଙ୍କ ଶବ ଜୁଇରୁ ଫେରାଇ ନିଆଯାଇଛି। ପରେ ନୀଳଗିରି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟହେବ ବୋଲି ପୁଲିସ କହିଛି।

ଘଟଣାଟି ଏମିତି..। ନୀଳଗିରି ଥାନା ବାଉଁଶବଣିଆ ପଞ୍ଚାୟତ ଅନ୍ତର୍ଗତ ନିଶ୍ଚନ୍ତପୁର ସାହିର ନରେନ୍ଦ୍ର ପାତ୍ର (୭୪) ଦୁଇଦିନ ତଳେ ନିଖୋଜ ହୋଇ ଯାଇଥିଲେ। ଆଜି ସକାଳେ ଚାଷ ଜମିର ପାଣି ନାଳ କଡ଼େ ତାଙ୍କ ଶବ ପଡ଼ିଥିବା ଦେଖି ଗାଁର ଜଣେ ଯୁବକ ପରିବାର ଲୋକଙ୍କୁ ଖବର ଦେଇଥିଲେ। ନରେନ୍ଦ୍ରଙ୍କ ବଡ଼ ପୁଅ ଗୌରାଙ୍ଗ ଗ୍ରାମବାସୀଙ୍କ ସହ ପହଞ୍ଚ ଶବ ଉଦ୍ଧାର କରିଥିଲେ। ପରମ୍ପରା ଅନୁଯାୟୀ ପରିବାର, ବନ୍ଧୁବାନ୍ଧବ, ସାଇ ପଡ଼ିଶା ଓ ଗ୍ରାମବାସୀ ମିଶି ନରେନ୍ଦ୍ରଙ୍କ ଶବକୁ ଦାହ କରିବା ପାଇଁ କୋକେଇରେ ଗାଁ ମଶାଣିକୁ ନେଇଥିଲେ। ହେଲେ ଜୁଇରେ ଶବ ରଖି ଅଗ୍ନିସଂଯୋଗ କରିବା ବେଳେ ନରେନ୍ଦ୍ରଙ୍କ ତୃତୀୟ ଝିଅ ଗୌରୀ ପହଞ୍ଚ ତାଙ୍କ ବାପାଙ୍କୁ ବଡ଼ଭାଇ ମାରିଦେଇଥିବା ଅଭିଯୋଗ କରିଥିଲେ।

ଶବଦାହ କରିବାକୁ ସେ ବିରୋଧ କରିବାରୁ ଗ୍ରାମବାସୀ, ବନ୍ଧୁବାନ୍ଧବ ସମସ୍ତେ ଚକିତ ହୋଇଥିଲେ। ଗୌରୀ ଘଟଣା ସମ୍ପର୍କରେ ପୁଲିସକୁ ଜଣାଇବା ପରେ ପୁଲିସ ନରେନ୍ଦ୍ରଙ୍କ ଶବକୁ ଜବତ କରିଥିଲା। ନୀଳଗିରି ମେଡିକାଲରେ ଶବ ବ୍ୟବଚ୍ଛେଦ କରାଯାଇଛି। ଏ ନେଇ ନୀଳଗିରି ଥାନାରେ କେସ୍‌ ନମ୍ବର ୫୧/୧୭ରେ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଆଇଆଇସି ରମେଶ ସିଂ ପ୍ରକାଶ କରିଛନ୍ତି। ମସ୍ତିସ୍କ ବିକୃତି ଯୋଗୁଁ ନରେନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ କହୁଥିବା ବେଳେ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଛି ବୋଲି ଭଉଣୀ ଅଭିଯୋଗ ଆଣିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ବୋଲି ପୁଅ ଗୌରାଙ୍ଗ କହିଛନ୍ତି।

ସମ୍ବନ୍ଧିତ ଖବର