ଭାଇକୁ ହତ୍ୟା କଲେ ଭାଇ

ଜଗନ୍ନାଥପ୍ରସାଦ : ପାରିବାରିକ ଶତ୍ରୁତାରୁ ରକ୍ତର ହୋଲି। ପରିଣାମ ଏମିତି ଭୟାବହ ଯେ, ୧୨ ଖଣ୍ଡାଚୋଟରେ ଚାଲିଗଲା ନବବିବାହିତ ଯୁବକଙ୍କ ନିରୀହ ଜୀବନ। ସଂସାର କଣ ଜାଣି ନଥିବା ନବବଧୂର ମୁଣ୍ଡରୁ ଲିଭିଗଲା ସିନ୍ଦୁର। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଲାଡ଼ି ଗ୍ରାମ‌ରେ ଏଭଳି ଏକ ଅଭାବନୀୟ ଘଟଣା ଆଜି ଆଲୋଡ଼ନ ସୃଷ୍ଟି କରିଛି। ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ଏହି ଗ୍ରାମରେ ଦୀନବନ୍ଧୁ ସ୍ବାଇଁଙ୍କୁ ତାଙ୍କ ନିଜ ଦାଦାପୁଅ ଭାଇ ମାନେ ମିଶି ନିର୍ମମ ଭାବେ ହତ୍ୟା କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୀନବନ୍ଧୁ ଗତ ୧୩ ତାରିଖରେ ବିବାହ କରିଥିବା ବେଳେ ଗତକାଲି ଶାଗମାଛ ବିଧି ସଂପନ୍ନ ହୋଇଥିଲା। ଆଉ ଆଜି ତାଙ୍କର ମୃତ୍ୟୁ ସଂପୂର୍ଣ୍ଣ ପରିବାରକୁ ଖୁସିର ବାତାବରଣରୁ ଶୋକ ମୁହଁକୁ ଠେଲି ଦେଇଛି। ସମଗ୍ର ଗ୍ରାମ ସ୍ତବ୍ଧ ପାଲଟିଛି।

ନାରାୟଣ ସ୍ବାଇଁଙ୍କ ପୁଅ ଦୀନବନ୍ଧୁ ଆଜି ସନ୍ଧ୍ୟା ପ୍ରାୟ ୭ଟା ବେଳେ ପୋଖରୀକୁ ଗାଧୋଇବାକୁ ଯାଉଥିଲେ। ଏହି ସମୟରେ ତାଙ୍କ ଦାଦା ମଦନ ସ୍ବାଇଁଙ୍କ ପୁଅ ଟୁକୁନା ଓ କାମ ଏବଂ ଅନ୍ୟ ୩ଜଣ ଅଚିହ୍ନା ଯୁବକ ସେଠାରେ ପହଞ୍ଚିଥିଲେ। ସେମାନେ ଦୀନବନ୍ଧୁଙ୍କ ସହ ପାଟିତୁଣ୍ଡ କରିବା ପରେ ଖଣ୍ଡାରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, ଦୀନବନ୍ଧୁଙ୍କ ଗୋଡ଼ ଲେଡ଼ି ଛିଣ୍ଡି ଯାଇଥିଲା। ଘଟଣାସ୍ଥଳରେ ହିଁ ଦୀନବନ୍ଧୁ ଟଳି ପଡ଼ିଥିଲେ। ସାନଭାଇ ପୁର୍ଣ୍ଣ ସ୍ବାଇଁ ଓ ତାଙ୍କ ଶାଳକ ମିଶି ଦୀନବନ୍ଧୁଙ୍କୁ ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର