ଖୋର୍ଦ୍ଧା :୧୦୫ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା/ଜଟଣୀ : ଖୋର୍ଦ୍ଧାରେ ଆଜି ଅବକାରୀ ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌ ଚଢ଼ଉ କରି ୧୦୫ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଛି। ଏହା ସହିତ ଗୋଟିଏ ପିସ୍ତଲ ଜବତ କରାଯାଇଥିବାବେଳେ ବ୍ରାଉନ୍‌ସୁଗାର ବ୍ୟବସାୟ କରୁଥିବା ଅଭିଯୋଗରେ ସେକ୍ ଫରିଦ୍‌ ନାମକ ଜଣେ ଯୁବକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗୁଇନ୍ଦା ସୂତ୍ରରୁ ଖବର ପାଇ ଆଜି ଭୋର ୫ଟାରେ ଖୋର୍ଦ୍ଧା ମୁକୁନ୍ଦପ୍ରସାଦଠାରେ ଥିବା ଜଗନ୍ନାଥପ୍ରସାଦ ବଜାଜ ସଭିର୍ସିଂ କେନ୍ଦ୍ର ସମ୍ମୁଖ ଏକ ସ୍ଥାନରେ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାଡ୍‌ର ଏକ ଟିମ୍ ଚଡ଼ଉ କରିଥିଲା। ଚଡ଼ଉରେ ସେକ୍ ଫରିଦ୍‌ ନିକଟରୁ ୧୦୫ ଗ୍ରାମ୍ ବ୍ରାଉନ୍‌ସୁଗାର, ବ୍ରାଉନ୍‌ସୁଗାର ବିକ୍ରି ବାବଦକୁ ରଖିଥିବା ୧୨ ହଜାର ଟଙ୍କା ସହ ଏକ ୭ ଏମ୍ଏମ୍‌ ପିସ୍ତଲ ଜବତ କରାଯାଇଥିଲା। ଏହି ଚଡ଼ଉରେ କଟକ ଇଆଇ ଓ ଇବି ୟୁନିଟ-୨ର ଅଧିକାରୀ ଓ କର୍ମଚାରୀମାନେ ସାମିଲ ଥିଲେ। ଜବତ ବ୍ରାଉନ୍‌ସୁଗାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ୫୦ ହଜାର ଟଙ୍କା ହେବ। ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ ପରେ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଫ୍ଲାଇଙ୍ଗ ସ୍କ୍ବାଡ୍ ଇନ୍‌ସପେକ୍ଟର ଜଗଦୀଶ ଚନ୍ଦ୍ର ସାମଲ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର