କଟକ : ପୁଣି ମାଛୁଆ ବଜାର ଅଞ୍ଚଳର ଜଣେ ବ୍ରାଉନ୍ସୁଗାର ମାଫିଆ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ହାତରେ ଧରାପଡ଼ିଛି। ତାଙ୍କ ନାମ ବଳରାମ ବେହେରା(୨୮) ଏବଂ ତାଙ୍କ ନିକଟରୁ ୧୦ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ କରାଯାଇଛି।
ବଳରାମ ମଙ୍ଗଳାବାଗ ଓ ମାଲ୍ଗୋଦାମ ଅଞ୍ଚଳରେ ଦୁଇଟି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ବ୍ରାଉନ୍ସୁଗାର ଚାଲାଣ କରୁଥିବା ତଦନ୍ତରୁ ଜଣାପଡ଼ିଛି। କୋଡ୍ଵାଡ୍ରେ ସେ ବ୍ରାଉନ୍ସୁଗାରକୁ ‘ପାଉ’ କହୁଥିବା ସୂଚନା ମିଳିଛି।
ମଙ୍ଗଳାବାଗ ଥାନା ମାଛୁଆ ବଜାରର ବଳରାମ ବେହେରା କଟକ ସହରରେ ଦୀର୍ଘ ଦିନ ହେବ ବ୍ରାଉନ୍ସୁଗାର ବ୍ୟବସାୟ କରୁଥିଲା। ଫୋନ୍ ଯୋଗେ ବ୍ରାଉନ୍ସୁଗାର ହୋମ୍ ଡେଲିଭରି କରୁଥିବା ବଳରାମ ବାଲେଶ୍ବର ଜିଲ୍ଲା ଜଳେଶ୍ବରରୁ ବ୍ରାଉନସୁଗାର ଆଣୁଥିଲା। ସେଠାକାର ଜଣେ ବ୍ରାଉନ୍ସୁଗାର ଡିଲର୍ ନିୟମିତ ଭାବେ କଟକରେ ବଳରାମକୁ ବ୍ରାଉନ୍ସୁଗାର ଦେଉଥିବା ଅବକାରୀ ଗୁଇନ୍ଦା ବିଭାଗ ସୂଚନା ପାଇଥିଲା। ଆଜି ଡିଲର୍ କଟକ ଆସିଥିବା ଖବର ପାଇ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ଉ କରିଥିଲା। କିନ୍ତୁ ଡିଲର୍ ଖସିଯିବାରେ ସକ୍ଷମ ହୋଇଥିଲା। ବଳରାମ ସନ୍ଧ୍ୟାରେ ବାଲିଯାତ୍ରା ପଡ଼ିଆ ନିକଟରେ ଜଣେ କଲେଜ ଛାତ୍ରଙ୍କୁ ବ୍ରାଉନ୍ସୁଗାର ବିକ୍ରି କରିବାକୁ ଆସିଥିବା ବେଳେ ଧରାପଡ଼ିଥିଲା। ତା’ ନିକଟରୁ ୯୨ ଗ୍ରାମର ବ୍ରାଉନ୍ସୁଗାର ଜବତ ହୋଇଥିଲା।
ଅବକାରୀ ବିଭାଗର ଡେପୁଟି କମିସନର ରାମଚନ୍ଦ୍ର ପାଲଟାଙ୍କ ନିର୍ଦ୍ଦେଶକ୍ରମେ ଗୁଇନ୍ଦା ବିଭାଗ ଅଧିକାରୀ ଜଗଦୀଶ ସାମଲ, ଇନ୍ସ୍ପେକ୍ଟର ଗାଲୁରାମ ସୋରେନ୍, ଏସ୍ଆଇ ଧନଞ୍ଜୟ ପାତ୍ର, କନ୍ଷ୍ଟେବଳ କିଶୋର ରାଉତ, ପ୍ରଦୀପ ବେହେରା, ଚନ୍ଦ୍ରଭାନୁ ଦାସ, ଜଗନ୍ନାଥ ନାୟକ, ର˚ଜନ ପାତ୍ର, ମମତା ଦାସ ପ୍ରମୁଖ ସାଦା ପୋଷାକରେ ଚଢ଼ଉରେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/brown.jpg)