୭ରେ ମାଟ୍ରିକ୍‌ ପରୀକ୍ଷା ଫଳ : ସକାଳ ୯ଟାରେ ଘୋଷଣା, ଦିନ ୧୨ଟାରୁ ଓ୍ଵବ୍‌ସାଇଟ୍‌ରେ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ ଆସନ୍ତା ୭ ତାରିଖ ସୋମବାର ସକାଳ ୯ଟାରେ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପ୍ରକାଶ ପାଇବ। ଚଳିତବର୍ଷ ଏକକାଳୀନ ମାଟ୍ରିକ, ମଧ୍ୟମା ସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ମଧ୍ୟ ପ୍ରକାଶିତ ହେବ। ଏହି ପରୀକ୍ଷା ଫଳ ମଧ୍ୟାହ୍ନ ୧୨ଟାରୁ ବୋର୍ଡର ଓ୍ଵବ୍‌ସାଇଟ୍‌ www.bseodisha.ac.in/ www.bseodisha.nic.in ରେ ଉପଲବ୍ଧ ହେବ। ଇଣ୍ଟରନେଟ୍‌ ସୁବିଧାନଥିବା ଅଞ୍ଚଳ ଛାତ୍ରଛାତ୍ରୀମାନେ ମୋବାଇଲ୍‌ରେ OR10<ROLL NO> ଟାଇପ୍‌ କରି 5676750 କୁ ଏସ୍‌ଏମ୍‌ଏସ୍‌ ପଠାଇ ନିଜ ପରୀକ୍ଷାଫଳ ଜାଣିପାରିବେ।

ଛାତ୍ରଛାତ୍ରୀଙ୍କ ଓଏମ୍‌ଆର୍‌ ଉତ୍ତରଖାତାର ସ୍କାନ କପି ଅପରାହ୍‌ଣ ୨ଟାରୁ ବୋର୍ଡର ନିଜସ୍ୱ ଓ୍ଵବ୍‌ସାଇଟ୍‌ www.bseodisha.ac.in ରେ ଛଡାଯିବ। ପରୀକ୍ଷାର୍ଥୀମାନେ ଏହି ଓଏମ୍‌ଆର୍‌ କପିକୁ ଓ୍ଵବ୍‌ସାଇଟ୍‌ରୁ ଡାଉନ୍‌ଲୋଡ୍‌ କରିପାରିବେ। ଫଳପ୍ରକାଶ ପାଇବାର ୭ଦିନ ପର୍ଯ୍ୟନ୍ତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପରୀକ୍ଷାର୍ଥୀ, ଅଭିଭାବକଙ୍କୁ ସହାୟତା ତଥା ପରାମର୍ଶ ଦେବା ପାଇଁ କଣ୍ଟ୍ରୋଲରୁମ୍‌ ଖୋଲା ରହିବ। ପରୀକ୍ଷାର୍ଥୀମାନେ ବିଭିନ୍ନ ସମସ୍ୟା ନେଇ 0671-2412060/2412059 ନମ୍ବର ସହ ଯୋଗାଯୋଗ କରିପାରିବେ ବୋଲି ଆଜି ଅପରାହ୍‌ଣରେ ବୋର୍ଡ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ପ୍ରଫେସର ଡକ୍ଟର ଜାହାନ୍‌ ଆରା ବେଗମ୍‌ ସୂଚନା ଦେଇଛନ୍ତି। ଫଳ ପ୍ରକାଶନ ପରେ ପୂର୍ବବର୍ଷ ଭଳି ପରୀକ୍ଷାର୍ଥୀଙ୍କ ମାର୍କସିଟ୍‌, ବୋର୍ଡ ସାର୍ଟିଫିକେଟ୍‌ ଆଦିକୁ ସ୍କୁଲକୁ ପଠାଇ ଦିଆଯିବ ବୋଲି ଡକ୍ଟର ବେଗମ୍‌ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବୋର୍ଡର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ଓ ସେକ୍ରେଟାରୀ ରାମାଶିଷ ହାଜରା ଯୋଗଦେଇ ପରୀକ୍ଷାଫଳ ପ୍ରକାଶନ ସଂପର୍କରେ ସୂଚନା ଦେଇଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ଫେବ୍ରୁଆରି ୨୩ରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୨୮୧୮ଟି କେନ୍ଦ୍ରରେ ଛାତ୍ରଛାତ୍ରୀ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ସାର୍ଟିଫିକେଟ୍‌ ପରୀକ୍ଷା ଦେଇଥିଲେ। ମୋଟ ୬ ଲକ୍ଷ ୮ ହଜାର ୫୩ ଜଣ ପରୀକ୍ଷା ଦେଇଥିଲେ। ଖାତା ମୂଲ୍ୟାୟନ ମାର୍ଚ ୨୦ରୁ ଏପ୍ରିଲ୍‌ ୪ତାରିଖ ପର୍ଯ୍ୟନ୍ତ ରାଜ୍ୟର ୫୭ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର