ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାରେ କାମ ଦେଉନି ବିଏସଏନଏଲ୍ ନେଟୱାର୍କ, କଥା ହେବା ପାଇଁ ସୀମା ଡେଇଁ ଆନ୍ଧ୍ର ଯାଉଛନ୍ତି ଲୋକେ
hindi.indiatvnews.com
ମାଲକାନଗିରି : ଲୋକ ଓଡ଼ିଶାର, କଥା ଆନ୍ଧ୍ରର। ଫୋନରେ ଟିକିଏ କଥା ହେବା ପାଇଁ ନେଟୱାର୍କକୁ ଚାହିଁ ରହିଛନ୍ତି ଲୋକେ। ଘଂଟା ଘଂଟା ଧରି ଅପେକ୍ଷା କରୁଛନ୍ତି, କେତେବେଳେ ଆସିବ ନେଟୱାର୍କ। ଏହା ଆଜି କି କାଲିର ସମସ୍ୟା ନୁହେଁ, ଦୀର୍ଘ ୭ ବର୍ଷ ହେଲା, ଏମିତି ନେଟୱାର୍କ ସମସ୍ୟାକୁ ସାମ୍ନା କରୁଛନ୍ତି, ଲାଲଗଡ କୁହାଯାଉଥିବା ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାବାସୀ।
Sambad is now on WhatsApp
Join and get latest news updates delivered to you via WhatsApp
ନାହିଁ ନାହିଁରେ ଚାଲିଛି ବିଏସଏନଏଲ ସେବା । ୪ଜି ଇଂଟରନେଟ୍ ଯୁଗରେ ଦୁନିଆ ମତୁଆଲା ହେଉଥିବା ବେଳେ, ବିଏସଏନଏଲର ୨ଜି ନେଟୱାର୍କ ପାଇଁ ସଂଘର୍ଷ କରୁଛନ୍ତି ଚିତ୍ରକୋଣ୍ଡାବାସୀ। ଏଠାରେ ଗତ ୨୦୦୬ ମସିହାରୁ ବିଏସଏନଏଲ ନେଟୱାର୍କ ଯୋଗାଇ ଆସୁଥିବା ବେଳେ, ରକ୍ଷଣାବେକ୍ଷଣାର ଅଭାବ ଯୋଗୁଁ କାମ କରୁନି ନେଟୱାର୍କ । ଆଉ ସବୁଠାରୁ ବଡ କଥା ହେଉଛି, ଟିକିଏ କଲ୍ କରିବାକୁ ହେଲେ ରାଜ୍ୟ ବଦଳାଇବାକୁ ପଡେ। ଫୋନରେ କଥା ହେବା ପାଇଁ ଓଡିଶା ଛାଡି ପଡୋଶୀ ଆନ୍ଧ୍ରପ୍ରଦେଶକୁ ଯାଇଥାନ୍ତି ଚିତ୍ରକୋଣ୍ଡାବାସୀ।
କେବଳ କଲ୍ ନୁହେଁ, ନେଟୱାର୍କ ନଥିବାରୁ ବ୍ୟାଙ୍କ କାମ ଠାରୁ ଆରମ୍ଭ କରି, ବିଭିନ୍ନ ଜରୁରୀକାଳୀନ ସେବା ଠିକ୍ ସମୟରେ ହୋଇପାରିନଥାଏ । ଦୀର୍ଘ ୭ ବର୍ଷ ଧରି ଲୋକମାନେ ଏମିତି ଅନେକ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ, ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ବର୍ଷ ବର୍ଷ ଧରି ସମସ୍ୟାକୁ ଭିତି କରି ବିକ୍ଷୋଭ କରାଯାଉଥିଲେ ସୁଦ୍ଧା, କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ କହିଛନ୍ତି । ଅନେକ ବର୍ଷ ଧରି ନେଟୱାର୍କ ସମସ୍ୟାରେ ଲୋକମାନେ ପେଶି ହେଉଥିବାବେଳେ, ଯଦି ସରକାର ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ନକରନ୍ତି, ତେବେ ଆଗାମୀ ଦିନରେ ଚିତ୍ରକୋଣ୍ଡାବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଧମକ ଦେଇଛନ୍ତି ।