ବ୍ୟୟମଞ୍ଜୁରି ବିଲ୍‌ ଆଲୋଚନାରେ ଗର୍ଜିଲେ ବିରୋଧୀ : ଅପାରଗ, ଚାଷୀ ଓ ଗରିବ ବିରୋଧୀ

ଭୁବନେଶ୍ୱର : ଶାସକ ବିଜେଡି ଦଳରେ ଥିବା ଜଣେ ସାଂସଦ ବନ୍ଧୁଙ୍କ ସହ ଭଲ ସଂପର୍କ ଥିଲା ବୋଲି ୩୧୪ କୋଟି ଟଙ୍କାର ବିଦ୍ୟୁତ ଶୁଳ୍‌କ ଛାଡିଦିଆଗଲା। ଆଦାୟ କଲେନି ସରକାର। କାହିଁକି ସଂପୃକ୍ତ ସାଂସଦଙ୍କ ଠାରୁ ଶୁଳ୍‌କ ଆଦାୟ କରାଗଲା ନାହିଁ, ସେ ସଂପର୍କରେ ପଚାରିଲେ ବି ଉତ୍ତର ମିଳୁନାହିଁ। ମାତ୍ର ଉଠା ଜଳସେଚନ ପ୍ରକଳ୍ପ କ୍ଷେତ୍ରରେ ବିଦ୍ୟୁତ ଶୁଳ୍‌କ ଦେଇନଥିଲେ, ତାକୁ ପରବର୍ତ୍ତୀ ବର୍ଷ ପାଣି ମିଳୁନାହିଁ।

ଏଭଳି ଅନେକ ଉଦାହରଣ ଦେଇ ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ର ରାଜ୍ୟ ସରକାରଙ୍କୁ ଗରିବ, ଚାଷୀ, ମହିଳା ବିରୋଧୀ ଏବଂ ପୁଞ୍ଜିବାଦୀ, ଏକଛତ୍ରବାଦୀ ତଥା ଧନୀବର୍ଗର ସରକାର ବୋଲି ଅଭିହିତ କରିଛନ୍ତି। ବ୍ୟୟମଞ୍ଜୁରି ବିଲ୍‌ ଆଲୋଚନାରେ ଭାଗ ନେଇ ଶ୍ରୀ ମିଶ୍ର ମହିଳା ଓ ନାବାଳିକା ସୁରକ୍ଷା ପ୍ରସଙ୍ଗରେ ପ୍ରଚଣ୍ଡ ଆକ୍ରମଣ କରି ରାଜ୍ୟ ସରକାରଙ୍କୁ ଅପାରଗ ବୋଲି ବର୍ଣ୍ଣନା କରିବାକୁ ପଛାଇ ନାହାନ୍ତି। ଆଜି ବ୍ୟୟମଞ୍ଜୁରି ବିଲ୍‌ ଆଲୋଚନାରେ ଭାଗ ନେଇ ଜଳସଂପଦ ବିଭାଗ ଠାରୁ ଆରମ୍ଭ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପର୍ଯ୍ୟନ୍ତ କିଭଳି ଗୋଟିଏ ପରେ ଗୋଟିଏ ବିଭାଗ ଭୁଲ ପରିସଂଖ୍ୟାନ ଜରିଆରେ ଗୃହକୁ ବିଭ୍ରାନ୍ତ କରୁଛନ୍ତି, ତାହାର ଉଦାହରଣ ଦେଇଥିଲେ ବିରୋଧୀ ଦଳ ନେତା। କହିଥିଲେ, ପୁରୀ, କଟକ ଭଳି ସହରରେ ଯେତିକି ଜମି ନାହିଁ, ତା ଠାରୁ ଅଧିକ ଜମିରେ ଜଳସେଚନ ହୋଇଥିବା ନେଇ ଗୃହରେ ତଥ୍ୟ ଦିଆଗଲା। ମନ୍ତ୍ରୀ ନିକଟରେ ସ୍ୱୀକାର କରିଛନ୍ତି ଯେ ଏ ତଥ୍ୟ ଭୁଲ। ଅତଏବ, ମୋଟ ଜଳସେଚନ ପ୍ରତିଶତ ଠାରୁ ଆରମ୍ଭ କରି ପ୍ରକଳ୍ପ ଖର୍ଚ୍ଚ ପର୍ଯ୍ୟନ୍ତ ସବୁ ତଥ୍ୟରେ ତ୍ରୁଟି ରହିଥିବ। ସେହିପରି ବଲାଙ୍ଗୀର ଜିଲ୍ଲାରେ ବିଦ୍ୟାଳୟ ସଂଖ୍ୟା, ପାଇଖାନା, ପିଇବା ପାଣି ବ୍ୟବସ୍ଥାକୁ ଅବଲୋକନ କଲେ ଏମିତି ସନ୍ଦେହ ଉଙ୍କି ମାରିବା ସ୍ୱାଭାବିକ। ସେ ନିଜେ ବିଦ୍ୟାଳୟ ବୁଲିବା ବେଳେ ଦେଖିଛନ୍ତି ଯେ ସରକାରୀ ରିପୋର୍ଟରେ କେତେ ଅସତ୍ୟ ରହିଛି।

ଯଦି ବିଦ୍ୟାଳୟରେ ପାଇଖାନା ଅଛି, ପାଣି ନାହିଁ ତେବେ ସେ କି କାମରେ ଲାଗୁଥିବ? ଏହାଦ୍ୱାରା ପିଲାମାନଙ୍କୁ ସଂକ୍ରମଣକୁ ଠେଲି ଦିଆଯାଉନି ବୋଲି କି ପ୍ରଶ୍ନ କରିବା ସହିତ ଶ୍ରୀ ମିଶ୍ର ଅର୍ଥକୋଷକୁ ଲୁଟ୍‌ କରିବା ପାଇଁ ସରକାର ଓ ସରକାରୀ କର୍ମଚାରୀ ଏଭଳି ପେଞ୍ଚ କରୁଥିବା ଅଭିଯୋଗ କରିଥିଲେ।

ବିନିଯୋଗ ପ୍ରମାଣ ପତ୍ର ଦାଖଲରେ ବିଳମ୍ବ କାରଣରୁ କେନ୍ଦ୍ରୀୟ ଅର୍ଥ ମିଳିବାରେ ଯେଉଁ ସମସ୍ୟା ହେଉଛି, ସେ ସଂପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ ବିରୋଧୀ ଦଳ ନେତା। ଲୋକଙ୍କୁ ଶିକ୍ଷିତ ନ କଲେ ଦାରିଦ୍ର୍ୟ ହଟିପାରିବ ନାହିଁ ବୋଲି ସୂଚାଇ ଶ୍ରୀ ମିଶ୍ର କହିଥିଲେ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅର୍ଥ ନେଉଛନ୍ତି, ମାତ୍ର ଖର୍ଚ୍ଚ କରିପାରୁନାହାନ୍ତି। ସେହିଭଳି ରାଜସ୍ୱ ଆଦାୟ କମୁଥିବା ପରିଲକ୍ଷିତ ହେଉଛି।

କୃଷି ବିଭାଗ ସଂପର୍କରେ ଉଲ୍ଲେଖ କରି ବିରୋଧୀ ଦଳ ନେତା କହିଥିଲେ, ସରକାର ନିଜେ ପୁରସ୍କାର ପାଇଛନ୍ତି। ସ୍ୱତନ୍ତ୍ର କ୍ୟାବିନେଟ୍‌ ଓ ସ୍ୱତନ୍ତ୍ର ବଜେଟ୍‌ କଥା କହୁଛନ୍ତି। ମାତ୍ର ଚାଷୀର ଆୟ ବଢିଛି କି? ସେହିପରି ଜିଏସ୍‌ଟି ପ୍ରସଙ୍ଗରେ ରାଜ୍ୟ ସରକାର ଆଖିବୁଜି ନିଜର ସମସ୍ତ କ୍ଷମତା କେନ୍ଦ୍ର ଅର୍ଥାତ୍‌ ଜିଏସ୍‌ଟି କାଉନସିଲ୍‌ ହାତରେ ଟେକିଦେଲେ। ସମ୍ବିଧାନ ରାଜ୍ୟକୁ କ୍ଷମତା ଦେଇଥିଲା। ଅତୀତରେ କେବେ ବି ଏମିତି ହୋଇନଥିବ ଯେ ଯେଉଁ ଆଇନ ନିଜର ରାଜ୍ୟକୁ କ୍ଷତି ପହଞ୍ଚାଇବ, ତାକୁ ଅନୁମୋଦନ ମିଳିଛି। ରାଜ୍ୟର ରାଜସ୍ୱ ବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ଯାଇ ବିରୋଧୀ ଦଳ ନେତା ମିନେରାଲ୍‌ ବିୟରିଂ ଆକ୍ଟ କଥା ଉଠାଇଥିଲେ। କହିଥିଲେ, ଏକଥା ବାରମ୍ବାର ସେ ଗୃହରେ ଦୋହରାଇଛନ୍ତି। ମାତ୍ର ସରକାର କେବେ ବି ଆଗ୍ରହ ଦେଖାଇନାହାନ୍ତି। କେବଳ ସେତିକି ନୁହେଁ, କଂଗ୍ରେସ ପୂର୍ବରୁ ଏକ ସଂକଳ୍ପ ନେଇଛି ଯେ ଖଣି ଲିଜ୍‌ କୌଣସି ଘରୋଇ ସଂସ୍ଥାକୁ ଦିଆଯିବା ଉଚିତ୍‌ ନୁହେଁ। ବରଂ ଓଏମ୍‌ସି ଭଳି ସରକାରୀ ସଂସ୍ଥା ନିଜ ହାତରେ ଖଣି ରଖିବା ସହିତ ଉତ୍ତୋଳନ କରି ଘରୋଇ ସଂସ୍ଥାକୁ ଦେଲେ ସରକାରଙ୍କୁ ରାଜସ୍ୱ ମିଳିବ। ଏହି ପରିପ୍ରେକ୍ଷୀରେ ଶ୍ରୀ ମିଶ୍ର ସଂଜୀବ ହୋତା କମିଟି ରିପୋର୍ଟ କୁଆଡ଼େ ଗଲା ବୋଲି ପଚାରିଥିଲେ। କହିଥିଲେ ଯେ ସରକାର ୧ଲକ୍ଷ ୨୦ ହଜାର କୋଟି ଟଙ୍କା ବଡ଼ ବଜେଟ୍‌ କରିଛନ୍ତି ବୋଲି କହି ବାହା ବା ଗୋଟାଉଛନ୍ତି। ମାତ୍ର ଏଥିରେ ରାଜ୍ୟର ନିଜସ୍ୱ ଅବଦାନ ହେଉଛି, ମାତ୍ର ୩୮ ହଜାର କୋଟି ଟଙ୍କା। ସରକାର ଯଦି ଏସବୁକୁ ଗ୍ରହଣ କରିଥାନ୍ତେ, ବାର୍ଷିକ ଆଉ ୬୦ହଜାର କୋଟି ଟଙ୍କା ମିଳିଥାନ୍ତା। ଏହାଦ୍ୱାରା ଆଉ କିଛି ହେଉ କି ନ ହେଉ, ଶିକ୍ଷକ ସମସ୍ୟା, ଡାକ୍ତର ଅଭାବ, କର୍ମଚାରୀ ନିଯୁକ୍ତି ଭଳି ସବୁ ବଡ଼ କଥା କରାଯାଇପାରିଥାନ୍ତା।

ରାଜ୍ୟର ସମନ୍ଵିତ ବିକାଶ ନ ହେଲେ ରାଜ୍ୟ ଆଗକୁ ଯାଇପାରିବ ନାହିଁ ବୋଲି ସୂଚାଇ ବିରୋଧୀ ଦଳ ନେତା କହିଥିଲେ, ଗଣତନ୍ତ୍ର ଧ୍ୱଂସ ହେବାକୁ ବସିଲାଣି। ଏକଦା ଆମ୍ବେଦକର ଏଭଳି ଆଶଙ୍କା ପ୍ରକାଶ କରିଥିଲେ। ଏହା ବାସ୍ତବ ରୂପ ନେବାକୁ ବସିଲାଣି। ଧନୀ ଓ ଗରିବ ମଧ୍ୟରେ ଦୂରତା ଦିନକୁ ଦିନ ବଢି ବଢି ଚାଲିଛି। କେନ୍ଦ୍ର ସରକାର ବିଚାର ବ୍ୟବସ୍ଥାରେ ହସ୍ତକ୍ଷେପ କରିବା ନେଇ ଅଭିଯୋଗ ଆସିଲାଣି। ସେନା ମୁଖ୍ୟ ନିରପେକ୍ଷ ରହିବା ବଦଳରେ ରାଜନୀତିର ଭାଷା କହିଲେଣି। ବିରୋଧୀଙ୍କୁ ହାରାସ କରାଯାଉଛି। ମୁଖ୍ୟମନ୍ତ୍ରୀ ଏହି ଫାସିଷ୍ଟ ବ୍ୟବସ୍ଥାକୁ ଅନୁକରଣ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ବିରୋଧୀ ବା ପ୍ରତିପକ୍ଷଙ୍କୁ କିଭଳି ରାଜ୍ୟରେ ମଧ୍ୟ ହଇରାଣ ହରକତ କରାଯାଉଛି ଓ ସରକାରୀ କର୍ମଚାରୀ ଏବଂ ଦଳ କିଭଳି ଫଳକ ଉନ୍ମୋଚନ ଠାରୁ ଆରମ୍ଭ କରି ବିକାଶ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି, ତାହାର ଉଦାହରଣ ଦେଇଥିଲେ। ଏହା ଦ୍ୱାରା ବିକାଶ ପ୍ରକ୍ରିୟାର ସରକାର ବାଟ ଓଗାଳୁଛନ୍ତି ଓ ଲୋକେ ଏଥିପାଇଁ ସରକାରଙ୍କୁ ଘୃଣା କରିବା ଆରମ୍ଭ କଲେଣି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ।

ଏହି ଅବସରରେ ଶ୍ରୀ ମିଶ୍ର ବାର୍ଧକ୍ୟ ଭତ୍ତାକୁ ୧୦୦୦ ଟଙ୍କାକୁ ବୃଦ୍ଧି କରାଯିବା, ଶିକ୍ଷା କ୍ଷେତ୍ରରେ ସମାନ କାମକୁ ସମାନ ଦରମା, କାମଚଳା ବ୍ୟବସ୍ଥା ଛାଡି ସବୁ ବିଭାଗରେ ପୂର୍ଣ୍ଣକାଳୀନ ନିଯୁକ୍ତି, ଖାଲି ପଦବି ପୂରଣ ଏବଂ ଚାଷୀଙ୍କ ପାଇଁ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଏବଂ ପେନସନ୍‌ ଦାବି କରିଥିଲେ।

ବିଜେପି ବିଧାୟକ ବସନ୍ତ ପଣ୍ଡା କହିଥିଲେ, କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଅନୁଦାନ ଅର୍ଥ କାହାରି ପୈତୃକ ସଂପତ୍ତି ନୁହେଁ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେହି ଦୟା କରୁନାହାନ୍ତି। କିନ୍ତୁ ରାଜ୍ୟକୁ ଯେତେ ଅର୍ଥ ଆସୁଛି, ତା’ର ଉପଯୁକ୍ତ ଓ ପୂର୍ଣ୍ଣ ବିନିଯୋଗ କରି ତା’ର ସୁଫଳ ଯେପରି ଲୋକଙ୍କ ପାଖରେ ପହଞ୍ଚିପାରିବ ସେହି ଦାୟିତ୍ୱ ହେଉଛି ରାଜ୍ୟ ସରକାରଙ୍କର। ବରଗଡ଼ର ଚାଷୀମାନଙ୍କ ନିକଟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ପହଞ୍ଚୁନି। ସେହି ଅର୍ଥ ଦଲାଲମାନେ ହାତେଇ ନେଉଛନ୍ତିି। ସାରା ଦେଶରେ ଚିନି କିଲୋ ପିଛା ୨୬ ଟଙ୍କାରେ ବିକ୍ରି ହେଉଛି। କିନ୍ତୁ ଓଡ଼ିଶାରେ ଏହା କାହିଁକି ୪୦ ଟଙ୍କା ବୋଲି ସେ ପଚାରିଥିଲେ। ରାଜ୍ୟରେ ବିଭିନ୍ନ କାରଣରୁ ଚାଷୀ ଆତ୍ମହତ୍ୟା କରୁଛି। ତା’କୁ ସ୍ୱୀକାର କରିବାକୁ ସରକାରଙ୍କ ଦମ୍‌ ନାହିଁ। ସରକାରଙ୍କ ହିସାବରେ ମୁଣ୍ଡ ପିଛା ବାର୍ଷିକ ଆୟ ୬୬୮୯୦ ଟଙ୍କା। କିନ୍ତୁ ଚାଷୀର ଆୟ ମାତ୍ର ୧୬୮୦୦ ଟଙ୍କା। ସେହିପରି ୮ଟି ଜିଲ୍ଲାରେ ସରକାରୀ କଲେଜ ନ ଥିବା, ନବରଙ୍ଗପୁରରେ ମକାର ଅଭାବୀ ବିକ୍ରି, ସବୁ ଅଫିସରେ ପିସି କାରବାର ଚାଲିଥିବା ଆଦି ପ୍ରସଙ୍ଗ ଉଠାଇ ଶ୍ରୀ ପଣ୍ଡା ସରକାରଙ୍କ ଉପରେ ବର୍ଷିଥିଲେ।

କଂଗ୍ରେସ ବିଧାୟକ ଡା. ପ୍ରଫୁଲ୍ଲ ମାଝୀ କହିଲେ, ବିଜେପୁର ଉପନିର୍ବାଚନରେ ସ୍ୱତନ୍ତ୍ର ସମସ୍ୟା ଜନିତ ପାଣ୍ଠି ବା ସ୍ପେସାଲ୍‌ ପ୍ରୋବ୍‌ଲେମ୍‌ ଫଣ୍ଡର ଦୁରୁପଯୋଗ ହୋଇଛି। କଳ୍ପନା ବିଳାସ, ଛଳନା ଭିତରେ ସରକାର ଥାଇ ବାସ୍ତବତା ପ୍ରତି ଆଖିବୁଜି ଦେଇଥିବା କହିଥିଲେ ବିଜେପି ବିଧାୟକ ଡା. ବିଭୂତି ଭୂଷଣ ହରିଚନ୍ଦନ। ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଛତୁଆ ଦୁର୍ନୀତି ପ୍ରସଙ୍ଗ ଉଠାଇ ଗୋଟିଏ ଜିଲ୍ଲାରେ ୧୦ ବର୍ଷରୁ ଅଧିକ ରହିଥିବା ସିଡିପିଓଙ୍କୁ ବଦଳି କରିବାକୁ ଦାବି କରିଥିଲେ। ସାମ୍ବାଦିକ ଏବଂ ଚାଷୀଙ୍କୁ ପେନ୍‌ସନ୍‌ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଥିଲେ ବିଜେପି ବିଧାୟିକା ରାଧାରାଣୀ ପଣ୍ଡା। କଂଗ୍ରେସ ବିଧାୟକ ଭୁଜବଳ ମାଝୀ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ।

ଆଜି ଆଲୋଚନା ଆରମ୍ଭ କରି ଶାସକ ଦଳ ବିଧାୟକ ଡ. ଅରୁଣ କୁମାର ସାହୁ କହିଥିଲେ, ଓଡ଼ିଶା ବିକଶିତ ରାଜ୍ୟ ହୋଇଥିବାରୁ ସରକାରଙ୍କ ଋଣଭାର ବଢ଼ୁଛି। ତଥାପି ଏହା ୨୫ ପ୍ରତିଶତର ସୀମା ମଧ୍ୟରେ ରହିଛି। କିନ୍ତୁ ବିମାରୁ ରାଜ୍ୟଗୁଡ଼ିକ ଯଥା: ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଛତିଶଗଡ଼ରେ ଋଣର ସୀମା ଢ଼େର ଅଧିକ। ୧୦ ବର୍ଷରୁ ଅଧିକ ସମୟ ଧରି ଓଡ଼ିଶା ବଳକା ରାଜ୍ୟ ହୋଇରହିଛି। ତେବେ ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ଦାୟିତ୍ୱ ତୁଲାଇବା କ୍ଷେତ୍ରରେ କେନ୍ଦ୍ରର ବି ଦାୟିତ୍ୱ ରହିଛି। ମହାନଦୀ ହେଉଛି ଜାତୀୟ ସଂପତ୍ତି। ଏହାକୁ ଛତିଶଗଡ଼ର କୃଷକଙ୍କ ପରିବର୍ତେ ଶିଳ୍ପପତିମାନେ କରୁଥିବା ବିଡ଼ମ୍ବନାର ବିଷୟ। ବିଜେପି ସରକାରଙ୍କ ନୀତି ଯୋଗୁଁ ଦଳିତଙ୍କ ଉପରେ ଲଗାତର ଆକ୍ରମଣ ହେଉଥିବା ଏବଂ ଦେଶର ବିଭାଜନ ଆଶଙ୍କା ରହିଥିବା ଦର୍ଶାଇ ବିଧାୟକ ଶ୍ରୀ ସାହୁ ଏନ୍‌ଡିଏ ସରକାରଙ୍କ ବିରୋଧରେ ଗର୍ଜିଥିଲେ। ଶାସକ ଦଳ ବିଧାୟକ ସମୀର ରଞ୍ଜନ ଦାଶ, ବେଦପ୍ରକାଶ ଅଗ୍ରଓ୍ଵାଲା, ମାନସ ମାଡ଼କାମୀ, ଡା. ରାସେଶ୍ୱରୀ ପାଣିଗ୍ରାହୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର