ଦିନକ ପରେ ବିଧାନସଭା: ୨୫ ପ୍ଲାଟୁନ୍‌ ଫୋର୍ସ, ୧୦୦ ଅଫିସର ମୁତୟନ ହେବେ

ବିକ୍ଷୋଭକାରୀଙ୍କ ଉପରେ ନଜର ରଖିବ ସିସି କ୍ୟାମେରା

ଭୁବନେଶ୍ୱର : ଦିନକ ପରେ ବିଧାନସଭାର ବଜେଟ୍‌ ଅଧିବେଶନ। ଏଥିପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ବିଧାନସଭାର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ୩ ଥାକିଆ ସୁରକ୍ଷା ବଳୟ ମଧ୍ୟରେ ରହିବ ବିଧାନସଭା। ସମୁଦାୟ ୨୫ ପ୍ଲାଟୁନ୍‌ ପୁଲିସ ଫୋର୍ସ, ୧୦୦ ପାଖାପାଖି ଅଫିସର, ୩ ଜଣ ଆଡିସନାଲ୍‌ ଡିସିପି ଓ ନିଜେ ଡିସିପି ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ। ବିଧାନସଭା ବ୍ୟତୀତ ଲୋୟର ପିଏମ୍‌ଜିରେ ବିକ୍ଷୋଭକାରୀଙ୍କ କାର୍ଯ୍ୟକଳାପ ଉପରେ ସିସି କ୍ୟାମେରା ନଜର ରଖିବ।

ଡିସିପି ସତ୍ୟବ୍ରତ ଭୋଇଙ୍କ ସୂଚନା ଅନୁଯାୟୀ, ପୂର୍ବଥର ଭଳି ଚଳିତ ଥର ବିଧାନସଭା ଅଧିବେଶନବେଳେ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯିବ। ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷାବାହିନୀ ଅହୋରାତ୍ର ଜଗି ରହିବେ। ବିଧାନସଭା ଛାତ ଉପରେ ମଧ୍ୟ ପୁଲିସ ରହିବ। ବିଧାନସଭାର ପ୍ରବେଶପଥରେ ଦୁଇଟି ଚେକ୍‌ପୋଷ୍ଟ କରାଯାଇଛି। ଗୋଟିଏ ଚେକ୍‌ପୋଷ୍ଟରେ କାର୍‌ କିମ୍ବା ବାଇକ୍‌ ପ୍ରବେଶ କରିବା ପରେ ତାଙ୍କୁ ଅଟକ ରଖାଯିବ। ଯାଞ୍ଚ କରାଯିବା ପରେ କାର୍‌ ଓ ବାଇକ୍‌କୁ ବିଧାନସଭା ଭିତରକୁ ଛଡ଼ା ଯିବ। ଆବଶ୍ୟକ ହେଲେ କାର ଓ ବାଇକ୍‌ର କାଗଜପତ୍ର ଯାଞ୍ଚ କରାଯିବ। ବିଧାନସଭା ଗେଟ୍‌ ନିକଟରେ ଏକ ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ ରୁମ୍‌ ଖୋଲାଯିବ।

ଆସନ୍ତାକାଲି ଅପରାହ୍‌ଣ ୪ଟାରେ ବିଧାନସଭାର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା, କମିସନର୍‌ ଯୋଗେଶ ବାହାଦୁର ଖୁରାନିଆଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ। ବିଧାନସଭା ଉପରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ରହିଛି। ଗତ କିଛି ଦିନ ତଳେ ଏନ୍‌ଏସ୍‌ଜି ପକ୍ଷରୁ ମକ୍‌ଡି୍ରଲ ମଧ୍ୟ କରାଯାଇଥିଲା। ତେଣୁ ଗୁଇନ୍ଦା ପୁଲିସ ଅଧିକାରୀଙ୍କୁ ସତର୍କ କରାଇ ଦିଆଯାଇଛି। ସନ୍ଧାନୀ କୁକର ମାଧ୍ୟମରେ ବିଧାନସଭା ପରିସରକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। ସେହିପରି ବିଧାନସଭା ଅଧିବେଶନବେଳେ ୫୦ରୁ ଅଧିକ ସଂଗଠନ ପକ୍ଷରୁ ବିଭିନ୍ନ ଦାବିନେଇ ବିକ୍ଷୋଭ, ଧାରଣା ଓ ଅନଶନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଆଇନଶଙ୍ଖଳା ପରିସ୍ଥିତ ସୃଷ୍ଟି ହେବାର ଆଶଙ୍କା ରହିଛି। ବିଶେଷକରି କେତେକ ଶିକ୍ଷକ ସଂଗଠନ ବିଧାନସଭା ଅଧିବେଶନବେଳେ ଆଇନକୁ ହାତକୁ ନେବାର ଗୁଇନ୍ଦା ସୂଚନା ମିଳିଛି। ତେଣୁ ଏଭଳି ସଂଗଠନଗୁଡ଼ିକ ଉପରେ ଲୋୟର ପିଏମ୍‌ଜିରେ ଲାଗିଥିବା ସିସିଟିଭି ମାଧ୍ୟମରେ ନଜର ରଖାଯିବ। ବିଧାନସଭା ଆରମ୍ଭ ହେବା କ୍ଷଣି ମାଷ୍ଟରକ୍ୟାଣ୍ଟିନ୍‌-ପିଏମ୍‌ଜି ରାସ୍ତାକୁ ସିଲ୍‌ କରାଯିବ। ଦୁଇଟି ପର୍ଯ୍ୟାୟରେ ଆସନ୍ତା ମେ’ ୫ ତାରିଖ ପର୍ଯ୍ୟନ୍ତ ବସିବାକୁ ଥିବା ବିଧାନସଭା ପାଇଁ କମିସନରେଟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରିଛି।

ଆଜିଠାରୁ କମିସନରେଟ ପୁଲିସ ପକ୍ଷରୁ ଭୁବନେଶ୍ୱର ଷ୍ଟେସନ୍‌ ନିକଟରେ ଥିବା ସମସ୍ତ ହୋଟେଲ୍‌, ଲଜ୍‌ରେ ରହୁଥିବା ଗେଷ୍ଟମାନଙ୍କରେ ଯାଞ୍ଚ ଆରମ୍ଭ କରିଛି। ରାତିରେ ବ୍ଲକିଂ ମଧ୍ୟ ଆରମ୍ଭ କରିଛି ପୁଲିସ।

ସମ୍ବନ୍ଧିତ ଖବର