ପୁଞ୍ଜି ବ୍ୟୟକୁ ବେତନ ଚାପ : ବିଗିଡ଼ିଯାଇପାରେ ରାଜ୍ୟର ବିତ୍ତୀୟ ସ୍ଥିତି

ଭୁବନେଶ୍ୱର : ରାଜ୍ୟର ଆର୍ଥିକ ସ୍ଥିତିକୁ ନେଇ ସରକାର ଖୁସିରେ ଗଦ୍‌ଗଦ୍‌ ହୋଇ ପଡ଼ୁଛନ୍ତି । ବଡ଼ ଜୋରରେ କହୁଛନ୍ତି ଯେ ୨୦୦୫-୦୬ ଆର୍ଥିକ ବର୍ଷରୁ ରାଜ୍ୟର ଅର୍ଥନୀତି ସୁଦୃଢ ହେଉଛି।

୨୦୧୧-୧୨ରୁ ୨୦୧୭-୧୮ର ତଥ୍ୟ ହିସାବକୁ ନେଇ ପ୍ରସ୍ତୁତ ରିପୋର୍ଟ ବି ଦର୍ଶାଉଛି ଯେ ଏହି ୭ ବର୍ଷ ଭିତରେ ଓଡ଼ିଶାର ରାଜସ୍ୱ ଆୟରେ ୧୨୦.୫% ବୃଦ୍ଧି ହୋଇଛି । ପୁଞ୍ଜି ବ୍ୟୟରେ ଏହି ସମୟରେ ୩୬୨% ବୃଦ୍ଧି ଘଟିଛି। କିନ୍ତୁ, ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ରେ ପୁଞ୍ଜି ବ୍ୟୟର ଅନୁପାତ କିମ୍ବା ଅବଦାନକୁ ଯଦି ତୁଳନା କରାଯାଏ ଭିନ୍ନ ଏକ ଚିତ୍ର ସାମ୍ନାକୁ ଆସୁଛି।
୨୦୧୧-୧୨ରେ ଓଡ଼ିଶାର ମୋଟ ପୁଞ୍ଜି ବ୍ୟୟ ଜିଏସ୍‌ଡିପିର ୧.୯୫% ଥିଲା। ୨୦୧୭-୧୮ ସୁଦ୍ଧା ତାହା ୪.୯୯%କୁ ବୃଦ୍ଧି ପାଇଥିଲା। ୨୦୧୫-୧୬ରେ ଏହା ୫%ରୁ ଉଚ୍ଚ ସ୍ତରରେ ପହଞ୍ଚିଥିଲା। ମାତ୍ର ପରବର୍ତୀ ବର୍ଷଗୁଡ଼ିକରେ ପୁଣି ତଳକୁ ଖସିଆସିଛି। ପୁଞ୍ଜି ବ୍ୟୟ ବଢ଼ାଉଥିବା ନେଇ ସରକାର ଯେତେ ବାହା ବା ନେଲେ ବି ତାହା ଠିକ୍‌ ନୁହେଁ ବୋଲି ଏହି ଅନୁଧ୍ୟାନରୁ ଜଣାପଡ଼ିଛି। ଏହା ହୋଇଥିଲେ ଜିଏସ୍‌ଡିପିକୁ ପୁଞ୍ଜି ବ୍ୟୟର ଅନୁପାତ ବହୁତ ଅଧିକ ରହିଥାନ୍ତା।

ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୧୭-୧୮ରେ ଉଲ୍ଲେଖ ରହିଛି ଯେ, ବିଗତ କିଛି ବର୍ଷ ହେଲା ରାଜ୍ୟର ରାଜସ୍ୱ ଆୟ ଉଲ୍ଲେଖନୀୟ ଭାବେ ବଢ଼ୁଛି। ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି) ବୃଦ୍ଧି ସହିତ ତାଳ ଦେଇ ରାଜସ୍ୱ ଆୟ ବଢ଼ୁଛି। ୨୦୧୧-୧୨ରେ ରାଜ୍ୟର ମୋଟ ରାଜସ୍ୱ ଆୟ ୪୦,୨୬୭ କୋଟି ଟଙ୍କା ଥିଲା। ୨୦୧୭-୧୮ରେ ତାହା ୮୮,୯୩୧ କୋଟିକୁ ବୃଦ୍ଧି ପାଇଥିଲା। ଏହି ସମୟ ଭିତରେ ରାଜସ୍ୱ ଆୟରେ ୧୨୦.୫% ଭଳି ବଡ଼ ଧରଣର ବୃଦ୍ଧି ହୋଇଛି। ଏହି ଧାରା ଆଗକୁ ବଜାୟ ରହିବ। ୨୦୧୮-୧୯ରେ ରାଜସ୍ୱ ଆୟ ୧ ଲକ୍ଷ ୨ ଶହ କୋଟି ଟଙ୍କା ହେବ ବୋଲି ସରକାର ବଜେଟ୍‌ରେ ଆକଳନ କରିଛନ୍ତି। ଚଳିତ ବର୍ଷର ତଥ୍ୟ ବିଚାରକୁ ନିଆଗଲେ ବିଗତ ୮ ବର୍ଷରେ ରାଜସ୍ୱ ଆୟରେ ୧୫୦% ବୃଦ୍ଧି ହୋଇଛି ବୋଲି କୁହାଯାଇପାରିବ।

ସେହିପରି ପୁଞ୍ଜି ବ୍ୟୟ ପରିମାଣ ୨୦୧୧-୧୨ରେ ୪୪୯୬.୦୯ କୋଟି ଟଙ୍କା ଥିଲା। ଏହା ୨୦୧୭-୧୮ ସୁଦ୍ଧା ତାହା ୨୦୭୭୩.୫୩ କୋଟିକୁ ବୃଦ୍ଧି ପାଇଛି। ୨୦୧୮-୧୯ରେ ପୁଞ୍ଜି ବ୍ୟୟ ପରିମାଣ ୨୯,୮୦୮ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ତାହା ପୂର୍ବବର୍ଷ ତୁଳନାରେ ୯ ହଜାର କୋଟି ଟଙ୍କା ଅଧିକ।

ପୁଞ୍ଜି ବ୍ୟୟ ବଢ଼ାଇବା ପାଇଁ ରାଜସ୍ୱ ବଳକା ଉପରେ ସରକାର ପ୍ରାଧାନ୍ୟ ଦେଉଛନ୍ତି। ଏହା ଫଳରେ ରାଜ୍ୟର ବିକାଶ ପାଇଁ ସରକାରଙ୍କୁ ଯଥେଷ୍ଟ ମାତ୍ରାର ପୁଞ୍ଜି ମିଳିଯିବ ବୋଲି ଆଶା ରଖାଯାଇଥିଲା। କିନ୍ତୁ ସପ୍ତମ ବେତନ ଆୟୋଗ ସୁପାରିସକୁ କାର୍ଯ୍ୟକାରୀ କରିବା ଜନିତ ବୋଝ ସମେତ ଅନ୍ୟ କେତେକ ବିପଦ ସରକାରଙ୍କ ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେବାର ଭୟ ଏବେ ଘାରିଛି। ରାଜ୍ୟର ବିତ୍ତୀୟ ସ୍ଥିତି ଖରାପ ହେବାର ଆଶଙ୍କା ରହିଛି ବୋଲି ସରକାର ନିଜେ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୧୭-୧୮ରେ ସ୍ୱୀକାର କରିଛନ୍ତି। ୨୦୧୬ ଜାନୁଆରି ପହିଲାରୁ ସପ୍ତମ ବେତନ କମିସନର ସୁପାରିସକୁ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ସରକାର ଘୋଷଣା କରି ସାରିଛନ୍ତି। ୨୦୧୯ ମାର୍ଚ ସୁଦ୍ଧା ଏ ବାବଦ ସମସ୍ତ ବକେୟା ରାଶି କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କୁ ପ୍ରଦାନ କରାଯିବ। ଏହା ହେଲେ ସରକାରଙ୍କ ବ୍ୟୟଭାର ବହୁତ ବଢ଼ିଯିବ।

ଜିଏସ୍‌ଡିପି ତୁଳନାରେ ପୁଞ୍ଜି ବ୍ୟୟକୁ ବୃଦ୍ଧି କରିବା ଉପରେ ଅର୍ଥନୀତିଜ୍ଞମାନେ ଗୁରୁତ୍ୱ ଦେଉଥିବାବେଳେ ସରକାର ଏହାକୁ ଆଶାନୁରୂପ ବଢ଼ାଇବାକୁ ସକ୍ଷମ ହେଉନାହାନ୍ତି। ଫଳରେ ରାଜ୍ୟ ପାଇଁ ଦୀର୍ଘମିଆଦୀ ଭିତ୍ତିରେ ବିଭିନ୍ନ ପ୍ରକାର ଲାଭଜନକ ସମ୍ପଦ ବା ଆସେଟ୍‌ ସୃଷ୍ଟି କରାଯାଇ ପାରୁନାହିଁ। ପୁଞ୍ଜି ବ୍ୟୟକୁ ଠିକ ଢଙ୍ଗରେ ଖର୍ଚ କରାଯାଉ ନଥିବାରୁ ରାଜ୍ୟର ଆୟ ଏବଂ ବିକାଶ ସୂଚୀରେ ଏହା ଅନୁକୂଳ ପ୍ରତିଫଳନ ଦେଖିବାକୁ ମିଳୁନାହିଁ। ତେଣୁ ପୁଞ୍ଜି ବ୍ୟୟକୁ ବୃଦ୍ଧି କରାଯିବା ସହିତ ସଂପୃକ୍ତ ରାଶିରେ ନିର୍ମାଣାଧୀନ ପ୍ରକଳ୍ପ ଯଥା ସଡ଼କ, ପୋଲ, ଜଳସେଚନ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ନିର୍ଧାରିତ ସମୟ ମଧ୍ୟରେ ଶେଷ କରିବା ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି। ଏହା ହେଲେ ପୁଞ୍ଜି ବ୍ୟୟର ଲାଭ ମଧ୍ୟ ସରକାର ନିର୍ଧାରିତ ସମୟ ଭିତରେ ପାଇପାରିବେ। ଏଥିପାଇଁ କୃଷି, ଜଳସେଚନ, ନଗର ଉନ୍ନୟନ, ସ୍ୱାସ୍ଥ୍ୟ ବିଭାଗ ଆଦିରେ ନିର୍ମାଣ କରୁଥିବା ବିଭିନ୍ନ ପ୍ରକଳ୍ପକୁ ଠିକଣା ଢଙ୍ଗରେ ନିର୍ମାଣ କରିବା ସହିତ ସମୟ ଭିତରେ ସାରିବାକୁ ହେବ ବୋଲି ଅର୍ଥନୀତିଜ୍ଞମାନେ ମତ ଦେଇଛନ୍ତି।

ଅର୍ଥନୀତିଜ୍ଞମାନଙ୍କର କହିବା କଥା ହେଉଛି, ସରକାରୀ ଅଧିକାରୀମାନଙ୍କୁ ଠିକାଦାର ପ୍ରୀତି ଛାଡ଼ିବାକୁ ହେବ। ଏହା ନହେଲେ ବାରମ୍ବାର ବିଭିନ୍ନ ପ୍ରକଳ୍ପର ନିର୍ମାଣ ଶେଷ ହେବାର ଅବଧି ସହିିତ ଖର୍ଚ ବଢ଼ି ଚାଲିବ, ଯାହାକି ରାଜ୍ୟର ଅର୍ଥନୀତି ପ୍ରତି ବୁମେରାଂ ହେବ। ଗୋଦରା କୋଡେ ଯେତେ ମାଡ଼େ ସେତେ ଭଳି ସରକାର ପୁଞ୍ଜି ବ୍ୟୟ ବଢ଼ାଇ ଚାଲିଲେ ମଧ୍ୟ ଏହାର କୌଣସି ବାସ୍ତବ ଲାଭ ପରବର୍ତୀ ପର୍ଯ୍ୟାୟରେ ପାଇବେ ନାହିଁ। ସରକାର ପୁଞ୍ଜି ବ୍ୟୟରେ କରୁଥିବା ବିଭିନ୍ନ ପ୍ରକଳ୍ପକୁ ଠିକ୍‌ ସମୟରେ ସାରିପାରିଲେ ଏ ବାବଦରେ ବିଭିନ୍ନ ଟିକସ ଏବଂ ୟୁଜର୍ସ ଫି ଆଦି ଆଦାୟ କରିପାରିବେ। ଫଳରେ ରାଜ୍ୟର ନିଜସ୍ୱ ସମ୍ବଳ ମଧ୍ୟ ବୃଦ୍ଧି ପାଇବ ଏବଂ ରାଜ୍ୟକୁ ଋଣ ଉପରେ କମ୍‌ ନିର୍ଭରଶୀଳ ହେବାକୁ ପଡ଼ିବ। ତେଣୁ ସରକାର ପୁଞ୍ଜି ବ୍ୟୟ ବୃଦ୍ଧି ସହିତ ଏହି ରାଶିର ବ୍ୟୟ ଗୁଣାତ୍ମକ ଦୃଷ୍ଟିରୁ ତୁରନ୍ତ ବୃଦ୍ଧି କରିବାକୁ ଅର୍ଥନୀତି ବିଶାରଦମାନେ ମତ ଦେଇଛନ୍ତି।

ଆଜି ପୂର୍ଣ୍ଣାଙ୍ଗ ବଜେଟ୍‌ ଉପରେ ମୋହର

ଭୁବନେଶ୍ୱର : ୨୦୧୮-୧୯ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପରେ ଆସନ୍ତାକାଲି ବିଧାନସଭା ମୋହର ମାରିବେ। ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ପୂର୍ବାହ୍ନରେ ଗୃହରେ ବ୍ୟୟମଞ୍ଜୁରୀ ବିଲ୍‌ ଆଗତ କରିବାର କାର୍ଯ୍ୟକ୍ରମ ରହିଛି।

ଉଲ୍ଲେଖଯୋଗ୍ୟ, ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ମାର୍ଚ୍ଚ ମାସରେ ବଜେଟ୍‌ ଆଗତ ହୋଇଥିଲା। ମାତ୍ର ସଂସଦୀୟ ବ୍ୟବସ୍ଥା ଆଧାରରେ ବିଧାନସଭା ସ୍ଥାୟୀ କମିଟି ଦ୍ୱାରା ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ତର୍ଜମା ଓ ଆଲୋଚନା ପାଇଁ ସୁଯୋଗ ନଥିଲା। ଏଣୁ କେବଳ ଏପ୍ରିଲ ମାସର ଖର୍ଚ୍ଚକୁ ବିଚାରକୁ ନେଇ ବିଧାନସଭା ଆଗତ ହୋଇଥିବା ମାସିକିଆ (କାମଚଳା) ବ୍ୟୟ ମଞ୍ଜୁରୀ ବିଲ୍‌କୁ ଅନୁମୋଦନ ଦେଇଥିଲେ। ଇତିମଧ୍ୟରେ ସ୍ଥାୟୀ କମିଟି ବଜେଟ୍‌ ତର୍ଜମା କରିଛନ୍ତି ଓ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବିକୁ ଗୃହ ଅନୁମୋଦନ ଦେଇଛି। ଏଣୁ ଆସନ୍ତାକାଲି ପୂର୍ଣ୍ଣାଙ୍ଗ ବଜେଟ୍‌ ଉପରେ ବ୍ୟୟମଞ୍ଜୁର ବିଲ୍‌ ଆଗତ ହେବ।

ସମ୍ବନ୍ଧିତ ଖବର