ଓଳାଶୁଣୀ ପୀଠକୁ ନୂତନ ରାସ୍ତା ନିର୍ମାଣ : ଶହ ଶହ ଗଛ ଓ ପଥର ଚୋରାଚାଲାଣ

ଯାଜପୁର : ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳୀ ଓଳାଶୁଣୀ ପୀଠର ପୂର୍ବ ପଟ ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୧ କୋଟି ଟଙ୍କା ମଂଜୁର ହୋଇଛି। ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଯାଇଛି। ମାତ୍ର ରାସ୍ତା ନିର୍ମାଣ ପାଇଁ ଶହ ଶହ ଗଛ କଟି ରାତାରାତି ଚାଲାଣ କରିଦିଆ ଯାଇଛି। ଏପରିକି ମୂଲ୍ୟବାନ ପଥର ମଧ୍ୟ ଏଠାରୁ ଚୋରା ଚାଲାଣ ଚାଲିଛିା ଯାହାକୁ ନେଇ ଜଙ୍ଗଲ ବିଭାଗ ଅଧିକାରୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇଛି ବୋଲି ବୈରୀ ରେଂଜର ଚଣ୍ଡିଖୋଲ ଫରେଷ୍ଟରଙ୍କୁ ନିର୍ଦେଶ ଦେଇଛନ୍ତି ବୋଲି କହିଛନ୍ତି।

ଚଣ୍ଡିଖୋଲ ପାରାଦ୍ଵୀପ ୫ନଂ(କ) ଜାତୀୟ ରାଜପଥ ପାର୍ଶ୍ୱ ପୂର୍ବ ପଟରୁ ଓଳାଶୁଣୀ ପୀଠ ସିଂହଦ୍ଵାର ସମ୍ମୁଖ ବାଇଶି ପାହାଚ ନିକଟକୁ ସଡ଼କ ପଥ ଓ ପାର୍କିଂ ସ୍ଥଳ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା କାମ ଆରମ୍ଭ ହୋଇଛି। ଓଳାଶୁଣୀ ପୀଠର ସୌଦର୍ଯ୍ୟକରଣ, ପରିବେଶକୁ ସୁସ୍ଥ ପ୍ରଦୂଷଣ ମୁକ୍ତ ପାଇଁ ଜଙ୍ଗଲ ବିଭାଗ ପୀଠର ଚାରିପାଖରେ ଦୀର୍ଘ ଦିନ ହେବ ବନୀକରଣ କରି ଘଞ୍ଚ ଜଙ୍ଗଲ ସୃଷ୍ଟି କରିଛି। ଯେଉଁଥିପାଇଁ ବିଭାଗ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ବିଭାଗ ପକ୍ଷରୁ ଚନ୍ଦନ, ନୀଳଗିରି ଆକାଶି, ଆମ୍ଭ, ପଣସ, କଶି ପ୍ରଭୃତି ବିିଭିନ୍ନ ପ୍ରକାର ଗଛ ଲଗାଇଛନ୍ତି। ଠିକାଦାର ରାସ୍ତା କରିବା ନାମରେ ପାହାଡର ଜଙ୍ଗଲରୁ ଶହଶହ ସଂଖ୍ୟାରେ ଗଛ କାଟି ଦେବା ସହିତ ବିକ୍ରି କରି ଦେଇଛନ୍ତି। ରାସ୍ତା ନିର୍ମାଣ ଆଳରେ ଜେସିଭି ଗାଡି ଲଗାଇ ବଡବଡ ପଥର ମଧ୍ୟ ଟ୍ରକ୍‌ ଯୋଗେ ଚୋରା ଚାଲାଣ କରାଯାଇଥିବାର ଅଭିଯୋଗ ହୋଇଛିା

ଠିକାଦାର ଜଙ୍ଗଲ ବିଭାଗ ଠାରୁ କୌଣସି ଅନୁମତି ନଆଣି ଶହଶହ ଗଛ କାଟି ବିକ୍ରି କରିଥିଲେ ମଧ୍ୟ ପ୍ରଶାସନ ନିରବ ହୋଇ ବସିଛି। ଜଙ୍ଗଲ ବିଭାଗ ଠାରୁ ଅନୁମତି ନଆଣି ଗ୍ରାମ୍ୟ ଉନ୍ନୟନ ବିଭାଗ କିପରି ରାସ୍ତା କରିବାକୁ ଅନୁମତି ଦେଲା! ତାହା ମଧ୍ୟ ସନ୍ଦେହ ସୃଷ୍ଟି କରୁଛି। ଠିକାଦାର ଶାସକ ଦଳର ହୋଇଥିବାରୁ ସବୁ ଆଇନ୍‌ ତାଙ୍କ ନିକଟରେ ବାଟ ଭାଙ୍ଗି ଚାଲିଯାଇଛିା ଏନେଇ ଜଙ୍ଗଲ ବିଭାଗର ବୈରୀ ରେଞ୍ଜର୍‌ ମନୋରଂଜନ ସ୍ୱାଇଁଙ୍କୁ ପଚାରିବାରେ ସେ କହିଲେ ଜଙ୍ଗଲ ବିଭାଗ ନିକଟରୁ କେହି ଅନୁମତି ନେଇ ନାହାନ୍ତି। ଏହି ଅଭିଯୋଗ ମିଳିବା ପର କାମ ବନ୍ଦ ପାଇଁ ଚଣ୍ଡିଖୋଲ ଫରେଷ୍ଟର୍‌ଙ୍କୁ ନିର୍ଦେଶ ଦେଇଛନ୍ତି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

ସମ୍ବନ୍ଧିତ ଖବର