କୋଟିପତିଙ୍କ ବାହାଘରକୁ ବଳିଗଲା ଷଣ୍ଢ ବାହାଘର; ନନ୍ଦୀଙ୍କ ସହ ସୌରଭୀଙ୍କ ଶୁଭ ପରିଣୟ

ପୁରୀ : କୌଣସି କୋଟିପତି ଓ ସମ୍ଭ୍ରାନ୍ତ ପରିବାରର ବିବାହ ଆୟୋଜନଠୁ କମ୍‌ ନଥିଲା ଏ ବାହାଘର। ଶଙ୍ଖଧ୍ବନି, ସଂକୀର୍ତ୍ତନ, ଦୁଲ୍‌ଦୁଲି, ଧୁଡ଼ୁକି, ଶିଙ୍ଗବାଜା, ପାଇକ ଆଖଡ଼ା, ଆଦିବାସୀ ନାଚ ଆଦି ପାରମ୍ପରିକ ନୃତ୍ୟ ଓ ବ‌ାଦ୍ୟଯନ୍ତ୍ର ରୋ‌ଷଣିରେ କମ୍ପି ଉଠିଥିଲା ବଡ଼ଦାଣ୍ଡ। ୫ ଶହରୁ ଅଧିକ ବରଯାତ୍ରୀ ନାଚ ଗୀତରେ ମସ୍‌ଗୁଲ୍‌ ଥିଲେ। ଆଗରେ ବର ଗାଡ଼ି ଥିଲା। ଏହି ରୋଷଣି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। କେବଳ ସେତିକି ନୁହେଁ ବରଯାତ୍ରୀ ଓ ନିମନ୍ତ୍ରିତ ଅତିଥିଙ୍କୁ ଖୁସି କରିବା ପାଇଁ ହୋଇଥିଲା ବ୍ୟାପକ ଆୟୋଜନ। କନ୍ୟାପକ୍ଷ, ବରପକ୍ଷଙ୍କ ଲୋକଙ୍କ ଖାଇବାକୁ ଦିଆ ଯାଇଥିଲା ବିଭିନ୍ନ ପ୍ରକାରର ବ୍ୟଞ୍ଜନ। ବରର ବାଟ ବରଣି ସରିବା ପରେ ବର ଟାଟା ଏସି ଉପରେ ଆଉ କନ୍ୟା ତଳେ ଠିଆ ହୋଇ ରହିଥିଲେ। ବୈଦିକ ରୀତିରେ ବିବାହ ଅନୁଷ୍ଠିତ ହୋଇଥିଲା।

ତେବେ ଏ ବିବାହ କେଉଁ ମଣିଷର ନଥିଲା। ଏ ସବୁ ଆୟୋଜନ କେବଳ ଷଣ୍ଢର ବାହାଘର ପାଇଁ ହୋଇଥିଲା। ବୃଷଭ ନନ୍ଦୀ ମହାରାଜ ପାରମ୍ପରିକ ବୈଦିକ ରୀତିରେ ଆଜି ଗୋମାତା ସୌରଭୀଙ୍କ ହାତ ଧରିଥିଲେ। ଅଗ୍ନିଙ୍କୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ବୃଷଭ ନନ୍ଦୀ ଓ ଗୋମାତା ‌ସୌରଭୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ପ୍ରକାଶ ଯେ, ପୁରୀ ଆଳପୁର ସୂର୍ଯ୍ୟାୟନ ଗୋ ଆଶ୍ରମ ପକ୍ଷରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲି ଠାରେ ବୃଷଭଙ୍କ ଆଡ଼ମ୍ବରପୂର୍ଣ୍ଣ ବିବାହ ଆୟୋଜନ କରାଯାଇ ଥିଲା।

ସମ୍ବନ୍ଧିତ ଖବର