ହାଟଡିହି ବ୍ଲକ୍‌ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ଜଳିଗଲା ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌

ହାଟଡ଼ିହି: କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ କାର୍ଯ୍ୟାଳୟରେ ସୋମବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଅାଁରେ ପୋଡ଼ି ଜଙ୍ଗଲ ଜମି ଫାଇଲ୍‌ ଓ ମତ୍ସ୍ୟ ବିଭାଗର ବହୁ ଗୁରୁତ୍ଵପୂର୍ଣ୍ଣ ଫାଇଲ୍‌ ପାଉଁଶ ହୋଇଯାଇଛି। ଜଙ୍ଗଲ ଜମି ଯୋଜନାରେ ଅନିୟମିତତା ଧରାପଡ଼ିବା ଭୟରେ କେହି ଦୁର୍ବୃତ୍ତ ଜାଣିଶୁଣି ବ୍ଲକ କାର୍ଯ୍ୟାଳୟରେ ନିଅାଁ ଲଗାଇଥିବା ଚର୍ଚ୍ଚା ହେଉଛି। ସେହିପରି ଏଜି ଅଡିଟ୍‌କୁ ଟାଳିବା ଅନ୍ୟତମ କାରଣ ବୋଲି କୁହାଯାଉଛି। ସୋମବାର ରାତି ପ୍ରାୟ ୧୨ଟା ୨୦ ମିନିଟ ସମୟରେ ବ୍ଲକ୍‌ କାର୍ଯ୍ୟାଳୟର ପୁରୁଣା କୋଠରୀରେ ଚାଲିଥିବା ଜଙ୍ଗଲ ଜମି ବିଭାଗ ଓ ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଲା ବେଳକୁ ଅଫିସ୍‌ଟି ସମ୍ପୂର୍ଣ୍ଣ ପୋଡିଯାଇଥିଲା। ଅଗ୍ନିକାଣ୍ଡରେ ୫ଟି ଲୁହା ଆଲମିରା ସହ ଦୁଇଟି କାଠ ଆଲମିରା, ଗୋଟିଏ ଫ୍ୟାନ୍‌ ଓ ଅନ୍ୟାନ ସାମଗ୍ରୀ ପୋଡ଼ିଯାଇଛି। ଅଫିସରେ ଥିବା ଜଙ୍ଗଲ ଜମି ସମ୍ପର୍କିତ କାଗଜପତ୍ର, ମତ୍ସ୍ୟ ବିଭାଗର କାଗଜପତ୍ର ଓ ୨୦୧୨/୧୩ ପର୍ଯ୍ୟନ୍ତ ଅଡିଟି ସରିଥିବା ବହୁ ଫାଇଲ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି। ଆଜି ବ୍ଲକ୍‌ କର୍ତ୍ତ୍ୟପକ୍ଷଙ୍କ ପକ୍ଷରୁ ଏ ନେଇ ଥାନାରେ ଅଭିଯୋଗ କରାଯାଇଛି।

ସମ୍ବନ୍ଧିତ ଖବର