ଜଳୁଛି ପଶ୍ଚିମ ଓଡ଼ିଶା: ସବୁଠୁ ଉତ୍ତପ୍ତ ଝାରସୁଗୁଡ଼ା

୪୦ଂ ଉପରେ ୧୨ ସହର

ଭୁବନେଶ୍ୱର: ଜଳୁଛି ପଶ୍ଚିମ ଓଡ଼ିଶା। ସବୁ ସହରର ତାପମାତ୍ରା ୪୦ ଡିଗ୍ରି ଟପିଥିବା ବେଳେ ଆଜିି ଅଭ୍ୟନ୍ତରୀଣ ଓଡ଼ିଶା ବି ତତଲା ତାଓ୍ଵା ପାଲଟିଛି। ଢ଼େଙ୍କାନାଳ, ଅନୁଗୁଳ, କେନ୍ଦୁଝର ପରି ସହରର ସର୍ବୋଚ୍ଚ ତାପମାତ୍ରା ବି ୪୦ ଡିଗ୍ରି ଡେଇଁଛି। ଗତକାଲି ତତଲାଗଡ଼ରେ ପରିଣତ ହୋଇଥିବା ଟିଟିଲାଗଡ଼ର ତାପମାତ୍ରା ଆଜି ମଧ୍ୟ ୪୪ ଡିଗ୍ରି ଉପରେ ରହିଥିଲା। ଝାରସୁଗୁଡ଼ା ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା। ଏଠାରେ ପ୍ରଥମଥର ଲାଗି ଚଳିତବର୍ଷ ତାପମାତ୍ରା ୪୪ ଡିଗ୍ରି ଡେଇଁ ୪୪.୪ ଡିଗ୍ରିରେ ପହଞ୍ଚିଛି। ଏଥିସହ ହୀରାକୁଦରେ ମଧ୍ୟ ପାରଦ ଉପରମୁହାଁ ହୋଇଛି। ଏଠାରେ ତାପମାତ୍ରା ୪୪.୧ ଡିଗ୍ର୍ରି ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୩.୬, ବଲାଙ୍ଗୀରରେ ୪୩.୫, ତାଳଚେରରେ ତାପମାତ୍ରା ୪୩.୧ଡିଗ୍ରି ରହିଥିଲା। ମୋଟ ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ନେଇ ସୂଚନା ମିଳିଛି। ଆଗକୁ ତାତି ଆହୁରି ବଢ଼ିବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୧୨ ତାରିଖ ଯାଏ ପଶ୍ଚିମ ଓଡ଼ିଶାରେ ଏହି ସ୍ଥିତି ଜାରି ରହିବ। ଗୋଟିଏ ଦୁଇଟି ସ୍ଥାନରେ ପାରଦ ୪୫ ଡିଗ୍ରି ଛୁଇଁବାର ଆଶଙ୍କା ରହିଛି। ତାହାକୁ ଦୃଷ୍ଟିରେ ରଖି ଆସନ୍ତା ଦୁଇ ଦିନ ପାଇଁ ପଶ୍ଚିମ ଓ ଅଭ୍ୟନ୍ତରୀଣ ଓଡ଼ିଶା ଲାଗି ହିଟ୍‌େଓ୍ଵଭ୍‌ ଜାରି କରାଯାଇଛି। ଉପକୂଳ ଓ ଉତ୍ତର ଓଡ଼ିଶାରେ କିନ୍ତୁ କାଳବୈଶାଖୀର ତାଣ୍ଡବ ଜାରି ରହିବ। ୧୦ ତାରିଖରେ ସୁନ୍ଦରଗଡ଼ ସମେତ କେନ୍ଦୁଝର, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା, ଖୋର୍ଧା, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା ଜିଲ୍ଲା ପାଇଁ ସତର୍କ ସୂଚନା ଦିଆଯାଇଛି। ଝଡ଼ବର୍ଷା ସହ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ହୋଇପାରେ। ୧୧ ତାରିଖରେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା, ୧୨ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ହେବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ସମ୍ବନ୍ଧିତ ଖବର