ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ଯାତ୍ରୀବାହୀ ବସ୍ , ବାଇକ ଆରୋହୀ ମୃତ,୮ ଗୁରୁତର

ସାକ୍ଷୀଗୋପାଳ: ପୁରୀ ଜିଲ୍ଲା ଅନ୍ତର୍ଗତ ସାକ୍ଷୀଗୋପାଳ ନିକଟରେ ଏକ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଏକ ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଥିଲା। ଏହାଫଳରେ ୮ ଜଣ ବସଯାତ୍ରୀ ଗୁରୁତର ହୋଇଥିବା ଜଣାଯାଇଛି । ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଶ୍ରୀଦୁର୍ଗା ନାମକ ଏକ ଘରୋଇ ବସ୍ ସକାଳୁ ପୁରୀରୁ ଭୁବନେଶ୍ୱର ଅଭିମୁଖ ଯାଉଥିଲା । ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ନିକଟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ୮ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ ପୁରୀ ଜିଲ୍ଲା ସଦର ମୁଖ୍ୟ ମହକୁମା ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।

ଅପରପକ୍ଷରେ ବାଇକ ଆରୋହୀଜଣଙ୍କର ପୁରୀ ଜିଲ୍ଲା ସଦର ମୁଖ୍ୟ ମହକୁମା ଚିକିତ୍ସାଳୟରେ ମୃତ୍ୟୁ ହୋଇଥିବାର ଖବର ମିଳିଛି। ତାଙ୍କର ପରିଚୟ ଏଯାବତ୍ ମିଳି ନଥିବା କୁହାଯାଉଛି। ଅନ୍ୟ ୧୨ଜଣ ଆହତ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସାପରେ ଛାଡ଼ି ଦିଆଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର