ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ପ୍ରବାସୀଙ୍କୁ ନେଇ ଯାଉଥିବା ବସ୍ ଓଲଟିଲା, ୪୦ ଯାତ୍ରୀ ଆହତ,୪ ଗୁରୁତର

ଜଳେଶ୍ଵର: ୬୦ ନମ୍ବର ଜାତୀୟ ରାଜପଥର ସୀମାନ୍ତ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ କେରଳରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା କେଏଲ-୩୮୬୧୦୧ ନମ୍ବରର ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣକ ଅବସ୍ଥା ସଙ୍କଟାପନ୍ନ ରହିଛି।

ଗତ ଦୁଇଦିନ ତଳେ କେରଳର ମାଲାୟଲମପୁରରୁ ଏହି ବସଟି ୪୦ ଜଣ ଯାତ୍ରୀଙ୍କୁ ନେଇ ପଶ୍ଚିମବଙ୍ଗ ଅଭିମୁଖେ ବାହାରିଥିଲା। ତେବେ ଆଜି ପୂର୍ବାହ୍ନ ପ୍ରାୟ ୧୦ ଟା ସମୟରେ ବସଟି ଲକ୍ଷ୍ମଣନାଥ ଟୋଲଗେଟ ସନ୍ନିକଟରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବସ୍ଥ ଖାଈକୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଯାତ୍ରୀମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳର ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ସେହିପରି ଘଟଣାସ୍ଥଳକୁ ଏକ ଡ଼ାକ୍ତରୀ ଦଳ ସହ ଆମ୍ବୁଲାନ୍ସକୁ ଅଣାଯାଇ ସେହି ଆମ୍ବୁଲାନ୍ସରେ ଆହତମାନଙ୍କ ଚିକିତ୍ସା କରା ଯାଇଥିଲା।

ତେବେ ଏହି ଆହତ ମାନଙ୍କ ମଧ୍ୟରୁ ସପନ ସେକ(୪୦),ମଇଉଦ୍ଦିନ ସେକ(୩୧),ସେକ କାଲିମୁଦ୍ଦିନ(୨୪) ଓ ବାବୁ ସେକ(୨୪)ଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅନ୍ୟ ଏକ ଆମ୍ବୁଲାନ୍ସରେ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ଚିକିତ୍ସା ପାଇଁ ଅଣାଯାଇଛି। ପ୍ରାଥମିକ ଚିକିତ୍ସା ପରେ ଏହି ୪ ଜଣ ସୁସ୍ଥ ଥିବା କୁହାଯାଇଛି। ବସର ଯାତ୍ରୀମାନେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲା ମଙ୍ଗଳକୋଟ ଥାନା ଭାଲୁଗ୍ରାମର ୩୦ ଜଣ ଓ ବୀରଭୂମିର ୧୦ ଜଣ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର