ଯାଜପୁରକୁ ବ୍ୟାପିଲା କେନ୍ଦୁଝର ବସ୍‌ ସଂଘ ବିବାଦ : ଚଣ୍ଡିଖୋଲରେ ୫ ବସ ଅଟକ, ବସରୁ ଶତାଧିକ ଯାତ୍ରୀଙ୍କୁ ଓହ୍ଲାଇ ଦେଲେ, ପିଲାଛୁଆଙ୍କୁ ଧରି ଯାତ୍ରୀ‌ ନୟାନ୍ତ

ରୁଟ୍‌ ପରମିଟ ଅନୁସାରେ ଚାଲିବ ବସ୍‌

ଯାଜପୁର/କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଓ କେନ୍ଦୁଝର ବସ ମାଲିକ ସଂଘ ମଧ୍ୟରେ ରୁଟ୍ ପରମିଟ୍ ଓ ବଟି ଆଦାୟକୁ ନେଇ ଚାଲିିଥିବା ବିବାଦ ଯାଜପୁରରେ ପହଞ୍ଚିଛି। ଆଜି ଚଣ୍ଡିଖୋଲ ଠାରେ କେନ୍ଦୁଝର ସଂଘର ୫ଟି ବସକୁ ଚଣ୍ଡିଖୋଲ ବସ ମାଳିକ ସଂଘର କେତେକ କର୍ମକର୍ତ୍ତା ଅଟକାଇ ଯାତ୍ରୀଙ୍କୁ ବସରୁ ଓହ୍ଲାଇ ଦେଇଛନ୍ତି। ଆଜି ପ୍ରଚଣ୍ଡ ଖରା ଓ ଗରମ ହେଉଥିବା ବେଳେ ଦୂର ଦୂରାନ୍ତରୁ ପିଲାଛୁଆକୁ ଧରି ଆସିଥିବା ଶତାଧିକ ଯାତ୍ରୀ ନାହିଁ ନଥିବା ଦୁର୍ଦ୍ଦଶା ଭୋଗ କରିଛନ୍ତି। ଯାତ୍ରୀଙ୍କ ସଂପୃକ୍ତ ବସ ମାଲିକଙ୍କ ଉପରେ ଏଭଳି ଅମାନୁସିକ କାର୍ଯ୍ୟାନୁଷ୍ଠାନକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯିବା ସହିତ ଆଇନକୁ ହାତକୁ ନେଇଥିବା ମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ବସରୁ ଯାତ୍ରୀଙ୍କୁ ଓହ୍ଲାଇ ଦେବା ଘଟଣା ଗତକାଲି ଠାରୁ କେନ୍ଦୁଝର ଜିଲ୍ଲାରେ ଚାଲୁ ରହିଛି। ପ୍ରଭାବଶାଳୀ ବସ ମାଲିକ ଆଇନକୁ ହାତକୁ ନେଇ ଶହଶହ ଯାତ୍ରୀଙ୍କୁ ରାଜରାସ୍ତାରେ ହଇରାଣ କରୁଥିବା ‌େବଳେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରବାକୁ ଭୟ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ସମାଲୋଚନା କରାଯାଇଛି।

କେନ୍ଦୁଝର ଓ ଚମ୍ପୁଆ ବସ ମାଲିକ ସଂଘ ଦ୍ବୟ ମଧ୍ୟରେ ଲାଗି ରହିଥିବା ବିବାଦ ଆଜି ଦ୍ବିତୀୟ ଦିନରେ ତୀବ୍ର ହୋଇଛି। ଆଜି ମଧ୍ୟ କେନ୍ଦୁଝର ସଂଘର ବସଗୁଡ଼ିକ ବଡ଼ବିଲ ଅଭିମୁଖେ ଯାଉଥିବା ବେଳେ ୧୦ଟି ବସକୁ ଝୁମ୍ପୁରା ନିକଟରେ ଚମ୍ପୁଆ ସଂଘର କର୍ମକର୍ତ୍ତା ଅଟକାଇ ଥିଲେ। ସେହିପରି କେନ୍ଦୁଝରରୁ ଭୁବନେଶ୍ବର ଯାଉଥିବା କେନ୍ଦୁଝର ବସ ମାଲିକ ସଂଘର ୫ଟି ବସକୁ ଚଣ୍ଡିଖୋଲ ସଂଘର କେତେକ କର୍ମକର୍ତ୍ତା ବଡ଼ଚଣା ନିକଟରେ ଅପରାହ୍‌ଣ ରେ ଅଟକାଇ ଯାତ୍ରୀଙ୍କୁ ଜୋରଜବରଦସ୍ତ ଓହ୍ଲାଇ ଦେଇଥିଲେ। ଅଧାବାଟରେ ଯାତ୍ରୀମାନେ ବହୁ ସମୟ ପଡ଼ିରହି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେପଟେ କେନ୍ଦୁଝର ମାଲିକ ସଂଘ ମଧ୍ୟ ‘ସ୍ବୟଂ’ ବସକୁ କେନ୍ଦୁଝରରେ ଅଟକ ରଖିଥିଲେ। କେନ୍ଦୁଝର ସଂଘ ଏହି ବିବାଦର ସ୍ଥାୟୀ ସମାଧାନ ଚାହୁଁଥିବା ବେଳେ ଶାନ୍ତିଲତା ବସ ଓ ଅନିମା ବସ ମାଲିକ ସଂଘ ବ୍ୟବସ୍ଥାକୁ ଏଡ଼ାଇ ଦେଇ ଅନୁମତି ପାଇଥିବା ରୁଟ୍ ପରମିଟ ସମୟରେ ବସ ଚଳାଚଳ କରିବାକୁ ଜିଦ ଧରି ବସିଛନ୍ତି। ଏହାକୁ କେନ୍ଦୁଝର ସଂଘ ବିରୋଧ କରୁଛି। ଏହା ପୂର୍ବରୁ ଏହିପରି ୬ଟି ବସ୍‌ ରୁଟ ପରମିଟ ଥାଇ ମଧ୍ୟ ଚମ୍ପୁଆ ସଂଘର ଅସହଯୋଗ ଯୋଗୁଁ ଚଳାଚଳ କରିପାରୁ ନାହିଁ।

ଏହି ବିବାଦର ସମାଧାନ ପାଇଁ ଆଜି ପୂର୍ବାହ୍ନରେ କେନ୍ଦୁଝର ଟାଉନ ଥାନା ଅଧିକାରୀ କେନ୍ଦୁଝର ସଂଘ ଓ ଶାନ୍ତିଲତା ବସ ମାଲିକଙ୍କୁ ନେଇ ଆଲୋଚନା କରିଥିଲେ। ହେଲେ ଶାନ୍ତିଲତା ବସ ମାଲିକ ଅନୁମତି ପାଇଥିବା ରୁଟ୍ ପରମିଟ ସମୟରେ ତାଙ୍କ ଗାଡି ଚଳାଇବାକୁ ଜିଦ ଧରିବାରୁ ଆଲୋଚନ ବିଫଳ ହୋଇଥିଲା।

ଆଜି ସଂଧ୍ୟାରେ କେନ୍ଦୁଝର ଆର୍‌ଟିଓ କାର୍ଯ୍ୟାଳୟରେ ଆରଟିଓ ନିର୍ମଳ ମହାନ୍ତି, ଉପଜିଲ୍ଲାପାଳ ସୋମନାଥ ପ୍ରଧାନ, ଏସଡିପିଓ ପ୍ରକାଶ ଜେମ୍ସ ଟପ୍ପୋ, କେନ୍ଦୁଝର ବସ ମାଲିକ ସଂଘର ସଭାପତି ମନୋରଂଜନ ସାହୁ, ସଂପାଦକ ସଂଘାତ୍ରି ବିହାରୀ ସାହୁ, କେନ୍ଦୁଝର ମିନି ବସ ମାଲିକ ସଂଘର ସଂପାଦକ ବିପିନ ବିହାରୀ ସାହୁ, ଚମ୍ପୁଆ ବସ ମାଲିକ ସଂଘର ସଂପାଦକ ଉତ୍ତମ କୁମାର କରଙ୍କୁ ନେଇ ଆଲୋଚନା କରାଯାଇଛି। ଶେଷ ସୂଚନା ଅନୁସାରେ ରାତିରେ ଏହି ବୈଠକରେ ସମାଧାନର ପନ୍ଥା ବାହାରିଥିବା ସୂଚନା ମିଳିଛି। ପରିବହନ ବିଭାଗ ତଥା ପ୍ରଶାସନର ନିଷ୍ପତ୍ତି ଅନୁସାରେ ଏଣିକି ସମସ୍ତ ବସ୍‌ ନିଜନିଜ ରୁଟ୍‌ ପର୍‌ମିଟ ଅନୁସାରେ ସେମାନଙ୍କୁ ଦିଆଯାଇଥିବା ସମୟରେ ହିଁ ଚଳାଚଳ କରିବେ। ଏଥିସହ ସେମାନଙ୍କୁ ନିର୍ଦ୍ଧାରିତ କରାଯାଇଥିବା ଗନ୍ତବ୍ୟସ୍ଥଳରେ ନିଶ୍ଚିତ ପହଞ୍ଚିବେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର