ବଢ଼ିଲା ବସ୍‌ ଭଡ଼ା : ସାଧାରଣ, ଏକ୍ସପ୍ରେସ୍‌ କି.ମି. ପିଛା ୨ ପଇସା ବୃଦ୍ଧି

ଭୁବନେଶ୍ୱର : ଓଡ଼ିଶା ସମେତ ସାରା ଦେଶରେ ପେଟ୍ରୋଲ୍‌, ଡିଜେଲ୍‌ ଦର ପ୍ରତିଦିନ ବଢ଼ିଚାଲିଛି। ରାଜ୍ୟବାସୀଙ୍କ ପାଇଁ ଏହା ଅତ୍ୟାବଶ୍ୟକୀୟ ସାମଗ୍ରୀ କହିଲେ ଭୁଲ ହେବନାହିଁ। ଆଜି ଭୁବନେଶ୍ୱରରେ ପେଟ୍ରୋଲ୍‌ ଦର ଲିଟର ପିଛା ଟ ୭୭.୦୭ ପଇସାକୁ ବୃଦ୍ଧି ପାଇଥିବା ବେଳେ ଡିଜେଲ୍‌ ଲିଟର ପହଞ୍ଚିଛି ଟ ୭୪.୧୯ ପଇସା। ଦିନେ କି ଦୁଇଦିନ ନୁହେଁ, ମେ’ ୧୮ ତାରିଖରୁ ଉଭୟ ପେଟ୍ରୋଲ୍‌, ଡିଜେଲ୍‌ ଦର ଲଗାତର ଭାବେ ହୁ ହୁ ବଢ଼ିବାରେ ଲାଗିଛି। ତୈଳ ଦର ନିୟନ୍ତ୍ରଣ ପାଇଁ ଖୁବଶୀଘ୍ର ନିଷ୍ପତ୍ତି ନେବାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶ୍ୱାସନା ଧୂଆଁବାଣରେ ପରିଣତ ହୋଇଛି। ପ୍ରତ୍ୟକ୍ଷ ଓ ପରୋକ୍ଷରେ ଏହା ନିଆଁ ଲଗାଇ ଦେଇଛି ଖାଉଟି ବଜାରରେ। ବସ୍‌ ଭଡ଼ା ଉପରେ ଏହାର ପ୍ରଭାବ ସର୍ବାଧିକ। ଫଳରେ ଆଜି ବସ୍‌ ଭଡ଼ା ସବୁ ଶ୍ରେଣୀ ସ୍ତରରେ ବଢ଼ିଛି।

ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନାନୁସାରେ ସାଧାରଣ(ଅର୍ଡିନାରି) ଓ ଏକ୍ସପ୍ରେସ୍‌ ବସ୍‌ ଭଡ଼ା କି.ମି. ପିଛା ୨ ପଇସା ବଢ଼ିଛି। ଅର୍ଡିନାରି ବସ୍‌ ଭଡ଼ା କି.ମି. ପିଛା ୬୮ ପଇସା ଥିଲା। ଏହା ୭୦ ପଇସାକୁ ବଢ଼ିଛି। ସେହିପରି ଏକ୍ସପ୍ରେସ୍‌ ବସ୍‌ ଭଡ଼ା କି.ମି. ପିଛା ୭୧ ପଇସା ଥିବା ବେଳେ ୭୩ ପଇସାକୁ ବୃଦ୍ଧି ପାଇଛି। ଡିଲକ୍ସ ଭଡ଼ା କି.ମି. ପିଛା ୪ ପଇସା ବୃଦ୍ଧି ପାଇ ୯୭ ପଇସାରୁ ପହଞ୍ଚିଛି ୧ ଟଙ୍କା ୧ ପଇସାରେ। ସେହିପରି ଡିଲକ୍ସ ଭଡ଼ା ୧ ଟଙ୍କା ୧୯ ପଇସାରୁ ୧ ଟଙ୍କା ୨୩ ପଇସାକୁ ଅର୍ଥାତ୍‌ କି.ମି. ପିଛା ୪ ପଇସା ବୃଦ୍ଧି ପାଇଛି।

ତୈଳ ଦର ବୃଦ୍ଧି ନେଇ ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଆଜିଠାରୁ ଆରମ୍ଭ ହୋଇଛି। ଏହାର ପ୍ରତିବାଦରେ ରାଜଧାନୀର ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଛି। ଏହା ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହା ପୂର୍ବରୁ ପ୍ରଦେଶ କଂଗ୍ରେସ କମିଟି, ଯୁବ କଂଗ୍ରେସ ପକ୍ଷରୁ ତୈଳ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କିନ୍ତୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସମର୍ଥନରେ ରାଜ୍ୟ ସରକାର ଭାଟ୍‌ ହ୍ରାସ କରିବାକୁ ଦାବି କରି ବସିଯାଇଛନ୍ତି ବିଜେପି ରାଜ୍ୟ କର୍ମକର୍ତ୍ତାମାନେ। ରାଜନୈତିକ ଦଳମାନଙ୍କ ବିରୋଧ ସତ୍ତ୍ୱେ କେନ୍ଦ୍ର ସରକାରଙ୍କ ଉପରେ କୌଣସି ପ୍ରଭାବ ପଡ଼ୁନାହିଁ। ଏହାର ନମୁନା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରବତା। କଟକ ଗସ୍ତ ଅବସରରେ ସେ ତାଙ୍କ ଅଭିଭାଷଣରେ ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ମୁହଁ ଖୋଲିନଥିଲେ। ତେବେ ସାଧାରଣ ଲୋକେ ଦର ବୃଦ୍ଧି ଯୋଗୁଁ ନୟାନ୍ତ ହୋଇପଡ଼ିଲେଣି। ଆଉ ଅଳ୍ପ କିଛି ଦିନରେ ପେଟ୍ରୋଲ୍‌, ଡିଜେଲ୍‌ ଲିଟର ୯୦ ଟଙ୍କା ଟପିବାର ଆଶଙ୍କା ମଧ୍ୟ ସେମାନଙ୍କୁ ଭାରାକ୍ରାନ୍ତ କଲାଣି।

ସମ୍ବନ୍ଧିତ ଖବର