ଯାତ୍ରୀବାହୀ ଘରୋଇ ବସ୍ ଓଲଟି ଜଣଙ୍କର ମୃତ୍ୟୁ , ୬ ଜଣ ଆହତ

ବଲାଙ୍ଗୀର : ଆଜି ଭୋର ୪ଟା ସମୟରେ ଭୁବନେଶ୍ୱରରୁ ବଲାଙ୍ଗୀର ଯାଉଥିବା ଏକ ଯାତ୍ରୀବାହୀ ଘରୋଇ ବସ୍ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଥିବାର ଖବର ମିଳିଛି।
ମିଳିଥିବା ସୂଚନା ଅନୁସାରେ ବଲାଙ୍ଗୀର-ସୋନପୁର ରାସ୍ତାର ପୁଇଁତଲା ନିକଟରେ ଶ୍ରୀରାମ ନାମକ ଯାତ୍ରୀବାହୀ ଘରୋଇ ବସ୍ ଓଲଟି ପଡ଼ିଥିଲା। ଏହାଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି।ଏମାନଙ୍କ ଭିତରୁ ଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି।
ମୃତ ବ୍ୟକ୍ତିଙ୍କ ନାଁ ଅରୁଣ ପାତ୍ର ବୋଲି ଜଣାଯାଇଛି। ତାଙ୍କ ଘର ଡୁମେରବାହାଲ୍ ଗାଁରେ। ସେ ଜଣେ ଡ୍ରାଇଭର। ବସ୍ ଓଲଟି ପଡ଼ିବା ପରେ ସେ ଚାପି ହୋଇଯାଇଥିଲେ ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ସୂଚନା ମିଳିଛି।ଏହି ଦୁର୍ଘଟଣାରେ ଚରଣ ବିଶ୍ୱାଳ,ନନ୍ଦିନୀ ସାହୁ ଏବଂ ମାନସୀ ନାମକ ଯାତ୍ରୀଙ୍କ ସମେତ ୬ଜଣ ଆହତ ହୋଇଛନ୍ତି। ବସରେ ମାତ୍ର ୧୦ଜଣ ଯାତ୍ରୀ ଥିଲେ।
ଅନ୍ୟପକ୍ଷରେ ଆହତମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ରେ ପ୍ରାଥମିକ ଚିକିତ୍ସା କରାଯାଇ ଘରକୁ ପଠାଇ ଦିଆଯାଇଛି। ଘଟଣା ସ୍ଥଳରେ ପୁଲିସ୍ ପହଁଚି ମୃତ ଦେହକୁ ଜବତ କରିବା ସହିତ ତଦନ୍ତ ଚଳାଇଛି ।

ସମ୍ବନ୍ଧିତ ଖବର