ସରକାରଙ୍କୁ ଚେତାଇଲେ ବସ୍‌ ମାଲିକ : ଠପ୍ ହୋଇଯିବ ବସ୍ ପରିବହନ

ଡିଜେଲ ବୃଦ୍ଧି ଯୋଗୁଁ ଦିନକୁ ୪ହଜାର କ୍ଷତି, ଯାତ୍ରୀ କମୁଛନ୍ତି, ରିହାତିରେ ତେଲ ଦିଅ

ଭୁବନେଶ୍ବର : ତୈଳ ଦର ବୃଦ୍ଧି ପ୍ରସଙ୍ଗ ଆଜି ନୂଆ ମୋଡ଼ ନେଇଛି। ରାଜ୍ୟ ବସ ମାଲିକ ସଂଘ ଆଜି ରାଜ୍ୟ ସରକାରଙ୍କ ପାଖରେ ନୂଆ ଢଙ୍ଗରେ ଦାବି ଉପସ୍ଥାପନ କରିଛନ୍ତି। ବସ୍ ମାଲିକ ପ୍ରତି ଦିନ ୪ହଜାର ଟଙ୍କା କ୍ଷତି ସହୁଛନ୍ତି ବୋଲି ଦର୍ଶାଇ ସଂଘ ପକ୍ଷରୁ କୁହାଯାଇଛି, ସରକାର ତୁରନ୍ତ ରିହାତି ଦରରେ ସେମାନଙ୍କୁ ଡିଜେଲ ଯୋଗାଇ ଦିଅନ୍ତୁ। ବସ୍ ଭଡ଼ା ମଧ୍ୟ ଅନୁରୂପ ହାରରେ ନିର୍ଧାରଣ କରାଯାଉ। ଅନ୍ୟଥା ଯେ କୌଣସି ମୁହୂର୍ତରେ ପରିବହନ ସେବା ଠପ୍ ହୋଇଯାଇପାରେ।

ରାଜ୍ୟ ବସ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ ଏକ ପ୍ରେସ ବିବୃତିରେ କହିଛନ୍ତି, ମାତ୍ରାଧିକ ଡିଜେଲ ଦର ବୃଦ୍ଧି ଯୋଗୁ ସିଧାସଳଖ ଭାବେ ବସ୍‌ ମାଲିକ ଓ ଯାତ୍ରୀମାନେ କ୍ଷତି ସହୁଛନ୍ତି। ଦୈନିକ ୩୨୦ କି‌ମି ଚାଲୁଥିବା ଗୋଟିଏ ବସ୍‌ର ମୁଖ୍ୟ ଖର୍ଚକୁ ହିସାବକୁ ନିଆଗଲେ ବସ୍‌ ଚଳାଚଳ କିଭଳି ଦୟନୀୟ ସ୍ଥିତିରେ ପହଞ୍ଚିଲାଣି, ତାହା ଜଣାପଡିବ। ପରିସଂଖ୍ୟାନ ଦେଇ ସଂଘ କହିଛି, ଡିଜେଲ ଦର ଆସି ୮୦ଟଙ୍କାରେ ପହଞ୍ଚିଲାଣି। ଗୋଟିଏ ଲିଟର ଡିଜେଲରେ ବସ୍‌ଟି ୪କିମି ଚାଲେ। ଦୈନିକ ୩୨୦ କିମି ଚାଲୁଥିବା ବସ୍‌ ପାଇଁ ସର୍ବନିମ୍ନ ୮୦ ଲିଟର ଡିଜେଲ ଆବଶ୍ୟକ ହୋଇଥାଏ ଯାହାର ମୂଲ୍ୟ ୬୨୪୦ଟଙ୍କା। ଅନ୍ୟାନ୍ୟ ଖର୍ଚ ମି‌ଶାଇଲେ ବସ୍‌ ପାଇଁ ସର୍ବନିମ୍ନ ଦୈନିକ ଖର୍ଚ ୧୫,୦୪୦ଟଙ୍କା ହୋଇଥାଏ। ଅନ୍ୟପକ୍ଷରେ ଯଦି ୮୦ ପ୍ରତିଶତ ଯାତ୍ରୀଙ୍କ ଭଡ଼ାକୁ ହିସାବ କରାଯାଏ ତେବେ ସର୍ବାଧିକ ୧୧ହଜାର ଟଙ୍କା ଆୟ ହେଉଛି। ଏଭଳି ସ୍ଥିତିରେ ବସ୍‌ ମାଲିକମାନଙ୍କୁ ପାଖାପାଖି ଦୈନିକ ୪ହଜାର ଟଙ୍କା କ୍ଷତି ସହିବାକୁ ପଡ଼ୁଛି।

ସଂଘ ଆହୁରି କହିଛି, ଡିଜେଲ ଦରକୁ ଦୃଷ୍ଟିରେ ରଖି ବସ୍‌ଭଡ଼ା ବଢ଼ୁଥିବାରୁ ଯାତ୍ରୀମାନେ ଟ୍ରେନ୍‌ରେ କମ୍‌ ଟଙ୍କା ଦେଇ ଯିବାଆସିବା କରିବା ଆରମ୍ଭ କଲେଣି। ଫଳରେ ନିୟମିତ ବସ୍‌ ଯାତ୍ରୀଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ଥିତି ଗମ୍ଭୀର ଆଡକୁ ଯାଉଥିବା ଲକ୍ଷ୍ୟ କରି ମାଲିକମାେନ କ୍ଷତି ଭରଣା ପାଇଁ କିଛି ବସ୍‌ ଚଳାଚଳକୁ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି। ଯେ କୌଣସି ମୁହୂର୍ତରେ ବସ୍ ପରିବହନ ବ୍ୟବସ୍ଥା ବନ୍ଦ ହୋଇଯିବ ବୋଲି ସଂଘ କହିଛି।

ଅକ୍ଟୋବର ୫େର କେନ୍ଦ୍ର ସରକାର ଡିଜେଲର ଦର ଲିଟର ପିଛା ୨ଟଙ୍କା ୫୦ ପଇସା କମାଇବା ପର୍ଯ୍ୟାପ୍ତ ନୁହେଁ ବୋଲି ଦର୍ଶାଇ ସଂଘ କହିଛି, ଡିଜେଲର ଦର କ୍ରମାଗତ ଭାବେ ବଢ଼ି ଚାଲିବା ପରେ େଯତିକି କମିଲା, ତାହା ସମୁଦ୍ରକୁ ଶଙ୍ଖେ ପରି। ରାଜ୍ୟରେ ବସ୍‌ ଚଳାଚଳ ଓ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ସୁଧାରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଡିଜେଲ ଲିଟର ପ୍ରତି ସର୍ବନିମ୍ନ ୩୦ଟଙ୍କା ହ୍ରାସ କରିବାର ଆବଶ୍ୟକତା ରହିଛି ବସ ମାଲିକ ସଂଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର