ସରକାରଙ୍କ ଘୋଷଣା ସତ୍ତ୍ବେ, ଆରମ୍ଭ ହୋଇନି ବସ୍ ଚଳାଚଳ, କଟକର ବାଦାମବାଡ଼ି ବସଷ୍ଟାଣ୍ଡ ଗତ ଦୁଇ ମାସ ଭଳି ଖାଁ ଖାଁ

କଟକ : ଆଜିଠୁଁ ଅଟୋ, ଟାକ୍ସି ଓ ବସ୍‌ ସେବା ଆରମ୍ଭ ହେବ ବୋଲି ସରକାର ଘୋଷଣା କରିଥିବା ସତ୍ତ୍ବେ ବି କଟକରେ ଏହାର ବିଶେଷ ପ୍ରଭାବ ପଡ଼ିନାହିଁ। ଆଜି ସକାଳେ କଟକର ବାଦାମବାଡ଼ି ବସଷ୍ଟାଣ୍ଡ ଗତ ଦୁଇ ମାସ ଭଳି ଖାଁ ଖାଁ ରହିଛି। ଏଠାରୁ କୌଣସି ବସ୍ ଯାତାୟତ ଆରମ୍ଭ କରି ନ ଥିବା ଜଣାଯାଇଛି। ଏପରିକି କୌଣସି ସରକାରୀ ବସ୍ ବି ଚାଲୁ ନ ଥିବାର ଖବର ମିଳିଛି। ଠିକ୍ ସେହିପରି ସହରରେ ସିଟି ବସ୍ ଚଳାଚଳ ବି ଆରମ୍ଭ ହୋଇପାରି ନାହିଁ। ଏପରିକି ଅଟୋ ଚଳାଚଳ ବି ସ୍ବାଭାବିକ ହୋଇ ନ ଥିବା କୁହାଯାଉଛି। ଠିକ୍ ସେହିଭଳି ଅବସ୍ଥା ଭଦ୍ରକ ଜିଲ୍ଲାରେ ପରିଲକ୍ଷିତ ହେଉଛି। ରାଜ୍ୟର ଅନ୍ୟ ପ୍ରମୁଖ ବସଷ୍ଟାଣ୍ଡ ବି ଗତ ଦୁଇ ମାସ ଭଳି ଖାଁ ଖାଁ ରହିଥିବାର ଖବର ମିଳିଛି।

ସୂଚନାଯୋଗ୍ୟ, ବସ୍‌ର ସିଟ୍‌ ସଂଖ୍ୟା ଅନୁଯାୟୀ ଯାତ୍ରୀ ପରିବହନ ହେବ ବୋଲି ଗତକାଲି ସରକାର ଘୋଷଣା କରିଥିଲେ। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ କୌଣସି ନିଷ୍ପତ୍ତି ନେଇପାରିନି। ସେପଟେ ସରକାରଙ୍କ ସହ ବିସ୍ତୃତ ଆଲୋଚନା ପରେ ବସ୍‌ ଚଳାଇବା ନେଇ ନିଷ୍ପତ୍ତି ନିଆଯିବ ବୋଲି ବସ୍‌ ମାଲିକ ସଂଘ କହିଛି। ଏଣେ ସେମାନଙ୍କ ପାଖରେ ଡ୍ରାଇଭର୍ ଓ ହେଲପର୍ ନ ଥିବା ଯୋଗୁ ମଇ ୨୫ ତାରିଖରୁ ବସ୍ ଚଳାଚଳ ସମ୍ଭବ ନୁହେଁ ବୋଲି ବି ବସ୍‌ ମାଲିକ ସଂଘ ପକ୍ଷରୁ କୁହାଯାଇଥିଲା।

ସମ୍ବନ୍ଧିତ ଖବର