ନିର୍ବାଚନ ପୂର୍ବରୁ ଚାଞ୍ଚଲ୍ୟ: ଆସିକାରେ ବ୍ୟବସାୟୀଙ୍କୁ ହତ୍ୟା

ଆସିକା: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଆସିକା ଥାନା ଇଲାକା ଅଶାନ୍ତ ହୋଇ ଉଠିଛି। ଗତକାଲି ରାତିରେ ଖଣ୍ଡଦେଉଳି ପଞ୍ଚାୟତ ଗଉଡ଼ଗୋଠ ଗ୍ରାମରେ କଂଗ୍ରେସ ନାହାକ (୫୦) ନାମକ ଜଣେ ତେଜରାତି ବ୍ୟବସାୟୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। କଂଗ୍ରେସଙ୍କୁ ରକ୍ତ ଜୁଡୁବୁଡ଼ୁ ଓ ଅଚେତ ଅବସ୍ଥାରେ ଗାଁ ସ୍କୁଲକୁ ଲାଗି ରହିଥିବା ନଳକୂପ ପାଖରୁ ଉଦ୍ଧାର କରାଯାଇଥିଲା। ଆସିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ଏନେଇ ଆସିକା ଥାନାରେ କେସ ନମ୍ବର ୧୨୫ ଅନୁସାରେ ଏକ ହତ୍ୟା ମାମଲା ରୁଜୁ କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। କଂଗ୍ରେସ ଗାଁରେ ଏକ ତେଜରାତି ଦୋକାନ କରିଥିଲେ। ସବୁଦିନ ଭଳି ଗତକାଲି ରାତିରେ ସେ ଦୋକାନ ବନ୍ଦ କରି ଘରକୁ ଫେରିବା ପରେ ସ୍କୁଲ ପାଖରେ ଥିବା ନଳକୂପକୁ ଗାଧୋଇବାକୁ ଯାଇଥିଲେ। ହେଲେ ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ନ ଫେରିବାରୁ ପତ୍ନୀ ମଞ୍ଜୁଳା ବ୍ୟସ୍ତ ହୋଇ ଉଠିଥିଲେ। ଖୋଜାଖୋଜି କରି ନଳକୂପ ପାଖରେ ପହଞ୍ଚିବା ବେଳକୁ ସେଠାରେ କଂଗ୍ରେସ ରକ୍ତ ଜୁଡୁବୁଡ଼ୁ ଓ ଅଚେତ ଅବସ୍ଥାରେ ପଡ଼ିଥିଲେ। ମୁଣ୍ଡ ପଛପଟୁ ପ୍ରବଳ ରକ୍ତସ୍ରାବ ହେଉଥିଲା। ଏହାସହ ନଳକୂପ ଚାରିପଟେ ରକ୍ତଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା। ସଂଗେ ସଂଗେ ତାଙ୍କୁ ଗ୍ରାମବାସୀଙ୍କ ସହାୟତାରେ ଆସିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥ‌ିଲେ ବି ଡାକ୍ତର ମୃତ ଘୋଷଣା କରିଥିଲେ। ଆଜି ହତ୍ୟା ମାମଲା ରୁଜୁ ପରେ ପୁଲିସ ଘଟଣାସ୍ଥଳରୁ ରକ୍ତଛିଟା ଲାଗିଥିବା ଏକ ବଡ଼ କାଠଫାଳିଆ ଜବତ କରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି ବୋଲି ଥାନା ଅଧିକାରୀ ପୀତବାସ ଧାରୁଆ ସୂଚନା ଦେଇଛନ୍ତି। କଂଗ୍ରେସଙ୍କ ପତ୍ନୀ ମଞ୍ଜୁଳାଙ୍କ ଅଭିଯୋଗ ଅନୁସାରେ, ଗତକାଲି ଗ୍ରାମର ଜଣେ ବ୍ୟକ୍ତିଙ୍କ ସହ ଟଙ୍କା ନେଣଦେଣକୁ କଂଗ୍ରେସଙ୍କ ପାଟିତୁଣ୍ଡ ହୋଇଥିଲା। ଏହାସହ ସଂପୃକ୍ତ ବ୍ୟକ୍ତି ଜଣକ ତାଙ୍କ ଉପରେ ରାଜନୈତିକ ଆକ୍ରୋଶ ବି ରଖି ଥିଲେ। ଏହି ବିବାଦକୁ କେନ୍ଦ୍ରକରି କଂଗ୍ରେସଙ୍କୁ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ବିଭିନ୍ନ ଦିଗରୁ ପୁଲିସ ତଦନ୍ତକୁ ତ୍ବରାନ୍ବିତ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର