ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା

କଟକ : ଲଟେରି ଖେଳକୁ କେନ୍ଦ୍ର କରି ଆଜି ଜଣେ ବ୍ୟବସାୟୀଙ୍କ ମୁଣ୍ଡ ଗଡ଼ିଛି। ଗଣେଶ ଭସାଣି ଚାଲିଥିବା ବେଳେ ଦିନ ପ୍ରାୟ ୩ଟା ବେଳେ ପିଠାପୁର କୋଠା ସାହି ଲେନ୍‌ ନିକଟରେ ଭରତପୁର ଅଂଚଳର ବ୍ୟବସାୟୀ ଦିଲୁ ଓରଫ୍‌ ଦିଲ୍ଲୀପ ସାହୁ(୪୦)ଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଦୁର୍ବୃତ୍ତ ଜଣକ ଅତି ନିକଟରୁ(ଜିରୋ ରେଞ୍ଜ୍‌) ଦିଲ୍ଲୀପଙ୍କ ଛାତିକୁ ଗୁଳି କରି ଫେରାର୍‌ ହୋଇଯାଇଥିବା ବେଳେ ଡିସିପି ଅଖିଳେଶ୍ୱର ସିଂହ ସାଇଣ୍ଟିଫିକ୍‌ ଟିମ୍‌ ସହିତ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଚଳାଇଛନ୍ତି। ଘଟଣାସ୍ଥଳରୁ ପୁଲିସ ଦୁଇଟି ଖୋକା ଜବତ କରିଛି। ୯ ଏମ୍‌ଏମ୍‌ ପିସ୍ତଲରୁ ଗୁଳି ମାଡ଼ ହୋଇଥିବା ପୁଲିସ ସୂଚନା ଦେଇଛି। ପାର୍ବଣ ଋତୁ ଆରମ୍ଭରୁ ଦିନ ଦ୍ୱିପ୍ରହରରେ ଏ ପ୍ରକାର ହତ୍ୟାକାଣ୍ଡ ଗୋଟିଏପଟେ ସାରା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଅନ୍ୟପଟେ ଆଜି ରାତିରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଅଜିତର ମା’, ମାମୁ, ମାଇଁ ଓ ଦୁଇ ଶାଳୀଙ୍କୁ ଥାନାକୁ ଉଠାଇ ଆଣିଥିବା ସୂଚନା ମିଳିଛି।

ସୂଚନାନୁଯାୟୀ, ସ୍ୱର୍ଗତ କାଶୀନାଥ ସାହୁଙ୍କ ସାନ ପୁଅ ଦିଲ୍ଲୀପଙ୍କ ମାଲ୍‌ଗୋଦାମରେ ଏକ ଅଟା ଗୋଦାମ ରହିଛି। ତାଙ୍କ ସହିତ ପିଠାପୁର କୋଠାସାହି ଲେନ୍‌ର ଅଜିତ ଓରଫ ପପୁ ଜେନା(୩୦) ଏବଂ ଆଉ କିଛି ସ୍ଥାନୀୟ ଲୋକେ ଚିଟି ଖେଳ(ଲଟେରି) ଖେଳନ୍ତି। ଏହି ଖେଳରେ ଦିଲ୍ଲୀପଙ୍କଠାରୁ ୫ ଲକ୍ଷ ଟଙ୍କା ଅଜିତ ନେଇଥିଲା। କିନ୍ତୁ ପରବର୍ତୀ ସମୟରେ ଟଙ୍କା ନଦେଇ ଠକିବାକୁ ଉଦ୍ୟମ କରିଥିଲା। ଦିଲ୍ଲୀପ ଅନେକ ସମୟରେ ଟଙ୍କା ମାଗିଥିଲେ ସୁଦ୍ଧା ଅଜିତ ଟଙ୍କା ଦେଉନଥିଲା। ପାରାଦୀପରେ କାମ କରୁଥିବା ଅଜିତ ଆଜି ଘରେ ଥିବା ଖବର ପାଇ ଦିଲ୍ଲୀପ ନିଜ ନାଲି ରଙ୍ଗର ହୋଣ୍ଡା ୟୁନିକର୍ଣ୍ଣ ବାଇକ୍‌(ଓଡି ୦୫ ଆର୍‌-୦୯୮୫)ରେ ଅପରାହ୍ନ ପ୍ରାୟ ୩ଟା ବେଳେ ଅଜିତଙ୍କ କୋଠା ସାହି ଲେନ୍‌ ଘରକୁ ଯାଇଥିଲେ। ଘର ବାହାରେ ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। କିଛି ସମୟ ପରେ ଅଜିତ ନିଜ ୯ ଏମ୍‌ଏମ୍‌ ପିସ୍ତଲ୍‌ରୁ ଅତି ନିକଟରୁ ଦିଲ୍ଲୀପଙ୍କ ଛାତିକୁ ଗୁଳି କରିଥିଲେ। ଦୁଇ ରାଉଣ୍ଡ୍‌ ଗୁଳି ଦିଲ୍ଲୀପଙ୍କ ଛାତି ଡାହାଣ ପଟେ ପଶିଯିବାରୁ ସେ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ। ତଳେ ପଡ଼ି ଦିଲ୍ଲୀପ ଛଟପଟ ହେଉଥିବା ବେଳେ ଅଭିଯୁକ୍ତ ଅଜିତ, ତାଙ୍କ ପତ୍ନୀ, ବାପା ପ୍ରଦୀପ ଓରଫ ଗେଡ଼ୁଆ, ବୋଉ ଅମ୍ବିକା, ସାନ ଭାଇ ମନୋଜ ଏବଂ ତାଙ୍କ ପତ୍ନୀ ଘରୁ ଫେରାର୍‌ ହୋଇଯାଇଥିଲେ।

ଏପଟେ ଖବର ପାଇ ଏସିପି ଅନିଲ ମିଶ୍ର, ପୁରୀଘାଟ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ, ବାଦାମବାଡ଼ି ଥାନା ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଡିସିପି ଅଖିଳେଶ୍ୱର ସିଂହ ହତ୍ୟାକାଣ୍ଡର ସ୍ଥିତି ଅନୁଧ୍ୟାନ କରିଥିଲେ। ଘଟଣାସ୍ଥଳରୁ ଦୁଇଟି ଖୋକା, ଦିଲ୍ଲୀପଙ୍କ ମୋବାଇଲ୍‌ ଫୋନ୍‌, ପର୍ସ ଓ ୟୁନିକର୍ଣ୍ଣ ୧୬୦ ବାଇକ୍‌ ଜବତ କରାଯାଇଛି। ଦିଲ୍ଲୀପଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆସନ୍ତାକାଲି ଦିଲ୍ଲୀପଙ୍କ ଶବ ବ୍ୟବଚ୍ଛେଦ କରାଯିବ। ମୃତ ଦିଲ୍ଲୀପଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।

ଅନ୍ୟପଟେ ପୁଲିସ ଅଜିତଙ୍କ ଘର ପାଖରେ ଥିବା ଏକ ତିନି ମହଲା କୋଠାରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ୍‌ କରିଥିଲେ ମଧ୍ୟ ତାହା ଅଚଳ ଥିବା ଜଣାପଡ଼ିଛି। ମାଲ୍‌ଗୋଦାମରେ ବ୍ୟବସାୟୀ ଭାବେ କାର୍ଯ୍ୟ କରୁଥିବା ମୃତ ଦିଲ୍ଲୀପଙ୍କ ବଡ଼ ଭାଇ ତ୍ରିଲୋଚନ ଗୁଳି ମାଡ଼ ସମ୍ପର୍କରେ ପୁରୀଘାଟ ଥାନାରେ ଆଜି ସନ୍ଧ୍ୟାରେ ଏତଲା ଦେଇଛନ୍ତି। ପୁଲିସ ଏତଲା ଆଧାରରେ ଆଇପିସିର ଦଫା ୩୦୨ ଏବଂ ୨୫ ଓ ୨୭ ଅସ୍ତ୍ରଶସ୍ତ୍ର ନିରୋଧ ଆଇନରେ ଏକ ମାମଲା(କେସ୍‌ ନଂ ୧୫୯) ରୁଜୁ କରିଛି। ପୁରୀଘାଟ ଥାନା ପୁଲିସ ଓ ସ୍ପେଶାଲ ସ୍କ୍ଵାଡ୍‌କୁ ନେଇ ୧୦ ଅଫିସର ଦୁଇଟି ପୃଥକ ଟିମ୍‌ ଗଠନ କରିଛନ୍ତି। ଅଭିଯୁକ୍ତ ଅଜିତ ଓ ତା ପରିବାର ଲୋକଙ୍କୁ ଗିରଫ କରିବାକୁ ଏହି ଟିମ୍‌ କଟକ ବାହାରେ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ଅଜିତ ପୂର୍ବରୁ ଏଭଳି ୨୦ରୁ ଅଧିକ ଲୋକଙ୍କ ନିକଟରୁ ଚିଟି ଖେଳରେ ପ୍ରାୟ ୪୦ ଲକ୍ଷ ଟଙ୍କା ଠକି ନେଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ଡିସିପି ଶ୍ରୀ ସିଂହ କହିଛନ୍ତି, ଅଜିତ ବିରୋଧରେ ପୂର୍ବରୁ ସେଭଳି କୌଣସି ଅପରାଧିକ ମାମଲା ନାହିଁ। ଚିଟି ଖେଳକୁ ନେଇ ଏଭଳି ଗୁଳି ମାଡ଼ ହୋଇଛି।

ସମ୍ବନ୍ଧିତ ଖବର