ମାତା ମଠରେ ବ୍ୟଞ୍ଜନ ଦ୍ୱାଦଶୀ : ଶ୍ରୀକୃଷ୍ଣଙ୍କୁ ଲାଗି ହେଲା ୬୭୫ ପ୍ରକାର ବ୍ୟଞ୍ଜନ

ପୁରୀ : ହିନ୍ଦୁ ପରମ୍ପରାରେ ବ୍ୟଞ୍ଜନ ଦ୍ବାଦଶୀର ସ୍ବତନ୍ତ୍ର ସ୍ଥାନ ରହିଛି। ମାର୍ଗଶିର ଶୁକ୍ଲପକ୍ଷ ଦ୍ୱାଦଶୀ ତିଥିରେ ପଡ଼ୁଥିବା ଏହି ପବିତ୍ର ଦିନରେ ଗୌଡ଼ୀୟ ଓ ବୈଷ୍ଣବ ସଂପ୍ରଦାୟର ବ୍ୟକ୍ତିମାନେ ନାନାଦି ସୁସ୍ବାଦୁ ଭୋଜନ ପ୍ରସ୍ତୁତ କରି ଶ୍ରୀକୃଷ୍ଣଙ୍କ ଠାରେ ଲାଗି କରିଥାନ୍ତି। ଶ୍ରୀକ୍ଷେତ୍ର ପୁରୀରେ ଥିବା ମଠ ଓ ମନ୍ଦିର ଆଜି ଏଥି ପାଇଁ ଉତ୍ସବମୁଖର ହୋଇ ଉଠିଥିଲା। ଗୌଡ଼ୀୟ ସଂପ୍ରଦାୟର ମଠ, ମନ୍ଦିରରେ ପୂଜା ପାଉଥିବା ଶ୍ରୀକୃଷ୍ଣଙ୍କୁ ବିଭିନ୍ନ ପ୍ରକାର ସୁସ୍ବାଦୁ ବ୍ୟଞ୍ଜନ ଲାଗି କରାଯାଇଥିଲା। ଏହି ଅବସରରେ ବଳିଆପଣ୍ଡାସ୍ଥିତ ମାତା ମଠ (ଗୌରବିହାର ଆଶ୍ରମ) ଠାରେ ପ୍ରତି ବର୍ଷ ଭଳି ମହାପ୍ରଭୁ ଶ୍ରୀକୃଷ୍ଣଙ୍କୁ ୬୭୫ ପ୍ରକାର ବ୍ୟଞ୍ଜନ ଲାଗି ହୋଇଥିଲା। ଅନ୍ନ, ଡାଲି, ତରକାରୀ, ପାମ୍ପଡ, ଖଟା, ଖିରି, ପିଠା, ମିଠା ଓ ଖଟାର ଏକାଧିକ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କ ଠାରେ ପୂଜା କରାଯାଇଥିଲା। ପ୍ରାୟ ୪୦ ଜଣ ରାନ୍ଧୁଣିଆ ଏହି ବ୍ୟଞ୍ଜନ ପ୍ରସ୍ତୁତ କରିଥିବା ବେଳେ ଏଥି ପାଇଁ ୮ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ପରେ ଏହାକୁ ନିମନ୍ତ୍ରିତ ଅତିଥି ଓ ମଠ ଅନ୍ତେବାସୀଙ୍କୁ ବଣ୍ଟାଯାଇଥିଲା।

୬୭୫ ପ୍ରକାର ବ୍ୟଞ୍ଜନ ପାଇଁ ଗତକାଲି ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଗତକାଲି ପୂର୍ବାହ୍ଣ ୧୦ଟାରୁ ପରିବାପତ୍ର କଟା ଓ ଅନ୍ୟାନ୍ୟ କାମ ଆରମ୍ଭ ହୋଇଥିଲା। ଅପରାହ୍ଣ ୨ଟାରୁ ପରିବାପତ୍ରର ଅମୁଣିଆ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ରାତି ପ୍ରାୟ ୨ଟାରେ ଭୋଗ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ପରେ ଏହାକୁ ଶ୍ରୀକୃଷ୍ଣଙ୍କ ଠାରେ ଲାଗି କରାଯାଇ ଭକ୍ତଙ୍କୁ ବଣ୍ଟାଯାଇଥିଲା। ବିଶ୍ବାସ ରହିଛି, ଆଜିର ଦିନରେ ମା’ ଯଶୋଦା ଶ୍ରୀକୃଷ୍ଣଙ୍କ ପାଇଁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେଇଥିଲେ। ଏହି ବିଶ୍ବାସ ଆଧା‌ରରେ ଗୌଡ଼ୀୟ ସଂପ୍ରଦାୟର ଭକ୍ତମାନେ ବ୍ୟଞ୍ଜନ ଦ୍ବାଦଶୀ ପାଳନ କରି ଆସୁଛନ୍ତି। ଉତ୍ସବରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର