ଓଡ଼ିଶାର କୋଣ ଅନୁକୋଣରେ ରହିଛି ସାହିତ୍ୟ: ରାଜ୍ୟପାଳ

ଯାହା ମନ, ପ୍ରାଣକୁ ଛୁଇଁଥାଏ ତାହା ହିଁ ସାହିତ୍ୟ: ରାଜ୍ୟପାଳ, ସାହିତ୍ୟ ଘର ଭାଷା ସାହିତ୍ୟର ସୁରକ୍ଷା ଘର: ସୌମ୍ୟରଂଜନ

ବ୍ୟାସନଗର : ଉତ୍କଳ ହେଉଛି ଦିବ୍ୟଭୂମି। ଏହି ଦିବ୍ୟଭୂମିର କୋଣ ଅନୁକୋଣରେ ଭରି ରହିଛି ସାହିତ୍ୟ, ସଂଗୀତ। ପଥର ଦେହରେ ଖୋଦେଇ ହୋଇଛି ସାହିତ୍ୟ। କାରୁକାର୍ଯ୍ୟପୂର୍ଣ୍ଣ ଚିତ୍ରକଳା, ଚିତ୍ରାୟିତ ଶାଢ଼ିରେ ବି ରହିଛି ସାହିତ୍ୟ। ବ୍ୟାସନଗର ସମ୍ବାଦ ସାହିତ୍ୟ ଘର ମହିଳା ଶାଖାର ପ୍ରଥମ ବାର୍ଷିକ ଉତ୍ସବକୁ ଉଦ୍‌ଘାଟନ କରି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏକଥା କହିଛନ୍ତି।

ଆଜି ପୂର୍ବାହ୍ନ ୧୧ଟା ବେଳେ ବ୍ୟାସଦେବ ଟାଉନ ହଲ୍‌ରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ରାଜ୍ୟପାଳ କହିଥିଲେ ଯେ, ଏ ସଂସାର ବଡ଼ କଠିନ। କଠିନତାକୁ କୋମଳ କରିଦିଏ ବାଣୀ। ମଧୁର ବଚନ। ବାଣୀ ହେଉଛି ଚାରି ପ୍ରକାର। ଆମେ ସାଧାରଣ ଭାବେ ଯାହା କଥାବାର୍ତ୍ତା କରୁଛୁ, ତାହା ପରସ୍ପର ବୁଝିପାରୁଛୁ। ଦ୍ବିତୀୟ ବାଣୀ ବା ଭାଷା ହେଉଛି ମାଧ୍ୟମ। ଅଲଗା ଭାଷା ବ୍ୟବହାର କରି ପରସ୍ପରର କଥା ବୁଝିଥାଉ। ତୃତୀୟରେ ହେଉଛି ପଶ୍ୟନ୍ତି ବା ପଶ୍ଚ୍ୟନ୍ତି; ଏହା ହେଉଛି ତୃତୀୟ ଭାଷା। ଅର୍ଥାତ ଆମେ ନିକଟରେ ବସି ରହି କୌଣସି କଥା ନକହି ପରସ୍ପରର ଭାବ ଓ ଭାବନାକୁ ବୁଝିଥାଉ। ଯେମିତି ବିଦ୍ୟୁତ୍ ପ୍ରବାହିତ ହୋଇଥାଏ। ଉଦାହାରଣ ଦେଇ ରାଜ୍ୟପାଳ କହିଥିଲେ, ମଞ୍ଚରେ ନୃତ୍ୟ କରୁଥିବା ବ୍ୟକ୍ତିର ଭାଷାକୁ ଦର୍ଶକ ବୁଝିପାରିଥାନ୍ତି। ଆଉ ଦର୍ଶକଙ୍କ ଭାବକୁ ମଧ୍ୟ ନୃତ୍ୟ କରୁଥିବା ବ୍ୟକ୍ତି ପଢ଼ିପାରନ୍ତି। ଚତୁର୍ଥ ଭାଷା ହେଉଛି ଦିବ୍ୟବାଣୀ ବା ଦେବବାଣୀ ବା ବେଦବାଣୀ। ପରିଚୟ ପରେ ଅନ୍ତଃକରଣରୁ ପ୍ରଥମେ ଆସିଥାଏ ବାଣୀ। ଯେମିତି ଶିଶୁ ପାଇଁ ମା’ର ଆଖି ସବୁଠାରୁ ସୁନ୍ଦର ଆଉ ଅଭୟଦାୟିନୀ। ସେଥିରେ ସନ୍ତାନ ନିଜର ଭରସା ପାଇଥାଏ। ଦୁନିଆର ସବୁଠାରୁ ଅଧିକ ଭରସା କରିଥାଏ। ମା’ ପରି ଏ ଦୁନିଆରେ ଆଉ କେହି ନାହିଁ। ସେହିପରି ଜୟଦେବଙ୍କ ଗୀତଗୋବିନ୍ଦର ଉଦାହରଣ ଦେଇ କହିଥିଲେ ରାଧାକୃଷ୍ଣ ଏକ। ରାଧା ହେଉଛନ୍ତି ଆଦିଶକ୍ତି, ଭୂବନମୋହିନୀ, ମହାମାୟୀ ବୋଲି କହିଥିଲେ।

ଗୀତାର ଉଦାହରଣ ଦେଇ ରାଜ୍ୟପାଳ କହିଥିଲେ, ଜୀବନ ସୁନ୍ଦର। ସତ୍ୟମୟ ଓ ଆନନ୍ଦମୟ। ବଞ୍ଚିତ ବିଶ୍ବକୁ ସଞ୍ଚିତ କରିବା ଆମର ନୀତି। ଆମେ ଦୁନିଆକୁ ପରିବାର ମାନିଥାଉ। ବଜାର ନୁହେଁ। ସବାଇ ଘାସରେ ପ୍ରସ୍ତୁତ କଳାକୃତିକୁ ମଧ୍ୟ ପ୍ରଶଂସା କରି ଓଡ଼ିଶାରେ ସାହିତ୍ୟ ସବୁକ୍ଷେତ୍ରରେ ପରିବ୍ୟାପ୍ତ ଓ ବ୍ୟାପକ ବୋଲି କହିଥିଲେ।

ଯେଉଁ ସାହିତ୍ୟ ମନ, ପ୍ରାଣକୁ ଛୁଏଁ, ଆନନ୍ଦ ଦିଏ, ମନ ଭିତରେ ଆପଣା ଛାଏଁ ରହିଯାଏ, ତାହା ହିଁ ସାହିତ୍ୟ ବୋଲି ସେ କହିଥିଲେ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ସମ୍ବାଦ ସାହିତ୍ୟ ଘରର ମୁରବି ତଥା ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ, ୨୦୧୧ରେ ସାହିତ୍ୟ ଘର ବାଲେଶ୍ବର ଫକୀର ମୋହନ କଲେଜରେ ଉଦ୍‌ଘାଟିତ ହୋଇଥିଲା। ଆଜି ବ୍ୟାସମୁନିଙ୍କ ଜାଗା ବ୍ୟାସନଗରରେ ଗଠିତ ସମ୍ବାଦ ସାହିତ୍ୟ ଘର ମହିଳା ଶାଖା ତା’ର ପ୍ରଥମ ବାର୍ଷିକ ଉତ୍ସବରେ ରାଜ୍ୟପାଳଙ୍କୁ ମୁଖ୍ୟ ଅତିଥି କରିଛି। ଯାହା ଖାଲି ଗର୍ବ ଓ ଗୌରବର ବିଷୟ ନୁହେଁ, ବରଂ ଈର୍ଷଣୀୟ। ଭାଷା, ସାହିତ୍ୟର ସମୃଦ୍ଧି ପାଇଁ ସାହିତ୍ୟ ଘରର ପରିକଳ୍ପନା। ଘର ହେଉଛି ଜଣେ ବ୍ୟକ୍ତିର ନିରାପତ୍ତା ପାଇଁ ଆଶ୍ରୟସ୍ଥଳୀ। ସାହିତ୍ୟଘର ସେହିପରି ଭାଷା ସାହିତ୍ୟର ନିରାପଦ ଘର। ସମୂହ ହିତ ହିଁ ସାହିତ୍ୟ ଘରର ଉଦ୍ଦେଶ୍ୟ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଆଜି ରାଜ୍ୟପାଳଙ୍କ ଉପସ୍ଥିତି ଆମକୁ, ସାହିତ୍ୟଘରକୁ ସ୍ବତନ୍ତ୍ର ସ୍ବୀକୃତି ଦେଉଛି। ସଦିଚ୍ଛା ଜଣାଉଛି। ପ୍ରେରଣା ଯୋଗାଉଛି। ଏହି ସାହିତ୍ୟ ଘର କର୍ମକର୍ତ୍ତାମାନେ ରାଜ୍ୟପାଳଙ୍କ ବିଶ୍ବାସ, ଶ୍ରଦ୍ଧାକୁ ବଜାୟ ରଖିବେ ବୋଲି ଆଶା ଓ ବିଶ୍ବାସ ରଖୁଛି।

ଏଥିସହ ଫନିପୀଡ଼ିତଙ୍କ ପାଇଁ ସାହିତ୍ୟଘର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ଯୋଗାଇ ଦିଆଯାଇଥିବା ସୂଚନା ଦେଇଥିଲେ। ସେ କହିଥିଲେ ଯେ ସାହିତ୍ୟ ଘର ଫନିରେ ଉଜୁଡ଼ି ଯାଇଥିବା ବୃକ୍ଷର ଭରଣା ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେଇଛି। ପ୍ରତି ସାହିତ୍ୟ ଘର ପ୍ରତ୍ୟେକ ବ୍ଲକରେ ବୃକ୍ଷରୋପଣ କରିବେ। ସାହିତ୍ୟ ଘର ପକ୍ଷରୁ ରକ୍ତଦାନ, ବୃକ୍ଷରୋପଣ ଆଦି ସାମାଜିକ କାର୍ଯ୍ୟକ୍ରମ ବିଷୟରେ ରାଜ୍ୟପାଳଙ୍କୁ ଶ୍ରୀ ପଟ୍ଟନାୟକ ସଂକ୍ଷେପରେ ଅବଗତ କରାଇଥିଲେ।

ସମ୍ମାନିତ ଅତିଥି ଭାବେ କୋରେଇ ବିଧାୟକ ଅଶୋକ ବଳ ଯୋଗଦେଇ ସାହିତ୍ୟ ଘର ମହିଳା ଶାଖାର ଆୟୋଜନକୁ ଉଚ୍ଚପ୍ରଶଂସା କରିଥିଲେ। ସେହିପରି ଅନ୍ୟତମ ସମ୍ମାନିତ ଅତିଥି ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ କହିଥିଲେ ଯେ, ପ୍ରତ୍ୟେକ ସାହିତ୍ୟ ଘରକୁ ପାଠାଗାରରେ ପରିଣତ କରାଯାଉ। ସାହିତ୍ୟ ଘର ସମସ୍ତଙ୍କ ହୃଦୟରେ ରହୁ। ରସ, ଛନ୍ଦରେ ଭରିଦେଉ।

ଉତ୍ସବରେ ସମ୍ବାଦ ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ଅଧ୍ୟକ୍ଷତା କରିବା ସହ ଅତିଥି ପରିଚୟ ଦେଇଥିଲେ। ଏ ଅବସରରେ ସାହିତ୍ୟ ଘରର ମୁଖପତ୍ର ‘ଯଜ୍ଞଶୀଳା’, ନୀଳିମା ମହାନ୍ତିଙ୍କ କାଗଜଫୁଲ ଓ ଅନ୍ୟାନ୍ୟ ପୁସ୍ତକକୁ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନେ ଉନ୍ମୋଚନ କରିଥିଲେ। ବ୍ୟାସନଗର ସାହିତ୍ୟଘର ମହିଳାଶାଖାର ସଭାପତି ସଂଯୁକ୍ତା ମହାପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସମ୍ପାଦିକା ହିରଣ୍ମୟୀ ମହାନ୍ତି ବିବରଣୀ ପାଠ କରିଥିଲେ। କୋଷାଧ୍ୟକ୍ଷ ଦେବସ୍ମିତା ସାହୁ ମଞ୍ଚରେ ଉପସ୍ଥିତ ଥିିଲେ। ଶେଷରେ ରାଜ୍ୟପାଳ ଓ ଅନ୍ୟାନ୍ୟ ଅତିଥିବୃନ୍ଦ ବ୍ୟାସଦେବ ଟାଉନ୍‌ହଲ୍‌ ପରିସରରେ ବୃକ୍ଷରୋପଣ କରିଥିଲେ। ସଂଯୋଜକ ବିଜୟ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ, ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ଡ. ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର